Site icon ଆଜିକାଲି

ନେତାଜୀଙ୍କ ପ୍ରତିମା ଉନ୍ମୋଚନ ସହ ‘କର୍ତବ୍ୟ ପଥ’ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସେଂଟ୍ରାଲ ଭିସ୍ତା ଏଭେନ୍ୟୁର ଉଦଘାଟନ କରିଛନ୍ତି । ଏବେ ଏହା କର୍ତବ୍ୟ ପଥ ନାଁରେ ଜଣାଯିବ । ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଇଣ୍ଡିଆ ଗେଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତିର ଉନ୍ମୋଚନ କରିଛନ୍ତି । ଏହାସହ ଦିଲ୍ଲୀରେ ସେଂଟ୍ରାଲ ଭିସ୍ତାର ପୁର୍ନବିକାଶ ପରିଯୋଜନାରେ ସାମିଲ କାର୍ଯ୍ୟକର୍ତାଙ୍କ ସହ କଥା ହୋଇଥିଲେ ।

ଇଣ୍ଡିଆ ଗେଟ୍ ନିକଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତିର ଉନ୍ମୋଚନ କରିଛନ୍ତି । ୨୮ ଫୁଟ୍ ଉଚ୍ଚର ଏହି ପ୍ରତିମୂର୍ତିକୁ ଗୋଟିଏ ଗ୍ରାନାଇଟ୍ ପଥରରେ ନିର୍ମାଣ କରାଯାଇଛି । ରିପୋର୍ଟ ଅନୁସାରେ ଏହାକୁ ନିର୍ମାଣ କରିବା ପାଇଁ ୨୬ ହଜାର ଘଂଟ ସମୟ ଲାଗିଛି । ଉଲ୍ଲେଖଯୋଗ୍ୟ ଯେ, ପରାକ୍ରମ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ନେତାଜୀଙ୍କ ହୋଲୋଗ୍ରାମ ରଖିଥିଲେ । ଏବେ ଏହି ସ୍ଥାନରେ ନେତାଜୀଙ୍କ ବିଶାଳ ମୂର୍ତିର ଅନାବରଣ କରାଯାଇଛି । ଏହି ଅବସରରେ ନିଜ ସମ୍ୱୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଉପନିବେଶବାଦର ପ୍ରତୀକ କିଙ୍ଗସୱେ ଏବେ ଇତିହାସ ହେବ ଏବଂ ସବୁ ଦିନ ପାଇଁ ଲିଭେଇ ଯିବ । କର୍ତବ୍ୟ ପଥ ଭାବେ ଏକ ନୂଆ ଯୁଗର ଆରମ୍ଭ ହୋଇଛି । ଉପନିବେଶବାଦର ଆଉ ଏକ ପ୍ରତୀକରୁ ମୁକ୍ତି ପାଇଥିବାକୁ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଉଛି’ । ଏହି ଉଦଘଟାନୀ କାର୍ଯ୍ୟକ୍ରମ ସମୟରେ ଶ୍ରମଜୀବୀଙ୍କୁ ଭେଟି ଆସନ୍ତା ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ପରେଡ ପାଇଁ ଏହି ପରିଯୋଜନାରେ କାମ କରୁଥିବା ସମସ୍ତଙ୍କୁ ଆମନ୍ତ୍ରିତ କରିବେ ବୋଲି ପିଏମ ମୋଦୀ କହିଛନ୍ତି । ନୂତନ ସେଂଟ୍ରାଲ ଭିସ୍ତା ଏଭେନ୍ୟୁ ଉପରେ ଏକ ପ୍ରଦର୍ଶନୀ ପ୍ରଧାନମନ୍ତ୍ରୀ ମୋଦୀ ଦେଖିଥିଲେ । ସେଂଟ୍ରାଲ ଭିସ୍ତା ଏଭେନ୍ୟୁ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ଯାଏଁ ବ୍ୟାପିଛି । ଏଠାରେ ଗଣତନ୍ତ୍ର ଦିବସ ପ୍ୟାରେଡ୍ ସହ ଅନେକ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ।

Exit mobile version