Site icon ଆଜିକାଲି

ନାଗପୁରରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କ​ଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ନାଗପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନାଗପୁରରେ ପତାକା ଦେଖାଇ ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରିଛନ୍ତି । ଏହି ବନ୍ଦେ ଭାରତ ଏକ୍ସପ୍ରେସ ନାଗପୁରରୁ ବିଳାସପୁର ପର୍ଯ୍ୟନ୍ତ ଚାଲିବ । ଆଜିଠୁ ନାଗପୁରରେ ମଧ୍ୟ ମେଟ୍ରୋର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି ।

ପ୍ରଧାନମନ୍ତ୍ରୀ ନାଗପୁର ମେଟ୍ରୋର ଦ୍ୱିତୀୟ ପର୍ଯ୍ୟାୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଖାଲି ସେତିକି ନୁହେଁ, ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ ବିଦର୍ଭରେ ଆୟୋଜିତ ହୋଇଥିବା ଏକ ସାଧାରଣ ସମାରୋହରେ ପ୍ରଧାନମନ୍ତ୍ରୀ ଯୋଗଦେଇଛନ୍ତି । ଏହି ସମାରୋହରେ ୧୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ନାଗପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ସମୁଦାୟ ୭୦୧ କିଲୋମିଟର ଏକ୍ସପ୍ରେସୱେର ୫୨୦ କିଲୋମିଟରର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇଛି । ଯାହାକୁ ଆଜି ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ୫୫ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଏକ୍ସପ୍ରେସୱେ ମହାରାଷ୍ଟ୍ରର ୧୦ଟି ଜିଲାକୁ ସଂଯୋଗ କରୁଛି । ଅମରାବତୀ, ଔରଙ୍ଗାବାଦ ଏବଂ ନାଶିକର ପ୍ରମୁଖ ସହରାଞ୍ଚଳ ଦେଇ ଯିବ । ଏହି ଏକ୍ସପ୍ରେସୱେ ନିକଟସ୍ଥ ଅନ୍ୟ ୧୪ଟି ଜିଲାକୁ ମଧ୍ୟ ସଂଯୋଗ ପାଇଁ ମାଧ୍ୟମ ହେବ । ଫଳରେ ବିଦର୍ଭ, ମରାଠୱାଡା ଏବଂ ଉତ୍ତର ମହାରାଷ୍ଟ୍ର ସମେତ ରାଜ୍ୟର ପ୍ରାୟ ୨୪ଟି ଜିଲାର ବିକାଶରେ ସହାୟକ ହେବ । ଲୋକମାନେ ଯାତାୟାତରେ ଆଉ ଅସୁବିଧା ସମ୍ମୁଖିନ ହେବେ ନାହିଁ ।

Exit mobile version