ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ୧.୪୫ରେ ନୂଆଦିଲ୍ଲୀର ପ୍ରଗତି ମଇଦାନ ଠାରେ ୯୦ତମ ଇଣ୍ଟରପୋଲ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଇଣ୍ଟରପୋଲର ୯୦ତମସାଧାରଣ ସଭା ଅକ୍ଟୋବର ୧୮ରୁ ୨୧ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହି ବୈଠକରେ ମନ୍ତ୍ରୀ, ବିଭିନ୍ନ ଦେଶର ପୁଲିସ ମୁଖ୍ୟ, ଜାତୀୟ କେନ୍ଦ୍ରୀୟ ବ୍ୟୁରୋ ମୁଖ୍ୟଗଣ ଓ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମେତ ୧୯୫ ଇଣ୍ଟରପୋଲ ସଦସ୍ୟର ପ୍ରତିନିଧି ମଣ୍ଡଳୀ ସାମିଲ ହେବେ । ଏହି ସାଧାରଣ ସଭା ଇଣ୍ଟରପୋଲର ସର୍ବୋଚ୍ଚ ନିୟାମକ ମଣ୍ଡଳୀ ଓ ନିଜ କାର୍ଯ୍ୟକ୍ରମ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ବର୍ଷକୁ ଥରେ ଆୟୋଜିତ ହୋଇଥାଏ ।
ଭାରତରେ ପ୍ରାୟ ୨୫ ବର୍ଷର ବ୍ୟବଧାନ ପରେ ଇଣ୍ଟରପୋଲ ସାଧାରଣ ସଭା ଆୟୋଜିତ ହେବ । ପୂର୍ବରୁ ୧୯୯୭ରେ ଏହା ଭାରତରେ ଆୟୋଜିତ ହୋଇଥିଲା । ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ନୂଆଦିଲ୍ଲୀ ଠାରେ ଇଣ୍ଟରପୋଲ ସାଧାରଣ ସଭା ୨୦୨୨ ଆୟୋଜନ ପାଇଁ ଭାରତର ପ୍ରସ୍ତାବ ବହୁମତରେ ସାଧାରଣ ସଭା ଦ୍ୱାରା ସ୍ୱୀକୃତ ହୋଇଥିଲା । ଏହି କାର୍ଯ୍ୟକ୍ରମ ସାରା ବିଶ୍ୱ ସମ୍ମୁଖରେ ଭାରତର ଆଇନ ଓ ଶୃଙ୍ଖଳା ସହ ଜଡିତ ସର୍ବୋତ୍ତମ କାର୍ଯ୍ୟପ୍ରଣାଳୀ ପ୍ରଦର୍ଶନ ପାଇଁ ସୁଯୋଗ ପ୍ରଦାନ କରିବ । କେନ୍ଦ୍ର ଗୃହ ମନ୍ତ୍ରୀ, ଇଣ୍ଟରପୋଲ ସଭାପତି ଅହମ୍ମଦ ନାସେର ଅଲ ରଇସି, ମହାସଚିବ ଜର୍ଗନ ଷ୍ଟକ, ସିବିଆଇ ନିର୍ଦ୍ଦେଶକ ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହିବେ ।