Site icon ଆଜିକାଲି

ଆଜି ଏରୋ ଇଣ୍ଡିଆ-୨୦୨୩ ର ୧୪ତମ ସଂସ୍କରଣକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି କର୍ଣ୍ଣାଟକ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋମବାର ପୂର୍ବାହ୍ନ ପ୍ରାୟ ୯ଟା ୩୦ ମିନିଟ ସମୟରେ ବେଙ୍ଗାଲୁରୁର ୟେଲହାଙ୍କା ବାୟୁସେନା ଷ୍ଟେସନରେ ଏରୋ ଇଣ୍ଡିଆ ୨୦୨୩ ର ୧୪ ତମ ସଂସ୍କରଣର ଉଦ୍‌ଘାଟନ କରିବେ । ଏରୋ ଇଣ୍ଡିଆ ୨୦୨୩ ର ବିଷୟବସ୍ତୁ ହେଉଛି “ଦ ରନୱେ ଟୁ ଏ ବିଲିୟନ ଅପର୍ଚ୍ୟୁନିଟିଜ୍‌’ ଅର୍ଥାତ୍ ଏକ ବିଲିଅନ ସୁଯୋଗ ନିମନ୍ତେ ଉଡାଣ ପଥ । ପ୍ରଧାନମନ୍ତ୍ରୀଙ୍କ ‘ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱର୍ଲ୍ଡ’ ର ଦୃଷ୍ଟିକୋଣ ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ସ୍ୱଦେଶୀ ଉପକରଣ / ପ୍ରଯୁକ୍ତି ବିଦ୍ୟାକୁ ପ୍ରଦର୍ଶନ କରିବା ଏବଂ ବିଦେଶୀ କମ୍ପାନୀ ଗୁଡିକଙ୍କ ସଙ୍ଗେ ସହଭାଗିତା ଗଠନ ଉପରେ ଧ୍ୟାନ କେନ୍ଦ୍ରିତ ହେବ ।

ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ ମଧ୍ୟ ପ୍ରଦର୍ଶିତ ହେବ, କାରଣ ଏହି କାର୍ଯ୍ୟକ୍ରମ ଡିଜାଇନ୍ ନେତୃତ୍ୱରେ ଦେଶର ପ୍ରଗତି, ୟୁଏବି କ୍ଷେତ୍ରରେ ଅଭିବୃଦ୍ଧି, ପ୍ରତିରକ୍ଷା ସ୍ଥାନ ଏବଂ ଭବିଷ୍ୟତ ଟେକ୍ନୋଲୋଜିରେ ଦେଶର ଅଗ୍ରଗତି ପ୍ରଦର୍ଶନ କରିବ । ଆହୁରି ମଧ୍ୟ, ଏହି କାର୍ଯ୍ୟକ୍ରମ ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ (ଏଲ୍‌ସିଏ) – ତେଜସ୍‌, ଏଚ୍‌ଟିଟି – ୪୦ , ଡୋର୍ନିଅର୍ ଲାଇଟ୍ ୟୁଟିଲିଟି ହେଲିକପ୍ଟର, ଲାଇଟ୍ କମ୍ବାଟ ହେଲିକପ୍ଟର (ଏଲ୍‌ସିଏଚ୍‌) ଏବଂ ଉନ୍ନତ ଲାଇଟ୍ ହେଲିକପ୍ଟର (ଏଏଲ୍‌ଏଚ୍‌) ଭଳି ସ୍ୱଦେଶୀ ବାୟୁ ପ୍ଲାଟଫର୍ମ ରପ୍ତାନିକୁ ପ୍ରୋତ୍ସାହିତ କରିବ । ଏହି କାର୍ଯ୍ୟକ୍ରମ ଘରୋଇ ଏମ୍‌ଏସ୍‌ଏମ୍‌ଇ ଏବଂ ଷ୍ଟାର୍ଟ- ଅପ୍ ଗୁଡ଼ିକୁ ବିଶ୍ୱ ଯୋଗାଣ ଶୃଙ୍ଖଳରେ ଏକୀକରଣ କରିବାରେ ଏବଂ ସହ – ବିକାଶ ଏବଂ ସହ – ଉତ୍ପାଦନ ପାଇଁ ସହଭାଗିତା ସହିତ ବିଦେଶୀ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବାରେ ସାହାଯ୍ୟ କରିବ । ଏରୋ ଇଣ୍ଡିଆ ୨୦୨୩ ରେ ୮୦ ରୁ ଅଧିକ ଦେଶ ଅଂଶଗ୍ରହଣ କରିବେ । ପ୍ରାୟ ୩୦ ଟି ଦେଶର ମନ୍ତ୍ରୀ ଏବଂ ବିଶ୍ୱ ତଥା ଭାରତୀୟ ଓଇଏମ୍‌ର ୬୫ ସିଇଓ ଏରୋ ଇଣ୍ଡିଆ ୨୦୨୩ ରେ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି ।

ଏରୋ ଇଣ୍ଡିଆ ୨୦୨୩ ପ୍ରଦର୍ଶନୀରେ ପ୍ରାୟ ୧୦୦ ବିଦେଶୀ ଏବଂ ୭୦୦ ଭାରତୀୟ କମ୍ପାନୀ ସମେତ ୮୦୦ ରୁ ଅଧିକ ପ୍ରତିରକ୍ଷା କମ୍ପାନୀ ଗୁଡିକ ଅଂଶଗ୍ରହଣ କରିବେ । ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରୁଥିବା ଭାରତୀୟ କମ୍ପାନୀ ଗୁଡିକରେ ଏମ୍‌ଏସ୍‌ଏମ୍‌ଇ ଏବଂ ଷ୍ଟାର୍ଟ ଅପ୍ ଗୁଡିକ ଅନ୍ତର୍ଭୁକ୍ତ, ଯାହା ଦେଶରେ ଟେକ୍ନୋଲୋଜିର ଅଗ୍ରଗତି, ଏରୋସ୍ପେସ୍‌ରେ ଅଭିବୃଦ୍ଧି ଏବଂ ପ୍ରତିରକ୍ଷା ସାମର୍ଥ୍ୟ ଗୁଡିକର ପ୍ରଦର୍ଶନ କରିବ । ଏରୋ ଇଣ୍ଡିଆ ୨୦୨୩ ର ପ୍ରମୁଖ ପ୍ରଦର୍ଶକ ମଧ୍ୟରେ ଏୟାରବସ୍‌, ବୋଇଂ, ଡାସଲ୍ଟ ଆଭିଏସନ୍‌, ଲକ୍‌ହିଡ୍ ମାର୍ଟିନ୍‌, ଇସ୍ରାଏଲ୍ ଏରୋସ୍ପେସ୍ ଇଣ୍ଡଷ୍ଟ୍ରି, ବ୍ରାହ୍ମୋସ୍ ଏରୋସ୍ପେସ୍‌, ଆର୍ମି ଆଭିଏସନ୍‌, ଏଚ୍‌ସି ରୋବୋଟିକ୍ସ, ଏସ୍‌ଏଏବି, ସଫ୍ରାନ୍‌, ରୋଲ୍ସ ରଏସ୍‌, ଲାର୍ସେନ୍ ଆଣ୍ଡ ଟ୍ୟୁବ୍ରୋ, ଭାରତ ଫର୍ଜ ଲିମିଟେଡ୍‌, ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (ହାଲ୍‌), ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (ବିଇଏଲ୍‌), ଭାରତ ଡାଇନାମିକ୍ସ ଲିମିଟେଡ୍ (ବିଡିଏଲ୍‌) ଏବଂ ବିଇଏମ୍‌ଏଲ୍ ଲିମିଟେଡ୍ ଅନ୍ତର୍ଭୁକ୍ତ ।

Exit mobile version