Site icon ଆଜିକାଲି

ଆଜି ‘କର୍ତ୍ତବ୍ୟ ପଥ’ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର “କର୍ତ୍ତବ୍ୟ ପଥ” ର ଉଦଘାଟନ କରିବେ । ଏହା ସହ ଇଣ୍ଡିଆ ଗେଟରେ ସ୍ୱାଧୀନତା ସଂଗ୍ରାମୀ ନତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ମଧ୍ୟ ଉନ୍ମୋଚନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ବୁଧବାର ଏକ ବିବୃତ୍ତିରେ ଏହି ସୂଚନା ଦେଇଛି।

ଉଲ୍ଲେଖଯୋଗ୍ୟ ଯେ, “ରାଜପଥ” ର ନାମ ବଦଳାଇ “କର୍ତ୍ତବ୍ୟ ପଥ” କରିବାକୁ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ବୁଧବାର ଅନୁଷ୍ଠିତ ନୂଆଦିଲ୍ଲୀ ନଗର ପାଳିକା ପରିଷଦ (ଏନଡିଏମସି) ବୈଠକରେ ଗୃହୀତ ହୋଇଛି । ବର୍ତ୍ତମାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳକୁ “କର୍ତ୍ତବ୍ୟ ପଥ” ​​କୁହାଯିବ।

ପିଏମଓ ପକ୍ଷରୁ କୁହାଯାଇଛି ଯେ, ପୂର୍ବର “ରାଜପଥ” କ୍ଷମତାର ପ୍ରତୀକ ଥିଲା ଏବଂ ଏହାକୁ “କର୍ତ୍ତବ୍ୟ ପଥ” ଭାବେ ନାମକରଣ ପରିବର୍ତ୍ତନର ସଙ୍କେତ ଏବଂ ଏହା ମଧ୍ୟ ସର୍ବସାଧାରଣ ସ୍ଵତ୍ତ୍ଵ ଏବଂ ସଶକ୍ତିକରଣର ଏକ ଉଦାହରଣ। ସେହିପରି ଅମୃତ କାଳରେ “କର୍ତ୍ତବ୍ୟ ପଥ” ର ଉଦଘାଟନ ଏବଂ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ “ପଞ୍ଚ ପଣ” ମଧ୍ୟରୁ ଦ୍ବିତୀୟ ପଣ ବା ସଂକଳ୍ପର ଅନୁକୂଳ, ବାତାବରଣ ଯେଉଁଥିରେ ସେ ଉପନିବେଶ ମାନସିକତାର ପ୍ରତ୍ୟେକ ପ୍ରତୀକକୁ ଉଚ୍ଛେଦ କରିବା ବିଷୟରେ କହିଥିଲେ |

Exit mobile version