Site icon ଆଜିକାଲି

ଅତିକ୍-ଅଶରଫ୍ ହତ୍ୟା ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି

ନୂଆଦିଲ୍ଲୀ: ଡନ୍ ଅତିକ୍ ଅହମ୍ମଦ ଓ ତାଙ୍କ ଭାଇ ଅଶରଫଙ୍କୁ ପୋଲିସ ହେପାଜତରେ ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ପାଇଁ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି । ଓକିଲ ବିଶାଲ ତିୱାରୀଙ୍କ ପିଟିସନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଏପ୍ରିଲ ୨୪ରେ ଶୁଣାଣି କରିବେ। ଆବେଦନରେ କୁହାଯାଇଛି ଯେ ଆଇନକୁ ନିଜ ହାତକୁ ନେଇ ୟୁପି ପୋଲିସ ଅପରାଧୀଙ୍କୁ ମନଇଚ୍ଛା ଏନକାଉଣ୍ଟର କରୁଛି । ରାଜ୍ୟରେ ୨୦୧୭ ପରେ ୧୮୩ ଅପରାଧୀ ପୋଲିସ୍ ଏନକାଉଣ୍ଟରର ଶିକାର ହୋଇଛନ୍ତି।

ଶନିବାର ରାତି ପ୍ରାୟ ୧୦.୩୦ ସମୟରେ ପୋଲିସ ସେମାନଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ନେଉଥିବା ବେଳେ ସାମ୍ବାଦିକ ବେଶରେ ଆସିଥିବା ତିନି ଆତତାୟୀ ଅତିକ୍ ଏବଂ ଅଶରଫଙ୍କୁ ଅତି ନିକଟରୁ ଗୁଳିମାଡ଼ କରିଥିଲେ । ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। କିନ୍ତୁ ପୋଲିସର କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠିଥିଲା।

ଓକିଲ ବିଶାଲ ତିୱାରୀ ତାଙ୍କ ପିଟିସନରେ କହିଛନ୍ତି ଯେ ଯୋଗୀ ସରକାରଙ୍କ ପୋଲିସ୍ ମନଇଚ୍ଛା କାମ କରୁଛି। ଆଇନକୁ ଫୁ କରି ପୋଲିସ ଅପରାଧୀଙ୍କୁ ଏନକାଉଣ୍ଟର କରୁଛି। ଅଦାଲତର କାମ ମଧ୍ୟ ପୋଲିସ ନିଜ ହାତକୁ ନେଇଛି । ୨୦୧୭ ପରଠାରୁ ଉତ୍ତର ପ୍ରଦେଶ ପୋଲିସ ୧୮୩ ଅପରାଧୀଙ୍କୁ ଏନକାଉଣ୍ଟର କରିଛି। ଏଭଳି ସ୍ଥଳେ କୋର୍ଟର ଆଉ କ’ଣ ଆବଶ୍ୟକତା ରହିବ ? ଅପରାଧୀଙ୍କୁ ଅଦାଲତରେ ନିଜ ପକ୍ଷ ରଖିବାକୁ ସୁଯୋଗ ଦିଆଯାଉନାହିଁ।ଗଣତନ୍ତ୍ର ପାଇଁ ଏହା ଅତ୍ୟନ୍ତ ବିପଜ୍ଜନକ ସଙ୍କେତ ବୋଲି ଆବେଦନକାରୀ ଯୁକ୍ତି କରିଛନ୍ତି । ୨୦୨୦ରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ଏନକାଉଣ୍ଟର ମଧ୍ୟ ସେ ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି ।

Exit mobile version