Site icon ଆଜିକାଲି

ଭାରତରେ ପାକିସ୍ତାନୀ କଳାକାରଙ୍କୁ ବ୍ୟାନ୍ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭାରତରେ ପାକିସ୍ତାନୀ କଳାକାରଙ୍କୁ ବ୍ୟାନ୍ କରିବା ପାଇଁ ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହି ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଏହା ଏକ ଅବାନ୍ତର ଓ ଭିତ୍ତିହୀନ ଆବେଦନ।

ବମ୍ବେ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିବା ପରେ ଆବେଦନକାରୀ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଏହି ଆବେଦନକୁ ଖାରଜ କରିବା ସହ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ମଧ୍ୟ ଭର୍ତ୍ସନା କରିଛନ୍ତି । ଏତେ ସଂକୀର୍ଣ୍ଣମନା ହୁଅନାହିଁ ବୋଲି ଆବେଦନକାରୀଙ୍କୁ କହିଛନ୍ତି । ଏହାଛଡ଼ା ଆବେଦନକାରୀଙ୍କ ପ୍ରତି ବମ୍ବେ ହାଇକୋର୍ଟ କରିଥିବା କିଛି ଟିପ୍ପଣୀକୁ ରଦ୍ଦ କରିବାକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ମନା କରିଥିଲେ ।

ନିଜକୁ ଜଣେ ସିନେ କଳାକାର ବୋଲି ଦାବି କରୁଥିବା ଫୈଜ ଅନୱାର କୁରେଶି ନାମକ ଜଣେ ବ୍ଯକ୍ତି ଏହି ଆବେଦନ କରିଥିଲେ । ସେ ତାଙ୍କ ଆବେଦନରେ ପାକିସ୍ତାନୀ କଳାକାରଙ୍କୁ ଭାରତରେ ବ୍ୟାନ୍ କରିବାକୁ ଦାବି କରିଥିଲେ । ଏହାଛଡ଼ା କୌଣସି ଭାରତୀୟ ନାଗରିକ, କମ୍ପାନୀ, ସଂସ୍ଥା ଏବଂ ସଂଗଠନ ଯଦି କୌଣସି ପାକିସ୍ତାନୀ ସିନେ କଳାକାର, ସଂଗୀତକାର, ଗୀତିକାର, କଣ୍ଠଶିଳ୍ପୀ ଓ ଟେକ୍ନିସିଆନଙ୍କ ସହ କାମ କରନ୍ତି କିମ୍ବା ସେମାନଙ୍କ ସହ କୌଣସି ଚୁକ୍ତି କରନ୍ତି ତେବେ ସେମାନଙ୍କ ଉପରେ ବି ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସେ ତାଙ୍କ ଆବେଦନରେ ଅନୁରୋଧ କରିଥିଲେ ।

ପୂର୍ବରୁ ବମ୍ବେ ହାଇକୋର୍ଟ ଏହି ଆବେଦନ ଖାରଜ ଖରି କହିଥିଲେ ଦେଶପ୍ରେମୀ ହେବା ପାଇଁ ପଡ଼ୋଶୀ ଦେଶ ପ୍ରତି ଶତ୍ରୁତା ପ୍ରଦର୍ଶନ କରିବାର ଆବଶ୍ୟକତା ନାହିଁ।

Exit mobile version