Site icon ଆଜିକାଲି

ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ଥିବା ଅପରାଧିକ ମାମଲାର ତ୍ୱରିତ ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଦିଲ୍ଲୀ: ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ଅପରାଧିକ ମାମଲାର ତ୍ୱରିତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜନପ୍ରତିନିଧିଙ୍କ ବିରୋଧରେ ଥିବା ଅପରାଧିକ ମାମଲାର ତ୍ୱରିତ ଶୁଣାଣି ପାଇଁ ସବୁ ରାଜ୍ୟର ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେବା ସହ ଏହା ଉପରେ ନଜର ରଖିବା ପାଇଁ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାଛଡ଼ା ନିଜଆଡୁ ଏପରି ମାମଲା ରୁଜୁ କରିବା ପାଇଁ ମଧ୍ୟ ହାଇକୋର୍ଟ ମାନଙ୍କୁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଜନ ପ୍ରତିନିଧୀ ମାନଙ୍କ ବିରୋଧରେ ବିଚାରାଧୀନ ଅପରାଧିକ ମାମଲା ଗୁଡ଼ିକର ଶୀଘ୍ର ଫଏସଲା ଦାବି କରି ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ଦାୟର କରିଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ହାଇକୋର୍ଟ ଏବଂ ନିମ୍ନ ଅଦାଲତଙ୍କୁ ବିଭିନ୍ନ ନିର୍ଦ୍ଦେଶ ଜାରି କରିଛନ୍ତି । ଜନ ପ୍ରତିନିଧୀଙ୍କ ବିରୋଧରେ ବିଚାରାଧୀନ ମାମଲାର ଶୀଘ୍ର ଫଏସଲା ପାଇଁ ନିମ୍ନ ଅଦାଲତ ଗୁଡ଼ିକୁ ଏପରି ନିର୍ଦ୍ଦେଶାବଳୀ ଦେବା କଷ୍ଟକର ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସରକାରୀ କର୍ମଚାରୀ ଓ ବିଚାର ବିଭାଗୀୟ ସଦସ୍ୟ ସମ୍ପର୍କିତ ଅପରାଧିକ ମାମଲାଗୁଡିକର ବିଚାର ଲାଗି ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା ସଂକ୍ରାନ୍ତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ସେହିପରି ଦୋଷୀସାବ୍ୟସ୍ତ ଅଧିକାରୀଙ୍କୁ ନିଜ ପଦବିରୁ ବାହାର କରିବା ଲାଗି ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରିଥିଲେ କୋର୍ଟ । ବିଭିନ୍ନ ହାଇକୋର୍ଟରୁ ମିଳିଥିବା ତଥ୍ୟ ଅନୁସାରେ ବିଭିନ୍ନ ସାଂସଦ ଓ ବିଧାୟକଙ୍କ ବିରୋଧରେ ୫ ହଜାର ୧୭୫ଟି ମାମଲା ପଡିରହିଛି ।

Exit mobile version