Site icon ଆଜିକାଲି

ଆଶାରାମଙ୍କୁ ଝଟକା, ବଳାତ୍କାର ମାମଲାରେ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆତ୍ମ ଘୋଷିତ ଧର୍ମଗୁରୁ ଆଶାରାମ ବାପୁଙ୍କୁ କୌଣସି ଆଶ୍ବସ୍ତି ଦେବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କ ସଜା ଉପରେ ରୋକ୍ ଲଗାଇବାକୁ ଆବେଦନ କରିଥିଲେ ଆଶାରାମ । ତେବେ ସୁପ୍ରିମକୋର୍ଟ ତାଙ୍କ ଆବେଦନ ଶୁଣାଣି କରିବାକୁ ମନା କରିଦେଇଛନ୍ତି । ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଦୀପଙ୍କର ଦତ୍ତଙ୍କ ଏକ ଖଣ୍ଡପୀଠ ଆଶାରାମ ବାପୁଙ୍କୁ ରାଜସ୍ଥାନ ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଛନ୍ତି ।

ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଓ ଦଣ୍ଡବିଧାନ ବିରୋଧରେ ହାଇକୋର୍ଟରେ ଶୁଣାଣିକୁ ଜାଣିଶୁଣି ବିଳମ୍ବ କରିବା ଉଦ୍ୟମ ଯୋଗୁଁ ଆଶାରାମଙ୍କ ଉପରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ ।

ଆଶାରାମଙ୍କ ପକ୍ଷରୁ ହାଜର ବରିଷ୍ଠ ଓକିଲ ମୁକୁଲ ରୋହତଗୀ କୋର୍ଟଙ୍କୁ କହିଥିଲେ ଯେ ଆଶାରାମ ଅନେକ ଥର ହୃଦଘାତର ଶିକାର ହୋଇଛନ୍ତି । ସେ ବୟସାଧିକ୍ୟ ଜନିତ ରୋଗରେ ବି ପୀଡ଼ିତ । ରୋହତଗୀଙ୍କ ଯୁକ୍ତି ଶୁଣିବା ପରେ ଆଶାରାମଙ୍କ ଆବେଦନ ଉପରେ ଶୀଘ୍ର ଶୁଣାଣି କରିବାକୁ ହାଇକୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ନିଜ ଆଶ୍ରମରେ ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଯୋଧପୁରର ଏକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

ସେହିପରି ଆଉ ଏକ ବଳାତ୍କାର ମାମଲାରେ ଗୁଜରାଟର ଏକ କୋର୍ଟ ଜାନୁଆରୀ ୨୦୨୩ରେ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଥିଲେ ‌।

Exit mobile version