Site icon ଆଜିକାଲି

ଚଣ୍ଡିଗଡ଼ ମେୟର ନିର୍ବାଚନ ବିବାଦ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ, କହିଲେ ଗଣତନ୍ତ୍ରର ହତ୍ୟା

ନୂଆଦିଲ୍ଲୀ: ଆଜି ଚଣ୍ଡିଗଡ଼ ମେୟର ନିର୍ବାଚନ ଜାଲିଆତି ନେଇ ଆମ୍ ଆଦମୀ ପାର୍ଟି (ଆପ୍) ର ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଚଣ୍ଡିଗଡ଼ ମେୟର ନିର୍ବାଚନରେ ଜାଲିଆତି ହୋଇଛି ବୋଲି ମାନିବା ସହ ପ୍ରିଜାଇଡିଂ ଅଫିସରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ପ୍ରିଜାଇଡିଂ ଅଫିସର କିଛି ବାଲଟ୍ ପେପରକୁ ସନ୍ଦେହ ଜନକ ଭାବେ ନାକଚ କରିଥିବା କହିଛନ୍ତି କୋର୍ଟ‌। ଏହା ଗଣତନ୍ତ୍ରର ହତ୍ୟା ଓ‌ ଉପହାସ ବୋଲି କହିଛନ୍ତି ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ । ଏହା ଆମକୁ ଚକିତ କରିଛି। ଆମେ ଗଣତନ୍ତ୍ରର ଏପରି ହତ୍ୟା କରିବାକୁ ଅନୁମତି ଦେଇ ପାରିବୁ ନାହିଁ । ପ୍ରିଜାଇଡିଂ ଅଫିସରଙ୍କ ବିରୋଧରେ ମାମଲା ରୁଜୁ କରାଯିବା ଉଚିତ ବୋଲି କଡ଼ା ଟିପ୍ପଣୀ କରିଛନ୍ତି କୋର୍ଟ। ଚଣ୍ଡିଗଡ଼ ମେୟର ନିର୍ବାଚନ ପ୍ରକ୍ରିୟାର ଭିଡ଼ିଓ ସହ ସମସ୍ତ ଦସ୍ତାବିଜ୍ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ପଞ୍ଜାବ/ହରିୟାଣା ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ବାଲଟ ପେପର, ଭିଡିଓଗ୍ରାଫି ମଧ୍ୟ ସଂରକ୍ଷିତ ରଖିବାକୁ କହିଛନ୍ତିି ସର୍ବୋଚ୍ଚ ନ୍ୟାୟାଳୟ । ଚଣ୍ଡିଗଡ଼ ମେୟର ନିର୍ବାଚନକୁ ଚ୍ୟାଲେଞ୍ଜ କରି ଆପର ଜଣେ କର୍ପୋରେଟର କୁଲଦୀପ କୁମାରଙ୍କ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

ଜାନୁଆରୀ ୩୦ରେ ହୋଇଥିବା ଚଣ୍ଡିଗଡ଼ ମେୟର ନିର୍ବାଚନରେ କଂଗ୍ରେସ ସମର୍ଥିତ ଆମ୍ ଆଦମୀ ପାର୍ଟିର କୁଲଦୀପ କୁମାରଙ୍କୁ ପରାସ୍ତ କରି ବିଜେପି ପ୍ରାର୍ଥୀ ମନୋଜ ସୋନକର ବିଜୟୀ ହୋଇଥିଲେ। ଏହାଛଡ଼ା ବିଜେପି ସିନିୟର ଡେପୁଟି ମେୟର ଏବଂ ଡେପୁଟି ମେୟର ପଦରେ ମଧ୍ୟ ହାତେଇଥିଲା । ମେୟର ପଦ ନିର୍ବାଚନରେ ବିଜେପି ପ୍ରାର୍ଥୀ ସୋନକର ୧୬ ଖଣ୍ଡ ଭୋଟ୍ ପାଇଥିବାବେଳେ କୁମାରଙ୍କୁ ୧୨ଟି ଭୋଟ୍ ମିଳିଥିଲା । ୮ଟି ଭୋଟ୍ ଅବୈଧ ଘୋଷଣା କରାଯାଇଥିଲା।

ଫଳାଫଳ ଘୋଷଣା ହେବା ପରେ ବିରୋଧୀ ମେଣ୍ଟ ‘ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଏନ୍ସ’ (ଇଣ୍ଡିଆ)ରେ ସହଯୋଗୀ ଦଳ ଆପ୍ ଓ କଂଗ୍ରେସ ଏହାକୁ ବିରୋଧ କରିଥିଲେ। ଆପ୍ ଆବାହକ ଅରବିନ୍ଦ କେଜ୍ରିୱାଲ ବିଜେପି‌ ଜାଲିଆତି କରି ଜିତିଛି ବୋଲି ଅଭିଯୋଗ କରିଥିଲା। ଫଳାଫଳ ବିରୋଧରେ ହାଇକୋର୍ଟରୁ ଆଶ୍ବସ୍ତି ନ ମିଳିବା ପରେ ଆପ୍ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା ।

Exit mobile version