Site icon ଆଜିକାଲି

ଭୁବନେଶ୍ବରରେ ଦୁଇ ଦିନ ଧରି ଅନୁଷ୍ଠିତ ହେବ ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍‌ର ତୃତୀୟ ବୈଠକ

ନୂଆଦିଲ୍ଲୀ : ଆସନ୍ତା ୨୭ ଓ ୨୮ ତାରିଖ ଦୁଇ ଦିନ ଧରି ଭୁବନେଶ୍ବରରେ ଅନୁଷ୍ଠିତ ହେବ ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍‌ର ତୃତୀୟ ବୈଠକ । ଏଥିରେ ଜି-୨୦ ସମୂହ ଦେଶର ପ୍ରତିନିଧି ଯୋଗଦେବେ । ଏନେଇ ଉଚ୍ଚ ଶିକ୍ଷା ସଚିବ କେ. ସଞ୍ଜୟ ମୂର୍ତ୍ତି ଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଳ୍ପନା ଓ ମାର୍ଗଦର୍ଶନରେ ଶିକ୍ଷା ୱାର୍କିଂ ଗ୍ରୁପ ଅଧୀନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍‌ର ତୃତୀୟ ବୈଠକକୁ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁବାସ ସରକାର ଉଦ୍‌ଘାଟନ କରିବେ। ଅଧିକାରୀ ସ୍ତରୀୟ ବୈଠକରେ ପ୍ରାଥମିକ ସାକ୍ଷରତା ଓ ପରିସଂଖ୍ୟାନ, ପ୍ରଯୁକ୍ତିବିଦ୍ୟା ଅଧାରିତ ଶିକ୍ଷାଦାନ, ଭବିଷ୍ୟତର କାର୍ଯ୍ୟପନ୍ଥା ଏବଂ ସହଭାଗିତା ଭଳି ୪ଟି ମୁଖ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହେବ। ବୈଠକ ପୂର୍ବ ଦିନ ଭୁବନେଶ୍ବରସ୍ଥିତ ଆଇଆଇଏମ୍‌ଟିରେ ଜି-୨୦ ପ୍ରତିନିଧି ମଣ୍ଡଳୀ ଏକ ଆଲୋଚନାଚକ୍ର ଓ ପ୍ରଦର୍ଶନୀରେ ଯୋଗଦେବେ। ପ୍ରତିନିଧିମଣ୍ଡଳ ଏପ୍ରିଲ ୨୮ରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କାର୍ଯ୍ୟକ୍ରମ ରହିଛି। ଏପ୍ରିଲ ୨୩ରୁ ଏପ୍ରିଲ ୨୯ ପର୍ଯ୍ୟନ୍ତ ଜି-୨୦ ଭବିଷ୍ୟତର କାର୍ଯ୍ୟପନ୍ଥା ଉପରେ ପ୍ରଦର୍ଶନୀମାନ ଆୟୋଜିତ ହେବ ଓ ଏଥିରେ ୭୫ଟି ଅନୁଷ୍ଠାନ ଭାଗ ନେବେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ ଓ ଶିଳ୍ପ ସମୂହଙ୍କୁ ଯୋଡ଼ିବା ମୁଖ୍ୟ ଉଦ୍ଦେଶ୍ୟ ରହିବ। ଏଥି ସହିତ ରାଜ୍ୟର ସବୁ ଜିଲ୍ଲାରେ ଭାରତର ଜି-୨୦ ଅଧ୍ୟକ୍ଷତା ପ୍ରସଙ୍ଗରେ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ। ଏପ୍ରିଲ ପହିଲାରୁ ଓଡ଼ିଶାରେ ଜି-୨୦ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଜାରି ରହିଛି।

Exit mobile version