Site icon ଆଜିକାଲି

ଆଜିଠୁ ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ଗସ୍ତରେ ଯିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ : ଶିକ୍ଷାକ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଲକ୍ଷ୍ୟ

ଭୁବନେଶ୍ୱର : ଆଜିଠୁ  ୨୬  ତାରିଖ ପର୍ଯ୍ୟନ୍ତ ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ଗସ୍ତରେ  ଯାଉଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ । ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି  ତାଙ୍କ ଗସ୍ତର ଉଦ୍ଦେଶ୍ୟ । ପ୍ରଥମେ ସେ ଦୁଇଦିନିଆ  ସିଙ୍ଗାପୁର ଗସ୍ତରେ ରହିବେ । ରବିବାର ସେ ପ୍ରବାସୀ  ଭାରତୀୟଙ୍କୁ ସମ୍ବୋଧନ କରିବେ । ସୋମବାର ସେ  ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ଓଙ୍ଗ, ଉପପ୍ରଧାନମନ୍ତ୍ରୀ  ଗନ କିମ୍‌ ୟୋଙ୍ଗ, ଶିକ୍ଷାମନ୍ତ୍ରୀ ଚାନ୍‌ ଚୁନ ସିଙ୍ଗ ଏବଂ  ବିଦେଶ ମନ୍ତ୍ରୀ ଭିଭିଆନ ବାଲିକ୍ରିଷ୍ଣନଙ୍କୁ ଭେଟି  ଆଲୋଚନା କରିବେ । ସେ ସିଙ୍ଗାପୁର ଜାତୀୟ  ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବା ସହ ସ୍ଥାନୀୟ  ମାଧ୍ୟମିକ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ  କରିବେ । ଏଥିସହ ସେ ଆଇଆଇଟି ଓ ଆଇଆଇଏମ୍‌ର  ପ୍ରତିନିଧି ଓ ଶିକ୍ଷାବିତଙ୍କୁ ଭେଟି ଦୁଇଦେଶର ଶିକ୍ଷା  ବ୍ୟବସ୍ଥା ବିଷୟରେ ଆଲୋଚନା କରିବେ । 

ସେହିଭଳି ୩ ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଆସନ୍ତା  ୨୩ ତାରିଖରେ ସେ ମେଲବୋର୍ଣ୍ଣ ଠାରେ ସେଠାକାର  ଶିକ୍ଷାମନ୍ତ୍ରୀ ଜାସୋନ କ୍ଲାରଙ୍କ ସହିତ ଦ୍ୱିପାକ୍ଷିକ  ଆଲୋଚନା କରିବେ । ଏହି ଅବସରରେ ସେ ଅଷ୍ଟ୍ରେଲିଆ  ଆନ୍ତର୍ଜାତିକ ଶିକ୍ଷା ସମ୍ମିଳନୀରେ ଉଦ୍‌ବୋଧନ ଦେବେ । ଆରଏମ୍‌ଆଇଟି ବିଶ୍ୱବିଦ୍ୟାଳୟର ‘ଡିସ୍‌କଭରୀ ଟୁ  ଡିଭାଇସ୍‌’ କେନ୍ଦ୍ର ଏବଂ ମୋନାସ ବିଶ୍ୱବିଦ୍ୟାଳୟ  ପରିଦର୍ଶନ କରିବେ । ସେଠାରେ ସେ ଶିକ୍ଷାବିତ୍‌ ଓ  ବିଶେଷଜ୍ଞଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ  ରହିଛି । 

୨୪ ତାରିଖରେ ସେ ସିଡ୍‌ନୀ ଠାରେ ଅବୁର୍ଣ୍ଣ ଲଙ୍ଗ  ଡେ ଚାଇଲ୍ଡ କେୟାର ସେଣ୍ଟର ଯିବେ । ଇନୋଭେଟିଭ  ରିସର୍ଚ୍ଚ ୟୁନିର୍ଭର୍ସିଟିର ପ୍ରତିନିଧିଙ୍କ ସହ ଭାବ ବିନିମୟ  କରିବେ ଏବଂ ଦ୍ୱିତୀୟ ଅଷ୍ଟ୍ରଲିଆ-ଭାରତ ଶିକ୍ଷା ଓ  ଦକ୍ଷତା ପରିଷଦରେ ସାମିଲ ହେବେ । 

୨୫ ତାରିଖରେ  ସେ ଗ୍ରାନଭିଲେ ସାଉଥ କ୍ରିଏଟିଭ୍‌ ଆଣ୍ଡ ପରଫର୍ମିଂ ଆର୍ଟସ  ହାଇସ୍କୁଲ ପରିଦର୍ଶନ କରିବେ । ଏଥିସହ ମାକ୍ୱାରି ପାର୍କ ଇନୋଭେସନ ଡିଷ୍ଟ୍ରିକ୍ଟ (ଏମ୍‌ପିଆଇଡି) ବୁଲି ଯିବେ ।  ଏମ୍‌ପିଆଇଡି ହେଉଛି ୧୮୦ ବହୁରାଷ୍ଟ୍ରୀୟ କମ୍ପାନିର  କେନ୍ଦ୍ର । ସେଠାରେ ଟେଲିକମ୍ୟୁନିକେସନ, ଡିଜିଟାଲ  ଇଣ୍ଡଷ୍ଟ୍ରିଜ, ମେଡିକାଲ ଟେକ୍ନୋଲୋଜି ଓ ଫାର୍ମାସ୍ୟୁଟିକାଲ୍ସ  ଭଳି ଅନେକ କମ୍ପାନି ରହିଛନ୍ତି ।

Exit mobile version