Site icon ଆଜିକାଲି

ମଣିପୁରରେ ଜାରି ରହିଛି ଉତ୍ତେଜନା, ଏକ ମାସ ହେଲା ହନ୍ତସନ୍ତ ହେଉଛନ୍ତି ଲୋକ

ଇମ୍ଫାଲ: ମଣିପୁରରେ ଗତ ଏକ ମାସ ହେଲା ଉତ୍ତେଜନା ଜାରି ରହିଛି । ମୈଇତି ଓ କୁକି ସମୁଦାୟ ମଧ୍ୟରେ ହିଂସାକୁ ନେଇ ରାଜ୍ୟରେ ସ୍ଥିତି ଜଟିଳ ହୋଇଛି । ଜାତୀୟ ରାଜପଥରେ ଚକା ଜାମ୍ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଲୋକ । ୨ନମ୍ବର ନ୍ୟାସନାଲ ହାଇଓ୍ବେ ଅବରୋଧ ଯୋଗୁ ଇମ୍ଫାଲ ଘାଟିରେ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଦେଖିବାକୁ ମିଳିଛି । ମହଙ୍ଗାମାଡ଼ ଯୋଗୁ ବିଭିନ୍ନ ସାମଗ୍ରୀ ଆକାଶଛୁଆଁ ଦାମ୍ ହୋଇଛି । ପେଟ୍ରୋଲ୍ ଲିଟର ୨୦୦ଟଙ୍କା ପାର୍ କରିଛି । ସେହିପରି ଟଙ୍କା ଉଠାଇବାକୁ ଏଟିଏମରେ ଲୋକଙ୍କ ଲମ୍ବା ଲାଇନ୍ ଲାଗିଛି ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କେବଳ ପେଟ୍ରୋଲ ନୁହେଁ, ମଣିପୁରରେ ଜୀବନ ରକ୍ଷାକାରୀ ଔଷଧର ଘୋର ଅଭାବ ଦେଖାଦେଇଛି । କର୍ଫ୍ୟୁ କୋହଳ ହେବା ମାତ୍ରେ ଦିନରେ କିଛି ଘଣ୍ଟା ପାଇଁ ଦୋକାନ ବଜାର ଖୋଲୁଛି । ମଣିପୁର ହିଂସା ପାଇଁ ଇମ୍ଫାଲ ଘାଟିରେ ସଂଘର୍ଷ କରୁଛନ୍ତି ଲୋକେ । ଜାତୀୟ ରାଜପଥ ବ୍ଲକ୍ ହୋଇଥିବାରୁ ଦେଶର ଗୋଟିଏ ଅଞ୍ଚଳର ବିଚ୍ଛିନ୍ନ ହୋଇଛି । ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଯୋଗୁ ଏହାର ପ୍ରଭାବ ଲୋକଙ୍କ ଉପରେ ପଡ଼ିଛି । ଅଧିକାଂଶ ଲୋକ ଜୀବିକା ହରାଇଛନ୍ତି । ପେଟ୍ରୋଲ୍, ମେଡିସିନ୍ ଓ ଅନ୍ୟ ସାମଗ୍ରୀ ମହଙ୍ଗା ହୋଇଛି ।

ମଣିପୁର ହିଂସା ଯୋଗୁ ରାସନ ସାମଗ୍ରୀର ମୂଲ୍ୟ ବଢ଼ିଯାଇଛି । ଚାଉଳ କିଲୋଗ୍ରାମ ପ୍ରତି ଦାମ୍ ୩୦ରୁ ୬୦ଟଙ୍କାରେ ପହଞ୍ଚିଛି । ସେହିପରି ପରିବା ମୂଲ୍ୟ ବୃଦ୍ଧି ଯୋଗୁ ଏହାର ପ୍ରଭାବ ହାଣ୍ଡିଶାଳରେ ପଡିଛି । ପିଆଜ ପୂର୍ବରୁ ୩୫ଟଙ୍କା ଥିଲା, ହେଲେ ଏବେ ଏହା ୭୦ଟଙ୍କାରେ ପହଞ୍ଚିଛି । ଆଳୁ କେଜି ୧୫ରୁ ବଢି ୪୦ଟଙ୍କାରେ ପହଞ୍ଚିଛି । ୬ଟଙ୍କାରେ ବିକ୍ରି ହେଉଥିବା ଅଣ୍ଡା ୧୦ଟଙ୍କାରେ ଲୋକଙ୍କୁ କିଣିବାକୁ ପଡ଼ୁଛି । ରୋଷେଇ ତେଲ ୨୨୦ରୁ ୨୮୦ ଟଙ୍କାରେ ପହଞ୍ଚିଛି ।

ମେ’ ୩ ତାରିଖରେ ମଣିପୁରରେ ଅଲ୍ ଟ୍ରାଇବାଲ୍ ଷ୍ଟୁଡେଣ୍ଟ ୟୁନିୟନ, ମଣିପୁର ଏଟିଏସୟୁଏମ, ମେଈତି ସମୁଦାୟକୁ ଅନୁସୂଚିତ ଜାତିରେ ସାମିଲ କରିବାକୁ ଦାବିକୁ ବିରୋଧ କରିଥିଲେ । ଯାହାକୁ ନେଇ ମୈଈତି ସମାଜ ଓ କୁକି ସମୁଦାୟ ମଧ୍ୟରେ ସଂଘର୍ଷ ହୋଇଥିଲା । ତେବେ ଏଯାଏଁ ଏହି ହିଂସା ଜାରି ରହିଛି।

ସୂଚନା ଅନୁଯାୟୀ, ହିଂସାରେ ଦୁଇ ସମୁଦାୟର ସର୍ବାଧିକ କ୍ଷତି ହୋଇଛି । ରାଜ୍ୟ ସରକାରଙ୍କ ରିପୋର୍ଟ ଅନୁଯାୟୀ, ମୃତକଙ୍କ ସଂଖ୍ୟା ୯୮ ଛୁଇଁଥିବା ବେଳେ ୩୧୦ଜଣ ହିଂସାରେ ଆହତ ହୋଇଛନ୍ତି । ଉଭୟ ସମୁଦାୟଙ୍କୁ ଘରଦ୍ବାର ଛାଡ଼ିବାକୁ ପଡ଼ିଛି । ଏମାନେ ଦିଲ୍ଲୀ, ଦିସପୁର ଓ ଗୌହାଟୀ ଭଳି ସହରରେ ଶରଣାର୍ଥୀ ହୋଇ ଆଶ୍ରୟ ନେଇଛନ୍ତି।

Exit mobile version