Site icon ଆଜିକାଲି

ଦେଶରେ ଚାଲିଛି ଘୃଣାର ଲହର, ମୁସଲିମଙ୍କ ‘ମନ୍ କି ବାତ୍’ ଶୁଣନ୍ତୁ ପ୍ରଧାନମନ୍ତ୍ରୀ : ଅହମ୍ମଦ ବୁଖାରି

ନୂଆଦିଲ୍ଲୀ: ଦିଲ୍ଲୀ ଜାମା ମସଜିଦର ଶାହି ଇମାମ ସହିଦ ଅହମ୍ମଦ ବୁଖାରି ମୁସଲିମ ସମ୍ପ୍ରଦାୟ ଉପରେ ହେଉଥିବା ଆକ୍ରମଣ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ମୁସଲିମ ସମ୍ପ୍ରଦାୟର ଲୋକଙ୍କ ମନର କଥା ଶୁଣିବାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି। ଦେଶରେ ମୁସଲିମ ମାନଙ୍କ ପ୍ରତି ଘୃଣା ଏବଂ ସାମ୍ପ୍ରଦାୟିକ ହିଂସା ରୋକିବାରେ ସରକାର ଏବଂ ଆଇନ ବିଫଳ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଶୁକ୍ରବାର ନମାଜ ପୂର୍ବରୁ ସେ ଏକ ବୟାନରେ କହିଛନ୍ତି ଯେ ଏହି ସରକାର ମୁସଲିମ ମାନଙ୍କୁ ଘୃଣା କରନ୍ତି। ସରକାର ଆମକୁ ହଇରାଣ କରୁଛନ୍ତି। ନିର୍ବାଚନ ସମୟରେ ଗୋଟିଏ ଧର୍ମର ଲୋକଙ୍କୁ ଜାଣିଶୁଣି ଟାର୍ଗେଟ୍ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଶାହି ଇମାମ ବୁଖାରି କହିଛନ୍ତି ଯେ ନିକଟରେ ହରିୟାଣାର ନୁହ ଜିଲ୍ଲାର ମେୱାଟରେ ମୁସଲିମ ମାନଙ୍କ ଘର ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଇଥିଲା । ସେମାନଙ୍କୁ ଖୋଲା ଆକାଶ ତଳେ ରହିବାକୁ ବାଧ୍ୟ କରାଯାଉଛି।

ସମ୍ପ୍ରତି ସାରା ଦେଶରେ ସାମ୍ପ୍ରଦାୟିକ ତତ୍ତ୍ବଙ୍କ ପ୍ରାଧାନ୍ୟ ରହିଛି । ଦେଶ ତଥା ସମାଜ ପାଇଁ ଏହା ଏକ ବିପଜ୍ଜନକ ପରିସ୍ଥିତି । ନୁହ, ମେୱାଟ ସହ ହରିୟାଣାର ଅନେକ ଅଞ୍ଚଳରେ ପଞ୍ଚାୟତ କରି ମୁସଲିମ ସମ୍ପ୍ରଦାୟର ଲୋକଙ୍କୁ ଧମକ ଦିଆଯାଉଛି। ମୁସଲିମ ସମ୍ପ୍ରଦାୟକୁ ବାସନ୍ଦ କରିବାକୁ ହିନ୍ଦୁମାନଙ୍କୁ କୁହାଯାଉଛି। ସେ କହିଛନ୍ତି ଯେ ହିନ୍ଦୁ ମୈଳବାଦୀମାନେ ଦେଶର ସାମ୍ପ୍ରଦାୟିକ ମାହୋଲକୁ ନଷ୍ଟ କରଦେଲେଣି। କ’ଣ ଏହା ଦେଖିବା ପାଇଁ ଆମ ପୂର୍ବପୁରୁଷମାନେ ଏହି ଦେଶକୁ ସ୍ବାଧୀନ କରିଥିଲେ କି ବୋଲି ସେ ପ୍ରଶ୍ନ କରିଛନ୍ତି।

ଲୋକମାନଙ୍କୁ ସଜାଗ ରହିବାକୁ ଇମାମ ବୁଖାରୀ ଚେତାବନୀ ଦେଇଛନ୍ତି। ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏସବୁ କରାଯାଉଛି ବୋଲି ସେ କହିଛନ୍ତି। ସେ କହିଛନ୍ତି, କୌଣସି ଦଳ ସବୁଦିନ ପାଇଁ କ୍ଷମତାରେ ରହିବେ ନାହିଁ। ପ୍ରଧାନମନ୍ତ୍ରୀ ଦେଶର ପରିସ୍ଥିତିକୁ ବୁଝିବା ଉଚିତ୍। ପ୍ରଧାନମନ୍ତ୍ରୀ ନିଜ ‘ମନ୍ କି ବାତ୍’ ଲୋକଙ୍କୁ କହୁଛନ୍ତି । ଏବେ ସେ ମୁସଲିମ ମାନଙ୍କ ‘ମନ୍ କି ବାତ୍’ ଶୁଣନ୍ତୁ । ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ମୁସଲିମଙ୍କୁ ନ୍ୟାୟ ମିଳିଲା ନାହିଁ ବୋଲି ଶାହି ଇମାମ ବୁଖାରି କହିଛନ୍ତି ।

Exit mobile version