Site icon ଆଜିକାଲି

ତୃତୀୟ ଦିନିକିଆ : ୮ ଓ୍ଵିକେଟ୍ ହରାଇ ୨୮୯ ରନ କଲା ଭାରତ

ହରାରେ : ଜିମ୍ବାୱେ ବିପକ୍ଷ ଏକଦିବସୀୟ ଶୃଙ୍ଖଳାକୁ ଆଗୁଆ ୨-୦ରେ ଜିତି ନେଇଥିବା ଭାରତୀୟ କ୍ରିକେଟ୍ ଦଳ ଏବେ ଶୃଙ୍ଖଳା ମୂଳପୋଛ ଉପରେ ଆଖି ପକାଇଛି। ସୋମବାର ଖେଳାଯିବାକୁ ଥିବା ତିନି ଟିକିଆ ଶୃଙ୍ଖଳାର ତୃତୀୟ ତଥା ‌ଶେଷ ମୁକାବିଲାରେ ଭାରତ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୨୮୯ ରନ କରିଛି । ଏହି ମ୍ୟାଚରେ ଶୁଭମାନ ଗିଲ୍ ଦିନିକିଆ ଅନ୍ତର୍ଜାତୀୟ ନିଜର ପ୍ରଥମ ଶତକ ହାସଲ କରିଛନ୍ତି। ଗିଲ୍‌ଙ୍କ ୧୩୦ ରନର ଇନିଂସ ବଳରେ ଭାରତ ଏହି ସ୍କୋର କରି ପାରିଛି। ଇଶାନ କିଷନ ୫୦ ରନ କରିଥିବା ବେଳେ ଶିଖର ଧାଓ୍ଵନ ୪୦ ଏବଂ ଅଧିନାୟକ କେଏଲ ରାହୁଲ ୩୦ ରନ କରିଛନ୍ତି। ଜିମ୍ବାଓ୍ଵେ ପକ୍ଷରୁ ବ୍ରାଡ ଇଭାନ୍ସ ୫ ଓ୍ଵିକେଟ୍ ନେଇଛନ୍ତି। ଫଳରେ ଜିମ୍ବାଓ୍ଵେକୁ ଜିତିବା ପାଇଁ ୨୯୦ ରନର ଆବଶ୍ୟକ ରହିଛି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତକୁ ଦୁଇ ଓପନର ଶିଖର ଧାଓ୍ଵନ ଏବଂ ଅଧିନାୟକ କେଏଲ ରାହୁଲ ଭଲ ଆରମ୍ଭ ଦେଇଥିଲେ। ଉଭୟ ଓପନିଂରେ ୬୩ ରନ ଯୋଡିଥିଲେ। କେଏଲ ରାହୁଲ ୩୦ ରନ କରି ଆଉଟ୍ ହୋଇଥିଲେ। ପରେ ଶିଖର ଧାଓ୍ଵନ ୪୦ ରନର ଭଲ ବ୍ୟାଟିଂ କରି ପାଭିଲିୟନ ଫେରିଥିଲେ। ଏହା ପରେ ଶୁଭମାନ ଗିଲ୍ ଏବଂ ଇଶାନ କିଷନ ଦମଦାର ବ୍ୟାଟିଂ କରି ଦଳର ସ୍କୋରକୁ ଆଗେଇ ନେଇଥିଲେ। ଚମତ୍କାର ଫର୍ମରେ ଥିବା ଗିଲ୍‌ କିଷନଙ୍କ ସହ ତୃତୀୟ ଓ୍ଵିକେଟ୍‌ରେ ୧୪୦ ରନ ଯୋଡିଥିଲେ। ୨୨୪ ରନ ସ୍କୋରରେ ଇଶାନ କିଷନ ପାଭିଲିୟନ ଫେରିଥିଲେ। ସେ ୬୧ ବଲରୁ ୬ ଚୌକା ସହ ୫୦ ରନ କରି ପାଭିଲିୟନ ଫେରିଥିଲେ। ଅନ୍ୟପଟେ ଗିଲ୍ ଦମଦାର ବ୍ୟାଟିଂ କରି ଦିନିକିଆ ଅନ୍ତର୍ଜାତୀୟରେ ପ୍ରଥମ ଶତକ ଅର୍ଜନ କରିଥିଲେ। ଗୋଟିଏ ପଟେ ଗିଲ୍ ଇନିଂସ ସମ୍ଭାଳିଥିବା ବେଳେ ଶେଷ ଆଡକୁ ଭାରତ ଦ୍ରୁତ ରନ ସଂଗ୍ରହ କରିବା ଚେଷ୍ଟାରେ ସଅଳ ଓ୍ଵିକେଟ୍ ହରାଇଥିଲା। ଦୀପକ ହୁଡ୍ଡା(୧), ସଞ୍ଜୁ ସାମସନ(୧୫) ଏବଂ ଅକ୍ଷର ପଟେଲ୍(୧) ପାଭିଲିୟନ ଫେରିଥିଲେ। ଶେଷରେ ଭାରତ ୮ ଓ୍ଵିକେଟ୍ ହରାଇ ୨୮୯ ରନ କରିଥିଲା। ଶେଷ ଓଭରରେ ଗିଲ୍ ୧୩୦ ରନ ଚମତ୍କାର ଇନିଂସ ଖେଳି ଆଉଟ୍ ହୋଇଥିଲେ। ୯୬ ବଲର ସମ୍ମୁଖୀନ ହୋଇ ଗିଲ୍ ୧୫ ଚୌକା ଏବଂ ୧ ଛକା ମାରିଛନ୍ତି। ଏକଦା ୪୨ ଓଭରରେ ୨ ଓ୍ଵିକେଟ୍ ହରାଇ ୨୨୪ ରନ କରିଥିବା ଭାରତ ୮ ଓଭରରେ ୬୫ ରନ କରି ୬ ଓ୍ଵିକେଟ୍ ହରାଇଥିଲା।

Exit mobile version