Site icon ଆଜିକାଲି

ଏଥର ବି ଇଡିରେ ହାଜର ହେବେନି କେଜ୍ରିୱାଲ, ସମନ ନୋଟିସକୁ ବେଆଇନ କହିଲେ

ନୂଆଦିଲ୍ଲୀ : ପୁଣି ଇଡି ନୋଟିସ୍ ଏଡ଼ାଇଛନ୍ତି ଅରବିନ୍ଦ କେଜ୍ରିୱାଲ। ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଜେରା ପାଇଁ ତାଙ୍କୁ ଆଜି ହାଜର ହେବାକୁ ସମନ କରିଥିଲା ଇଡି । ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏଥର ବି କେନ୍ଦ୍ରୀୟ ସଂସ୍ଥାରେ ହାଜର ହେବେ ନାହିଁ । ଇଡି ନୋଟିସର ଜବାବ ଦେଇ କେଜ୍ରିୱାଲ କହିଛନ୍ତି, ଗତଥର ଭଳି ଏହି ସମନ ନୋଟିସ୍ ମଧ୍ୟ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ।

କେଜ୍ରିୱାଲ ୧୦ ଦିନିଆ ବିପାସାନା ଧ୍ୟାନ ପାଠ୍ୟକ୍ରମ ପାଇଁ ବୁଧବାର ଠାରୁ ଏକ ଅଜ୍ଞାତ ସ୍ଥାନକୁ ଯାଇଛନ୍ତି । ଏହି ଅବଧି ମଧ୍ୟରେ କେଜ୍ରିୱାଲ କାହାକୁ ଭେଟିବେ ନାହିଁ | ଆପ୍ କର୍ମକର୍ତ୍ତା ଓ ନେତାମାନେ ବିପାସାନା ଧ୍ୟାନ ପାଠ୍ୟକ୍ରମ ପାଇଁ କେଜ୍ରିୱାଲ ଅଜ୍ଞାତ ସ୍ଥାନକୁ ଯାଇଥିବା କଥା କହୁଥିଲେ ମଧ୍ୟ ସେ ପଞ୍ଜାବର ହୋସିଆରପୁର ଆନନ୍ଦଗଡ‌ ଗ୍ରାମ ଯାଇଥିବା ଜଣାପଡ଼ିଛି । ଏଠାରେ ଏକ ପାହାଡ଼ ଗୁମ୍ଫାରେ ସେ ୧୦ ଦିନ ଧ୍ୟାନ କରିବେ । ଏଥିପାଇଁ ଏଠାରେ ୫୦୦ରୁ ଅଧିକ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ଉପରେ ଏସପି ଏବଂ ଡିଏସପି ସ୍ତରର ଅଧିକାରୀମାନେ ନଜର ରଖିବେ। ଧ୍ୟାନ କେନ୍ଦ୍ର ଚାରିପଟେ ବ୍ୟାରିକେଡ୍ ଲଗାଯାଇଛି |

ଏହା ପୂର୍ବରୁ ଇଡି ନଭେମ୍ବର ୨ରେ ହାଜର ହେବାକୁ ତାଙ୍କୁ ନୋଟିସ୍ ପଠାଇଥିଲା । ହେଲେ ପାଞ୍ଚ ରାଜ୍ୟରେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା ଦର୍ଶାଇ କେଜ୍ରିୱାଲ ହାଜର ହୋଇନଥିଲେ। ସେ କେନ୍ଦ୍ରୀୟ ସଂସ୍ଥାକୁ ଚିଠି ଲେଖି ତାଙ୍କ ବିରୋଧରେ ନୋଟିସକୁ ବେଆଇନ କହିଥିଲେ । ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହି ପ୍ରତ୍ୟାହାର କରିବାକୁ କହିଥିଲେ କେଜ୍ରିୱାଲ ‌।

Exit mobile version