Site icon ଆଜିକାଲି

ଟାଇମ୍ ମାଗାଜିନର ଟପ୍ ୧୦୦ ପ୍ରଭାବଶାଳୀ କମ୍ପାନୀ ତାଲିକାରେ ରିଲାଏନ୍ସ, ଟାଟା ଓ ସେରମ୍

ନୂଆଦିଲ୍ଲୀ: ଆମେରିକାର ଟାଇମ୍ ମାଗାଜିନ ତରଫରୁ ୨୦୨୪ର ବିଶ୍ବର ପ୍ରଭାବଶାଳୀ କମ୍ପାନୀ ଗୁଡିକର ଏକ ତାଲିକା ପ୍ରକାଶ କରାଯାଇଛି । ଏହି ତାଲିକାରେ ତିନୋଟି ଭାରତୀୟ କମ୍ପାନୀ ସ୍ଥାନ ପାଇଛନ୍ତି। ଟାଇମ୍ ମାଗାଜିନର ଟପ୍ ୧୦୦ ପ୍ରଭାବଶାଳୀ କମ୍ପାନୀ ମଧ୍ୟରେ ସ୍ଥାନ ପାଇଥିବା ତିନି ଭାରତୀୟ କମ୍ପାନୀ ହେଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଅଦର ପୁନାୱାଲାଙ୍କ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଟାଟା ଗ୍ରୁପ୍ ।

ଏହି ତାଲିକାକୁ ୫ଟି ବର୍ଗରେ ବିଭକ୍ତ କରାଯାଇଛି ଯଥା – ଲିଡର୍ସ, ଡିସରପ୍ଟର୍ସ, ଇନୋଭେଟର୍ସ, ଟାଇଟନ୍ସ ଏବଂ ପାୟୋନିୟର୍ସ । ରିଲାଏନ୍ସ ଏବଂ ଟାଟା ଗ୍ରୁପ୍ ଟାଇଟନ୍ସ ବର୍ଗରେ ସ୍ଥାନ ପାଇଛନ୍ତି । ଯେତେବେଳେ କି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପାୟୋନିୟର୍ସ ବର୍ଗରେ ମନୋନୀତ ହୋଇଛି ‌। ପ୍ରତ୍ୟେକ ବର୍ଗରେ ୨୦ଟି କମ୍ପାନୀକୁ ସାମିଲ କରାଯାଇଛି ।

ଟାଇମ୍ ମାଗାଜିନ୍ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କୁ ଭାରତର ‘ଜଗର୍ନଟ୍’ ଆଖ୍ୟା ଦେଇଛି | ଏହି ତାଲିକା ସେୟାର କରିବା ଟାଇମ୍ ମାଗାଜିନ୍ ରିଲାଏନ୍ସ ବିଷୟରେ ଲେଖିଛି ଯେ, ଏହା ଏକ କପଡ଼ା ଏବଂ ପଲିଷ୍ଟର କମ୍ପାନୀ ଭାବେ ଆରମ୍ଭ ହୋଇଥିଲା, ଯାହା ଆଜି ବିଶ୍ବର ଅଗ୍ରଣୀ କମ୍ପାନୀ ସମୂହ ମଧ୍ୟରେ ସ୍ଥାନ ପାଇଛି | ଏହାଛଡ଼ା ଏହା ଭାରତର ସବୁଠାରୁ ମୂଲ୍ୟବାନ କମ୍ପାନୀ ହୋଇପାରିଛି |

ମୁକେଶ ଅମ୍ବାନୀଙ୍କ ନେତୃତ୍ୱରେ ରିଲାଏନ୍ସ ଗ୍ରୁପ୍ ଦ୍ବିତୀୟ ଥର ଟାଇମ୍ ତାଲିକାରେ ସ୍ଥାନ ପାଇଛି । ଏହା ପୂର୍ବରୁ ଜିଓ ପ୍ଲାଟଫର୍ମକୁ ୨୦୨୧ରେ ଟାଇମ୍ ର ଟପ୍ ୧୦୦ ପ୍ରଭାବଶାଳୀ କମ୍ପାନୀଙ୍କ ପ୍ରାଥମିକ ତାଲିକାରେ ସାମିଲ କରାଯାଇଥିଲା |

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବ୍ୟତୀତ ଭାରତର ଟାଟା ଗ୍ରୁପକୁ ମଧ୍ୟ ବିଶ୍ବର ୧୦୦ ପ୍ରଭାବଶାଳୀ କମ୍ପାନୀ ଭିତରୁ ଗୋଟିଏ ବୋଲି ଟାଇମ୍ କହିଛି | ଟାଇମ୍ ମାଗାଜିନ୍ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ କମ୍ପାନୀ ଭାବେ ନିଜ ତାଲିକାରେ ସାମିଲ କରିଛି। ସେରମ୍ ପ୍ରତିବର୍ଷ ୩.୫ ବିଲିୟନ ଡୋଜ୍ ଟିକା ଉତ୍ପାଦନ କରିଥାଏ |

କରୋନା ମହାମାରୀ ସମୟରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଟିକା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିଥିଲା। ଟାଟା ଗ୍ରୁପ୍ ବିଷୟରେ ଟାଇମ୍ କହିଛି ଯେ ଟାଟା ଗ୍ରୁପ୍ ହେଉଛି ଭାରତର ଅନ୍ୟତମ ପୁରାତନ କମ୍ପାନୀ। ଏହାର ବିସ୍ତୃତ ପୋର୍ଟଫୋଲିଓ ଇସ୍ପାତ, ସଫ୍ଟୱେର୍, ଘଣ୍ଟା ଏବଂ ରାସାୟନିକ ପଦାର୍ଥଠାରୁ ଲୁଣ, ଖାଦ୍ୟଶସ୍ୟ ଏବଂ ଏୟାର କଣ୍ଡିସନର ପର୍ଯ୍ୟନ୍ତ ବିସ୍ତାରିତ | ଏହା ପ୍ରଥମ ଭାରତୀୟ କମ୍ପାନୀ ଭାବେ ୨୦୨୩ ମସିହାରେ ଆଇଫୋନ୍ ଆସେମ୍ବଲ୍ କରିଥିଲା ।

FacebookTwitterLinkedinWhatsapp
Exit mobile version