Site icon ଆଜିକାଲି

ଆଜି ପବିତ୍ର ଗାନ୍ଧୀ ଜୟନ୍ତି

ଆଜି ପବିତ୍ର ଗାନ୍ଧୀ ଜୟନ୍ତି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିନ । ସତ୍ୟ , ଅହିଂସାର ପୂଜାରୀ ତଥା ଭାରତକୁ ସ୍ୱାଧୀନତା ଦେବାରେ ପ୍ରମୁଖ ଭୂମିକା ନେଇଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିବସକୁ ଗାନ୍ଧୀ ଜୟନ୍ତୀ ଭାବେ ପାଳନ କରାଯାଏ । ଦେଶବ୍ୟାପୀ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଦେଇ ସମସ୍ତ ଗାନ୍ଧୀଜୀଙ୍କ ଅବଦାନକୁ ସ୍ମରଣ କରିଥାନ୍ତି । ଜାତିର ପିତା ମହାତ୍ମାଗାନ୍ଧୀ କେବଳ ଭାରତ ଇତିହାସରେ ନୁହେଁ ସମଗ୍ର ବିଶ୍ୱରେ ଜଣେ ମହାମାନବ ଭାବରେ ସୁପରିଚିତ । ଭାରତୀୟ ରାଜନୀତିରେ ମହାତ୍ମାଗାନ୍ଧୀଙ୍କ ପ୍ରବେଶ ଭାରତର ମୁକ୍ତି ସଂଗ୍ରାମକୁ ଏକ ନୁଆ ମୋଡ ଦେଇଥିଲା । ଏହି ସଂଗ୍ରାମ ସମୟରେ ସେ ସତ୍ୟ ଓ ଅହିଂସା ଉପରେ ଆଧାରିତ ନୂତନ ଅସ୍ତ୍ର ସତ୍ୟାଗ୍ରହର ପ୍ରବର୍ତ୍ତନ କରିଥିଲେ ।

ଏହା ଏକ ଅଭିନବ ଅସ୍ତ୍ର ଯାହାର ପ୍ରୟୋଗରେ ରକ୍ତପାତ ନଥିଲା, କାହା ପାଖରେ ଲୁହ ନଥିଲା, ଅଥଚ ଯୁଦ୍ଧ ଜୟ ଥିଲା । ସେ ଦୃଷ୍ଟିରୁ ବିଚାର କଲେ ସେ ଥିଲେ ଶ୍ରେଷ୍ଠମାନଙ୍କ ମଧ୍ୟରେ ଶ୍ରେଷ୍ଠତ୍ତମ । ବୋଧହୁଏ ବୁଦ୍ଧ ଓ ଯୀଶୁଙ୍କ ପରେ ମହାତ୍ମାଗାନ୍ଧୀ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ ସମଗ୍ର ବିଶ୍ୱର ଜନଜୀବନରେ ଗଭୀର ପ୍ରଭାବ ସୃଷ୍ଟି କରିପାରିଥିଲେ । ବିଶିଷ୍ଟ ବୈଜ୍ଞାନିକ ଆଇନଷ୍ଟାଇନ୍‌ଙ୍କ ମତରେ – “ଆଗାମୀ ବଂଶଧର କ୍ୱଚିତ୍ ବିଶ୍ୱାସ କରିପାରନ୍ତି ଯେ ଏମିତି ଜଣେ ରକ୍ତ-ମାଂସ ଧାରି ବ୍ୟକ୍ତି ଏ ପୃଥିବୀପୃଷ୍ଠରେ ପଦାର୍ପଣ କରିଥିଲେ ।”

ମହାତ୍ମାଗାନ୍ଧୀଙ୍କ ଆଦର୍ଶ ସମକାଳୀନ ବିଶ୍ୱରେ ଥିଲା ବିରଳ । ସତ୍ୟ ଓ ଅହିଂସା ଥିଲା ତାଙ୍କର ଅମୋଘ ଅସ୍ତ୍ର । ୧୮୯୩ ମସିହାରୁ ୧୯୧୪ ମସିହା ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ରହଣି ମଧ୍ୟରେ ଗାନ୍ଧିଜୀ ସେଠାକାର ଗୋରା ସରକାରଙ୍କ ବିରୋଧରେ ଯେଉଁ ଅମୋଘ ଅସ୍ତ୍ର ପ୍ରୟୋଗ କରିଥିଲେ ତାହା ସତ୍ୟାଗ୍ରହ ନାମରେ ପରିଚିତ । ଅହିଂସା ଆନ୍ଦୋଳନକୁ ଜାରି ରଖି ଦକ୍ଷିଣ ଆଫ୍ରିକାର ଜନସାଧାରଣମାନଙ୍କ ଅଧିକାର, ସମାନତା ଓ କଳାଗୋରା ଭେଦଭାବର ପରିସମାପ୍ତି ଘଟାଇଥିଲେ ।

Exit mobile version