Site icon ଆଜିକାଲି

ଏସିଆ କପ ୨୦୨୩ ରେ ଆଜି ଭାରତ ଓ ପାକିସ୍ତାନ ମହା ମୁକାବିଲା

ନୂଆଦିଲ୍ଲୀ : ପାକିସ୍ତାନ ଓ ଶ୍ରୀଲଙ୍କାରେ ଖେଳାଯାଉଥିବା ଏସିଆ କପରେ ଶନିବାର ସବୁଠୁ ବଡ଼ ଓ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଖେଳାଯିବ । ଶ୍ରୀଲଙ୍କାର ପାଲେକେଲ ଷ୍ଟାଡ଼ିୟମରେ ମୁହାଁମହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ତେବେ ଏହି ମ୍ୟାଚକୁ ସବୁ ବଡ଼ ମ୍ୟାଚ ଭାବେ ବିବେଚନା କରାଯାଉଛି । ୨୦୧୯ ଦିନିକିଆ ବିଶ୍ବକପ୍‌ ପରଠାରୁ ଦୁଇ ଦଳ ପରସ୍ପରକୁ ଦିନିକିଆରେ ‌ପ୍ରଥମ ଥର ଭେଟିବାକୁ ଯାଉଛନ୍ତି। ଏହି ବିଗତ ୪ ବର୍ଷ ମଧ୍ୟରେ ପାକିସ୍ତାନ ୨୯ ଦିନିକିଆ ଖେଳଥିବା ବେଳେ ଭାରତ ୫୭ ମ୍ୟାଚ୍‌ ଖେଳିସାରିଛି। ଏସିଆ କପ୍‌ରେ ଦୁଇ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ଯରେ ପ୍ରାୟ ୧୩ ଥର ମୁକାବିଲା ହୋଇଥିବା ବେଳେ ସେଥିରେ ଭାରତ ୭ ଥର ଓ ପାକିସ୍ତାନ ୫ ଥର ବିଜୟୀ ହୋଇଥିଲା । ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା ।

ଦିନିକିଆ (ଦିନିକିଆ) ମାନ୍ୟତାରେ ପାକିସ୍ତାନ ୧ ନମ୍ବର ସ୍ଥାନରେ ରହିଥିବା ବେଳେ ଭାରତ ୩ ନମ୍ବରରେ ରହିଛି। ସେପଟେ ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ ହେବା ନେଇ ମଧ୍ଯ ଆଶଙ୍କା ରହିଛି । କାରଣ ଶ୍ରୀଲଙ୍କାର ପାଲେକେଲ ଅଞ୍ଚଳରେ ଶନିବାର ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ୯୧ % ବର୍ଷା ହେବା ନେଇ ଆଶଙ୍କା ଥିବା ବିଭାଗ କହିଛି ।

ସୂଚନା ଅନୁଯାୟୀ, ଶନିବାର ଦିନ ଖେଳା ଯିବାକୁ ଥିବା ଭାରତ ଓ ପାକିସ୍ତାନ ମଧ୍ୟରେ ସୁସ୍ଥ ବୋଲିଂ ଓ ବ୍ୟାଟିଂ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବ । ଭାରତ ପକ୍ଷରୁ ଓପନର ଭାବେ ରୋହିତ ଶର୍ମା, ବିରାଟ କୋହଲି ଓ ଶୁଭମନ ଗିଲ୍‌ଙ୍କୁ ରହିଥିବା ବେଳେ ପାକିସ୍ତାନ ଆଫ୍ରିଦି, ହାରିସ୍‌ ଓ ନସିମ ଶାହଙ୍କୁ ପ୍ରସ୍ତୁତ ରଖିଛି । ତେବେ ଉଭୟ ଦଳର ମିଡ଼ଲ ଅର୍ଡ଼ରରେ କିଏ ଓ କେଉଁଠାରେ ଖେଳିବେ ତାହାକୁ ନେଇ ଏବେ ବି ସସ୍‌ପେନ୍ସ ରହିଛି। ଈଶାନ କିଶନ ୱିକେଟ୍‌ କିପର ଭୂମିକା ତୁଲାଇବେ । ତେଣୁ ସେ ୪ କିମ୍ବା ୫ ନମ୍ବର ସ୍ଥାନରେ ଖେଳିପାରନ୍ତି ବୋଲି ଅନୁମାନ କରାଯାଉଛି । ମଧ୍ୟକ୍ରମରୁ ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ୍‌ ଭଲ ରନ୍ କରିବା ନେଇ ଆଶା କରାଯାଉଛି। ତେବେ ଯଶପ୍ରୀତ୍‌ ବୁମ୍‌ରା, ପ୍ରସିଦ୍ଧ କୃଷ୍ଣ ଓ ଶ୍ରେୟସ ଆୟର ଭଲ ବୋଲିଂ କରିବା ନେଇ ଆଶା ରଖାଯାଇଛି ।

ସେପଟେ ମଜବୁତ୍‌ ଦଳ ସହ ଏସିଆ କପ୍‌‌ରେ ପଡ଼ିଆକୁ ଓହ୍ଲାଇବ ପାକିସ୍ତାନ । ଗତ ୪ ବର୍ଷ ମଧ୍ଯରେ ପାକିସ୍ତାନ ଖେଳିଥିବା ୨୯ ଦିନିକିଆପେ ତାର ସ୍ଥିର ପ୍ରଦର୍ଶନ ଦଳକୁ ମଜବୁତ କରିଛି। ଚଳିତ ବର୍ଷ ଦଳ ୧୨ ଟି ମ୍ୟାଚ୍‌ ଖେଳିଥିବା ବେଳେ ଅଧିନାୟକ ବାବର ଆଜମ୍‌, ଫକର ଜମାନ ଓ ଇମାମ ଉଲ୍‌ ହକ୍‌ ଭଲ ରନ୍‌ କରିଥିବା ଦେଖିବାକୁ ମିଳିଥିଲା। କିନ୍ତୁ ୪ରୁ ୬ ନମ୍ବର ସ୍ଥାନ ଚିନ୍ତାଜନକ ରହିଛି, କାରଣ ସାଉଦ୍‌ ସକିଲ୍‌, ଉସମା ମିର୍‌ ଓ ଆଘା ସଲମାନ୍‌ ପ୍ରଦର୍ଶନ ଭଲ ରହିନାହିଁ। ତଥାପି ଇଫତିକାର ଅହମଦ ଓ ସଦାବ ଖାନ୍‌ ବ୍ୟାଟିଂ ଯୋଗୁଁ ଦଳର ଭଲ ପ୍ରଦର୍ଶନ ନେଇ ଆଶା ରଖାଯାଉଛି । ପ୍ରକାଶ ଥାଉ କି, ପାକିସ୍ତାନ ଫର୍ମରେ ଥିବା ବେଳେ ଭାରତୀୟ ଖେଳାଳି ମଧ୍ୟ ଫର୍ମକୁ ଫେରିଛନ୍ତି । ଉଭୟଙ୍କ ମଧ୍ୟରେ କଡାକଡି ମୁକାବିଲା ହେବା ନେଇ ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।

ସମ୍ଭାବ୍ୟ ଭାରତ ଖେଳାଳୀ: ରୋହିଶ ଶର୍ମା (ଅଧିନାୟକ), ଶୁଭମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ଈଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା,‌ ଯଶପ୍ରୀତ୍‌ ବୁମରା, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ସାମି।

ସମ୍ଭାବ୍ୟ ପାକିସ୍ତାନ ଖେଳାଳୀ: ଫକର ଜମାନ, ଇମାମ ଉଲ୍‌ ହକ୍‌, ବାବର ଆଜମ୍‌ (ଅଧିନାୟକ), ମହମ୍ମଦ ରିଜୱାନ୍‌, ଆଘା ସଲମାନ, ଇଫତିକାର ଅହମଦ, ସଦାବ ଖାନ୍‌, ମହମଦ ନୱାଜ, ହାରିସ ରୌଫ୍‌, ସାହିନ ଶାହ ଆଫ୍ରିଦି, ନସିମ ଶାହ।

Exit mobile version