Site icon ଆଜିକାଲି

ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦

ମୋହାଲି : ଆଜି ମୋହାଲିର ପିସିଏ (ପଞ୍ଜାବ କ୍ରିକେଟ୍ ସଂଘ) ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ପାଇଁ ଟସ୍ ପଡ଼ିବା ପୂର୍ବରୁ ନିଜ ରାଜ୍ୟର ଦୁଇ ତାରକା କ୍ରିକେଟର୍ ହରଭଜନ ସିଂହ ଏବଂ ଯୁବରାଜ ସିଂହଙ୍କ ନାମରେ ଷ୍ଟାଡିୟମ୍‌ର ଦୁଇଟି ଷ୍ଟାଣ୍ଡ୍‌କୁ ଅନାବରଣ କରିବ ପିସିଏ । ଷ୍ଟାଡିୟମ୍‌ର ଦକ୍ଷିଣ ପାଭିଲିୟନ୍‌କୁ ଭାରତର ଅନ୍ୟତମ ମହାନ୍ ସ୍ପିନର ହରଭଜନଙ୍କ ନାମରେ ଏବଂ ଉତର ପାଭିଲିୟନ୍‌କୁ ୨୦୧୧ ବିଶ୍ୱ ବିଜେତା ଦଳର ନାୟକ ଯୁବରାଜଙ୍କ ନାମରେ ନାମିତ କରିଛି ପିସିଏ । ଆମେ ଆମର (ପଞ୍ଜାବ) ଦୁଇ ତାରକା ଖେଳାଳିଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟକ୍ରମ କରିଛୁ ବୋଲି କହିଛନ୍ତି ପିସିଏ ସଂପାଦକ ଦିଲ୍ ସେର ଖାନ୍ନା ।

ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଶୃଙ୍ଖଳା ପୂର୍ବରୁ ରବିବାର ଭାରତୀୟ ଦଳ ପ୍ରଥମ ଅଭ୍ୟାସ ସେସନ୍‌କୁ ଓହ୍ଲାଇଛି । ଏଥିରେ ବିରାଟ କୋହଲି ପ୍ରଥମ ଖେଳାଳି ଭାବେ ନେଟ୍‌ସକୁ ଆସିଥିଲେ । ସେ ମଧ୍ୟ ନେଟ୍‌ସରେ ଚମକ ଦେଖାଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ବିଶେଷକରି ଦ୍ରୁତ ବୋଲରଙ୍କୁ ପୁଲ୍ ସଟ୍ ଖେଳିବା ଏବଂ ସ୍ପିନରଙ୍କ ବିପକ୍ଷରେ ଆଗକୁ ପାଦ ବଢ଼ାଇ ଖେଳିବା ସହିତ ଚମତ୍କାର ଢଙ୍ଗରେ ଅଭ୍ୟାସ କରିଥିଲେ । ସେ ମୋଟ ୪୫ ମିନିଟ୍‌ର ଅଭ୍ୟାସ ମଧ୍ୟରେ ଅସଂଖ୍ୟ ରାଇଜିଂ ବଲ୍‌ର ସାମ୍‌ନା କରିଥିଲେ ଏବଂ ସର୍ଟ ବଲ୍‌କୁ ଖେଳିବାର ସ୍ପଷ୍ଟ ସଂକେତ ଦେଇଥିଲେ । ଏହାପରେ ସେ ମଧ୍ୟ ସ୍ପିନରଙ୍କୁ ଆକ୍ରମଣ କରି ପଡ଼ିଆରେ ସିଧା ବାଉଣ୍ଡାରି ମାରିଥିଲେ । ଫଳରେ ଦଳର ନୂଆ ସମୀକରଣକୁ ଅନୁସରଣ କରି କୋହଲି ନିଜର ସହଜ ଜୋନ୍‌ରେ ରହିବା ନେଇ ପ୍ରସ୍ତୁତ ହୋଇଯାଇଛନ୍ତି ।

ଟି-୨୦ ବିଶ୍ୱ କପ୍ ପୂର୍ବରୁ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ୍ ଖେଳିବାକୁ ଯାଉଛି । ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି-୨୦ ମୁକାବିଲା ଖେଳାଯିବ । ଏହି ମ୍ୟାଚ୍‌କୁ ନେଇ ଭାରତୀୟ ଦଳ ସଂପୂର୍ଣ୍ଣ ପ୍ରସ୍ତୁତ । ଅଧିନାୟକ ଏବଂ କୋଚ୍‌ଙ୍କ ପାଇଁ ସବୁଠୁ ବଡ ମୁସ୍କିଲ କାମ ଚୂଡାନ୍ତ ଏକାଦଶ ଚୟନ କରିବା । କାରଣ ଜାଡେଜା ଆହତଜନିତ ସମସ୍ୟା ଏବଂ ଶାମି କରୋନା କାରଣରୁ ଦଳରୁ ବାଦ୍ ପଡିଛନ୍ତି । ତେଣୁ ପ୍ରଥମ ଟି-୨୦ରେ କେଉଁ ୧୧ ଜଣ ଖେଳାଳି ମଇଦାନକୁ ଓହ୍ଲାଇବେ ତାହା ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର । ଟି-୨୦ ବିଶ୍ୱ କପ୍ ପୂର୍ବରୁ ଭାରତୀୟ ଦଳ ନିକଟରେ ନିଜର ଶ୍ରେଷ୍ଠ ଚୂଡାନ୍ତ ଏକାଦଶକୁ ମଇଦାନକୁ ଓହ୍ଲାଇବା ନେଇ ଶେଷ ସୁଯୋଗ ରହିଛି ।

Exit mobile version