Site icon ଆଜିକାଲି

ଆଜି ‘କର ବା ମର’ ମ୍ୟାଚ୍‌ରେ ଭାରତ-ଶ୍ରୀଲଙ୍କା ମୁକାବିଲା

ଦୁବାଇ : ଏସିଆ କପ୍‌-୨୦୨୨ର ସୁପର-୪ ରାଉଣ୍ଡରେ ଆଜି ଭାରତ ଓ ଶ୍ରୀଲଙ୍କା ମୁକାବିଲା। ଭାରତ ଏବେ କର ବା ମର ସ୍ଥିତିକୁ ଚାଲି ଆସିଛି। କାରଣ ଏହି ରାଉଣ୍ଡରେ ଭାରତ ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ଠାରୁ ପରାଜିତ ହୋଇଥିବାରୁ ଫାଇନାଲ୍‌ରେ ସ୍ଥାନ ହାସଲ କରିବାକୁ ହେଲେ ପରବର୍ତ୍ତୀ ୨ଟି ଯାକ ମ୍ୟାଚ୍‌ ଜିତିବା ଜରୁରି । ଅନ୍ୟପଟେ ଶ୍ରୀଲଙ୍କା ପ୍ରଥମ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ହରାଇଥିଲା । ମଙ୍ଗଳବାର ଭାରତକୁ ହରାଇ ଫାଇନାଲ୍‌ରେ ସ୍ଥାନ ପକ୍କା କରିବାକୁ ପ୍ରୟାସ କରିବ । ଫଳରେ ମ୍ୟାଚ୍‌ଟି ନିଶ୍ଚିତ ସଂଘର୍ଷପୂର୍ଣ୍ଣ ହେବ ।

ଟସ୍‌ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଆସିଛି । ବିଶେଷ କରି ଦୁବାଇରେ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେବାକୁ ଉଭୟ ଦଳ ମନସ୍ଥ କରିଥିବେ । ପ୍ରଥମେ ବ୍ୟାଟିଂ ସୁଯୋଗ ମିଳିଲେ ଉଭୟ ଦଳ ପ୍ରତିପକ୍ଷ ପାଇଁ ବିଶାଳ ସ୍କୋର ଛିଡ଼ା କରିବାକୁ ଲକ୍ଷ୍ୟ ରଖିବେ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଶେଷ ୨୭ଟି ଟି-୨୦ ମ୍ୟାଚ୍‌ରୁ ୨୪ ଥର ଦ୍ବିତୀୟ ବ୍ୟାଟିଂ ଦଳ ବିଜୟୀ ହୋଇଛି। ୨୦୨୧ ଆଇପିଏଲ୍‌ ଫାଇନାଲ୍‌, ୨୦୨୧ରେ ଦିନ ମ୍ୟାଚ୍‌ରେ ସ୍କଟଲାଣ୍ଡ୍‌ ବିପକ୍ଷରେ ନ୍ୟୁଜିଲାଣ୍ଡ୍‌ ଏବଂ ନିକଟରେ ହଂ କଂ ବିପକ୍ଷରେ ଭାରତ ପ୍ରଥମେ ବ୍ୟାଟିଂ କରି ଜିତିଥିଲେ। ଅନ୍ତର୍ଜାତୀୟ ଟି-୨୦ରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ୧୭ଟି ମ୍ୟାଚ ଜିତି ଥିବାବେଳେ ୭ଟି ହାରିଛି। ଏହି ଫର୍ମାଟର ଏସିଆ କପ୍‌ରେ ପୂର୍ବରୁ ଥରେ ମାତ୍ର ୨୦୧୬ରେ ମୀରପୁର ଠାରେ ଶ୍ରୀଲଙ୍କାକୁ ଭେଟିଥିବା ଭାରତ ୫ ୱିକେଟ୍‌ରେ ବିଜୟୀ ହୋଇଥିଲା। ଶ୍ରୀଲଙ୍କା କିନ୍ତୁ ୨୦୨୧ ବିଶ୍ବକପ୍‌ ପରେ ପ୍ରଥମେ ବ୍ୟାଟିଂ କରିଥିବା ସମସ୍ତ ୭ ମ୍ୟାଚ୍‌ ହାରିଥିବା ବେଳେ ଶେଷରେ ବ୍ୟାଟିଂ କରିଥବା ୪ଟି ଯାକ ମ୍ୟାଚ୍‌ ଜିତିଛି।

ଭାରତ ପାଇଁ ନିଜର ବୋଲିଂ ବିକଳ୍ପକୁ ସଜାଡ଼ିବା ମୁଖ୍ୟ ଆହ୍ବାନ ହୋଇଛି। ମାତ୍ରାଧିକ ପରୀକ୍ଷାନିରୀକ୍ଷାରେ ନ ମାତି ଏବେ ସୀମିତ ବୋଲିଂ ସମ୍ବଳରୁ ଶ୍ରେଷ୍ଠତ୍ବ ବାହାର କରିବା ଯୋଜନାରେ ରହିବ ଭାରତ। ରବୀନ୍ଦ୍ର ଜାଦେଜା, ହର୍ଷଲ ପଟେଲ୍‌, ଯଶପ୍ରୀତ୍ ବୁମରାଙ୍କ ଆହତଜନିତ ଅନୁପସ୍ଥିତି ଦଳର ବୋଲିଂ ବିକଳ୍ପକୁ ବିଗାଡ଼ି ଦେଇଛି। ରବୀନ୍ଦ୍ର ଜାଦେଜା, ହର୍ଷଲ ପଟେଲ୍‌, ଯଶପ୍ରୀତ୍ ବୁମରାଙ୍କ ଆହତଜନିତ ଅନୁପସ୍ଥିତି ଦଳର ବୋଲିଂ ବିକଳ୍ପକୁ ବିଗାଡ଼ି ଦେଇଛି। ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍‌ ଜିତିଥିଲେ ମଧ୍ୟ ରବିବାର ରାତିରେ ହାର୍ଦିକ ପାଣ୍ଡ୍ୟା, ୟୁଝବେନ୍ଦ୍ର ଚହଲ ଏବଂ ଭୁବନେଶ୍ବର କୁମାର ମହଙ୍ଗା ବୋଲିଂ କରିବା ଭାରତକୁ ବିଜୟରୁ ବଞ୍ଚିତ କରିଥିଲା। ୫ ବୋଲର ଯୋଜନାରେ ହାର୍ଦିକ ପାଣ୍ଡ୍ୟାଙ୍କୁ ୪ ଓଭର ବୋଲିଂ କରିବା ଜଟୀଳ ହୋଇଯାଇଥିଲା। ଅକ୍ଷର ପଟେଲ୍ ଏବେ ରବୀନ୍ଦ୍ର ଜା‌ଦେଜାଙ୍କ ସମ୍ଭାବ୍ୟ ବିକଳ୍ପ ଥିବାରୁ ଦଳକୁ ଫେରିପାରନ୍ତି। ଅୱେସ ଖାନ୍‌ ମଧ୍ୟ ତୃତୀୟ ପେସ୍‌ ବୋଲର ଭାବେ ପୁଣି ଚୂଡ଼ାନ୍ତ ଏକାଦଶକୁ ଫେରିବା ସମ୍ଭାବନା ରହିଛି। ବିଶ୍ବକପ୍‌ ପୂର୍ବରୁ ଭାରତ ନିଜର ଶ୍ରେଷ୍ଠ ଏକାଦଶ ଉପରେ ଅଧିକ ଗୁରୁତ୍ବ ଦେଉଛି ବୋଲି ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ଯୋଜନାରୁ ସ୍ପଷ୍ଟ ବାରି ହୋଇପଡୁଛି। ଋଷଭ ପନ୍ତ୍‌ ଓ ଦୀନେଶ କାର୍ତ୍ତିକଙ୍କ ବିତର୍କ ଅଧିକ ଚର୍ଚ୍ଚାରେ ରହୁଛି। ପ୍ରଥମ ଦୁଇ ମ୍ୟାଚ୍‌ରେ ବିଶେଷ ବ୍ୟାଟିଂ ସୁଯୋଗ ପାଇନଥିବା କାର୍ତ୍ତିକଙ୍କ ବଦଳରେ ଦୀପକ ହୁଦାଙ୍କୁ ଖେଳାଇଥିଲା ଭାରତ। ବୋଲିଂ ବିକଳ୍ପ ସଜାଡ଼ିବା ହାତରେ ନ ଥିଲେ ମଧ୍ୟ ମଧ୍ୟକ୍ରମ ବ୍ୟାଟିଂକୁ ଦୃଢ଼ କରିବାର ବେଳ ଆସିଛି। ଭାରତର ଶୀର୍ଷ ୩ ବ୍ୟାଟର୍‌ କେଏଲ୍ ରାହୁଲ, ରୋହିତ ଶର୍ମା, ବିରାଟ କୋହଲି ଭଲ ବ୍ୟାଟିଂ କରିବା ଦଳ ପାଇଁ ଶୁଭ ସଙ୍କେତ। ରାହୁଲ ଓ ରୋହିତ ଭାରତକୁ ବୈଦ୍ୟୁତିକ ଆରମ୍ଭ ଦେଉଛନ୍ତି। କୋହଲି ନିଜ ଶ୍ରେଷ୍ଠ ସମୟକୁ ଫେରିନଥିଲେ ମଧ୍ୟ ବିଗତ ୩ ମ୍ୟାଚ୍‌ରେ ୩୫, ୫୯*, ୬୦ ରନ୍‌ କରି ଲୟକୁ ଫେରୁଥିବାର ଆଭାସ ଦେଇଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ଏହି ୩ ଜଣ ବିସ୍ଫୋରକ ବ୍ୟାଟିଂ କଲେ ଭାରତକୁ ବଡ଼ ସ୍କୋର୍ ମିଳିବାରେ ଅସୁବିଧା ହେବ ନାହିଁ। ହାର୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ୍‌ଙ୍କୁ ମଧ୍ୟ ଦାୟିତ୍ବର ସହ ଖେଳିବାକୁ ପଡ଼ିବ। ଶ୍ରୀଲଙ୍କା ଦଳରେ ଏକାଧିକ ବାମହାତୀ ଥିବାରୁ ଭାରତ ମଧ୍ୟ ଅଭିଜ୍ଞ ଅଫସ୍ପିନର୍‌ ଆର୍‌ ଅଶ୍ବିନଙ୍କୁ ଖେଳାଇବା ଯୋଜନା ରଖିଛି।

ପ୍ରଥମ ଲିଗ୍‌ ମ୍ୟାଚ୍‌ରେ ଆଫଗାନିସ୍ତାନଠୁ ପରାଜିତ ହେବା ପରେ ଶ୍ରୀଲଙ୍କା ଲଢୁଆ ପ୍ରଦର୍ଶନ କରି ବିଜୟକୁ ଫେରିଥିଲା । ଲିଗ୍‌ ପର୍ଯ୍ୟାୟରେ ବାଂଲାଦେଶ ଓ ସୁପର-୪ରେ ଆଫଗାନିସ୍ତାନକୁ ହରାଇ ଶ୍ରୀଲଙ୍କା ମନୋବଳ ଦୃଢ କରିଛି । କେବଳ ଅନ୍ୟ ସମସ୍ତ ବ୍ୟାଟର ଦକ୍ଷତା ପ୍ରମାଣିତ କରିଛନ୍ତି । ଭାରତକୁ ହରାଇବା କଷ୍ଟକର ରହିଥିଲେ ହେଁ ବିପର୍ଯ୍ୟୟ ଘଟାଇବାର କ୍ଷମତା ଶ୍ରୀଲଙ୍କା ନିକଟରେ ରହିଛି । ସେହିପରି କ୍ରିସ୍ ସିଲଭରଉଡଙ୍କ ପ୍ରଶିକ୍ଷିତ ଦଳ ଭିତରେ ବିଶ୍ବାସ ଆସିଛି ସେ‌ମାନେ ଯେ କୌଣସି ପରିସ୍ଥିତିରୁ ବି ଜିତିପାରିବେ। ଅଧିନାୟକ ଦସୁନ ଶଣକା, କୁଶାଲ ମେଣ୍ଡିସ୍‌, ଧନୁଷ୍କ ଗୁଣତିଳକା, ଭାନୁକା ରାଜପକ୍ଷ ଭଲ ଖେଳୁଛନ୍ତି। ପଶ୍ଚାତଧାବନ ‌ବେଳେ ଆମ ନିକଟରେ ସ୍ପଷ୍ଟ ଧାରଣା ରହୁଛି ୱିକେଟ୍‌ କିଭଳି ବ୍ୟବହାର କରୁଛି‌ ବୋଲି ମଧ୍ୟ ଶଣକା ପ୍ରକାଶ କରୁଛନ୍ତି। ବାମହାତୀ ବୋଲରଙ୍କ ବିପକ୍ଷରେ ଭାରତୀୟମାନେ ସେତେଟା ଭଲ କରୁନଥିବାରୁ ୨୧ ବର୍ଷୀୟ ଦିଲସାନ୍‌ ମଧୁଶଙ୍କାଙ୍କୁ ପାୱାର ପ୍ଳେ ଭିତରେ ଖେଳିବା ପାଇଁ ଆସିପାରନ୍ତି ।

ସମ୍ଭାବ୍ୟ ଶ୍ରୀଲଙ୍କା: ପଥୁମ ନିଶଙ୍କା, କୁସଲ ମେଣ୍ଡିସ୍‌ (ୱିକେଟରକ୍ଷକ), ଚରିତ ଅସଲଙ୍କା, ଧନୁଷ୍କା ଗୁଣତିଳକା, ଭାନୁଷ୍କା ରାଜପକ୍ଷ, ଦସୁନ ଶଣକା (ଅଧିନାୟକ), ୱାନିନ୍ଦୁ ହସରଙ୍ଗା, ଚାମିକା କରୁଣା‌ରତ୍ନେ, ମହେଶ ତୀକ୍ଷଶାଣା/ପ୍ରବୀଣ ଜୟବିକ୍ରମା, ଅସିଥ ଫର୍ଣ୍ଣାଣ୍ଡୋ, ଦିଲସାନ୍ ମଧୁଶଙ୍କା।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ୍‌, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ୍‌ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଆର୍‌ ଅଶ୍ବିନ, ଭୁବନେଶ୍ବର କୁମାର, ଅୱେସ ଖାନ୍‌, ୟୁଝବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ।

Exit mobile version