Site icon ଆଜିକାଲି

ଆଜି ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌

ବିଶାଖାପାଟଣା ୨୩।୧୧ : ଶେଷ ହୋଇଛି ଦିନିକିଆ ବିଶ୍ୱକପ୍‌ । ଆଗକୁ ଟି-୨୦ ବିଶ୍ୱକପ୍‌ । ୨୦୨୪ରେ ଓ୍ୱେଷ୍ଟଇଣ୍ଡିଜ୍‌-ଆମେରିକାରେ ହେବ ଏହି ଟୁର୍ଣ୍ଣାମେଣ୍ଟ । ଏହିକ୍ରମରେ ଆଜିଠୁ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌ । ମୋଟ ୫ ଟିକିଆ ସିରିଜ୍‌ ଖେଳାଯିବ । ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଗୁରୁବାର ବିଶାଖାପାଟଣାରେ ସଂଧ୍ୟା ୭ଟାରେ ଖେଳାଯିବ।

ଟି-ଟ୍ୱେଣ୍ଟି କ୍ରିକେଟ୍‌କୁ ନେଇ ପରୀକ୍ଷା ନିରୀକ୍ଷା ଚଳାଇଛି । ବହୁ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି । ଏକାଧିକ ଅଧିନାୟକ ପରିବର୍ତ୍ତନ ହୋଇସାରିଛନ୍ତି । ଏକ ସନ୍ତୁଳିତ ଦଳ ଖୋଜା ଚାଲିଛି । ୨୦୨୧ ପରଠୁ ସୂର୍ଯ୍ୟକୁମାର ଯାଦବ ଭାରତର ନବମ ଟି-ଟ୍ୱେଣ୍ଟି ଅଧିନାୟକ ଭାବେ ଗୁରୁବାର ଗ୍ରାଉଣ୍ଡକୁ ଓହ୍ଲାଇବେ । ଚଳିତ ବର୍ଷ ହାର୍ଦ୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମରା ଓ ଋତୁରାଜ ଗାଏକୱାଡ୍‌ ଟି-ଟ୍ୱେଣ୍ଟି ଅଧିନାୟକ ନିଯୁକ୍ତ ହୋଇସାରିଛନ୍ତି । ପାଣ୍ଡ୍ୟା ସମ୍ପ୍ରତି ଆହତ ଥିବାରୁ ସୂର୍ଯ୍ୟକୁମାରଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି ।

ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଯୁବ ଦଳ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବାକୁ ପ୍ରୟାସ କରିବ । ଏହି ଦଳ ଗତ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲା । ଅଷ୍ଟ୍ରେଲିଆ ସିରିଜ ପାଇଁ କେବଳ ନେତୃତ୍ୱରେ ପରିବର୍ତ୍ତନ ହୋଇଛି । ଫଳରେ ଗୁରୁବାର ଯୁବ ତାରକା ତିଳକ ବର୍ମା, ଯଶସ୍ୱୀ ଜୈସ୍ୱାଲ୍‌ ଓ ରିଙ୍କୁ ସିଂହଙ୍କ ଉପରେ ନଜର ରହିବ । ଅକ୍ଷର ପଟେଲ ଓ ୱାସିଂଟନ ସୁନ୍ଦର ଫିଟ୍‌ ହୋଇ ଫେରିବା ଦଳ ପାଇଁ ବରଦାନ।

ତେବେ ପିଚ୍‌ ପେସ୍‌ ବୋଲିଂ ପାଇଁ ଅନୁକୂଳ ରହିବ । ଅପରାହ୍ଣରେ ବର୍ଷା ଆଶଙ୍କା ରହିଥିଲେ ହେଁ ସମ୍ପୂର୍ଣ୍ଣ ମ୍ୟାଚ୍‌ ସମ୍ଭବ ହୋଇପାରିବ । ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକପ୍ରକାର ନିଶ୍ଚିତ । ଗତ ମାର୍ଚ୍ଚରେ ଉଭୟ ଦଳ ଏଠାରେ ଏକ ଦିନିକିଆ ଖେଳିଥିଲେ । ଅଷ୍ଟ୍ରେଲିଆ ୧୦ ୱିକେଟ୍‌ରେ ବିଜୟ ହାସଲ କରିଥିଲା ।

ଭାରତ ସମ୍ଭାବ୍ୟ ଦଳ : ଇଶାନ କିଷନ, ଯଶସ୍ୱୀ ଜୈସ୍ୱାଲ୍‌, ଋତୁରାଜ ଗାଏକୱାଡ୍‌, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଳକ ବର୍ମା, ଶିବମ ଦୁବେ/ରିଙ୍କୁ ସିଂହ, ଅକ୍ଷର ପଟେଲ୍‌/ୱାସିଂଟନ ସୁନ୍ଦର, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା/ଅଭେଶ ଖାନ, ମୁକେଶ କୁମାର ।

ଅଷ୍ଟ୍ରେଲିଆ ସମ୍ଭାବ୍ୟ ଦଳ : ଷ୍ଟିଭେନ ସ୍ମିଥ୍‌, ଟ୍ରେଭିସ୍‌ ହେଡ୍‌/ ମାଥ୍ୟୁ ସର୍ଟ, ଆରନ ହାର୍ଡି, ଜୋସ ଇଂଲିଶ, ମାର୍କସ ଷ୍ଟଇନିସ୍‌, ଟିମ ଡେଭିଡ୍‌, ମାଥ୍ୟୁ ୱେଡ୍‌(ଅଧିନାୟକ), ସିନ ଆବୋଟ, ନାଥାନ ଏଲିସ, ଜାସନ ବେହ ।

Exit mobile version