Site icon ଆଜିକାଲି

ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟି-୨୦

ନାଗପୁର: ଆଜି ନାଗପୁରରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟି-୨୦। ଘରୋଇ ପିଚରେ ପ୍ରଥମ ଟି-୨୦ ହାରିଥିବା ରୋହିତ ବାହିନୀ ପାଇଁ ଏହି ମ୍ୟାଚ୍ ‘କର ବା ମର’ ସ୍ଥିତିରେ ଥିବା ବେଳେ ବେଶ୍ ଚ୍ୟାଲେଞ୍ଜ ପୂର୍ଣ୍ଣ ହେବ। ଶୁକ୍ରବାର ସନ୍ଧ୍ୟା ୭ଟା ସମୟରେ ଖେଳାଯିବ ଏହି ମ୍ୟାଚ୍‌ । ଏବେ ସୁଦ୍ଧା ୩ଟିକିଆ ସିରିଜ୍‌ରେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି ।

ମୋହାଲିରେ ଭାରତୀୟ ବୋଲରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏବେ ନାଗପୁର ଟି-୨୦ ମ୍ୟାଚ୍‌ ଉପରେ ରୋହିତ ସେନାର ନଜର। ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ସମ୍ମୁଖରେ ଭାରତ ଯଦିଓ ୨୦୦ରୁ ଅଧିକ ରନ୍‌ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା କିନ୍ତୁ ଘରୋଇ ଦଳର ବୋଲିଂ ଆକ୍ରମଣକୁ ନେଇ ଅନେକ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା। ଭୁବନେଶ୍ବର କୁମାର ପୁଣି ଥରେ ଡେଥ୍‌ ଓଭରରେ ସଂଘର୍ଷ କରିଥିଲା ବେଳେ ହର୍ଷଲ ପଟେଲ ୱିକେଟ୍‌ ବାହାର କରିବାରେ ବିଫଳ ହୋଇଥିଲେ। କେବଳ ଅକ୍ଷର ପଟେଲଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବୋଲର ଓଭର ପିଛା ୧୦ରୁ ଅଧିକ ରନ୍‌ ବ୍ୟୟ କରିଥିଲେ। ତେଣୁ ବିଶ୍ବକପ୍‌ ପୂର୍ବରୁ ଭାରତକୁ ପୂର୍ବ ଲୟ ଫେରିପାଇବାକୁ ହେଲେ ବୋଲିଂ ବିଭାଗକୁ ସଜାଡ଼ିବା ପାଇଁ କିଛି କଠୋର ପଦକ୍ଷେପ ନେବାକୁ ହେବ। ବର୍ତ୍ତମାନର ସ୍ଥିତିକୁ ଦେଖିଲେ, ଭାରତୀୟ ଦଳଠୁ କିଛି ଦିନ ଧରି ଦୂରରେ ଥିବା ଯଶପ୍ରୀତ୍‌ ବୁମ୍‌ରା ଦ୍ବିତୀୟ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ରହିଛି। ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ବୁମ୍‌ରା ଶେଷ ଥର ପାଇଁ ବ୍ଲୁ ଜର୍ସି ପରିଧାନ କରିଥିଲେ। ହେଲେ ଚଳିତ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ତାଙ୍କୁ ଆଶ୍ଚର୍ଯ୍ୟଜନକ ଭାବେ ଚୂଡ଼ାନ୍ତ ଏକାଦଶରୁ ବାଦ୍‌ ଦିଆଯାଇଥିଲା। ଅନେକ ଆଲୋଚନା ପରେ ଆହତ ଜନିତ ସମସ୍ୟାରୁ ସେ ମୁକୁଳିଥିଲେ ମଧ୍ୟ ବିଶ୍ବକପ୍‌ ପ୍ରସ୍ତୁତିକୁ ନଜରରେ ରଖି ବୁମ୍‌ରାଙ୍କୁ ଅଧିକ ବିଶ୍ରାମ ଦେବା ସପକ୍ଷରେ ଦଳ ରହିଥିବା ସ୍ପଷ୍ଟ କରାଯାଇଥିଲା। ତେବେ ଦ୍ବିତୀୟ ମ୍ୟାଚ୍‌ରେ ତାଙ୍କ ପ୍ରତ୍ୟାବର୍ତନ ରାସ୍ତା ଖୋଲା ରହିଛି।

ଭାରତୀୟ ଦଳର ବୋଲିଂ ବିଭାଗ ଚିନ୍ତାଜନକ ରହିଛି, ତଥାପି ପ୍ରଥମ ମ୍ୟାଚ୍‌ରୁ ଅନେକ ସକାରାତ୍ମକ ଘଟଣା ସାମ୍ନାକୁ ଆସିଛି। କେଏଲ୍‌ ରାହୁଲ ଆରମ୍ଭରୁ ଖୋଲା ସଟ୍‌ ଖେଳିପାରୁଥିଲା ବେଳେ ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ନିଜର ଆକ୍ରମଣାତ୍ମକ ଶୈଳୀ ବଳରେ ଯେକୌଣସି ବୋଲରଙ୍କୁ ଫିକା କରିଦେବା ଦକ୍ଷତା ରଖୁଥିବା ପ୍ରମାଣିତ କରିଛନ୍ତି। ନାଗପୁରରେ ବୁଧବାର ରାତିରୁ ବର୍ଷା ହେଉଥିବାରୁ ଏହି ମ୍ୟାଚ୍‌କୁ ନେଇ ଆଶଙ୍କା ରହିଛି। ଉଭୟ ଦଳ ଗୁରୁବାର ଅଭ୍ୟାସ କରିପାରିନାହାନ୍ତି।

ସମ୍ଭାବ୍ୟ ଭାରତ ଏକାଦଶ: କେଏଲ୍‌ ରାହୁଲ, ରୋହିତ ଶର୍ମା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ, ଭୁବନେଶ୍ବର କୁମାର, ହର୍ଷଲ ପଟେଲ/ଦୀପକ ଚହର, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍‌ରା।

ସମ୍ଭାବ୍ୟ ଅଷ୍ଟ୍ରେଲିଆ ଏକାଦଶ: ଆରୋନ୍‌ ଫିଞ୍ଚ, କାମେରନ୍‌ ଗ୍ରିନ୍‌, ଷ୍ଟିଭ୍‌ ସ୍ମିଥ୍‌, ଗ୍ଲେନ୍‌ ମ୍ୟାକ୍ସୱେଲ, ଜୋସ୍‌ ଇଂଲିଶ୍‌, ଟିମ୍‌ ଡେଭିଡ୍‌, ମାଥ୍ୟୁ ୱେଦ୍‌, ପ୍ୟାଟ୍‌ କମିନ୍ସ, ନାଥନ୍‌ ଏଲିସ୍‌, ଆଦାମ୍‌ ଜାମ୍ପା, ଜୋସ୍‌ ହାଜେଲ୍‌ଉଡ୍‌।

Exit mobile version