Site icon ଆଜିକାଲି

ବ୍ରିଟେନ ମହାରାଣୀଙ୍କ ବିୟୋଗରେ ଆଜି ଭାରତରେ ଦିନିକିଆ ରାଷ୍ଟ୍ରୀୟ ଶୋକ ଦିବସ

ନୂଆଦିଲ୍ଲୀ : ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ବିୟୋଗରେ ସାରା ବିଶ୍ବ ଶୋକରେ ବୁଡିଛି । ମହାରାଣୀଙ୍କୁ ସମ୍ମାନ ଜଣାଇ ଆଜି ଭାରତରେ ଦିନିକିଆ ରାଷ୍ଟ୍ରୀୟ ଶୋକଦିବସ ପାଳିତ ହେଉଛି । ଏହି ପରିପ୍ରେକ୍ଷୀରେ ଆଜି ଭାରତର ସମସ୍ତ ସୌଧରେ ନିୟମିତ ଭାବେ ଉଡୁଥିବା ଜାତୀୟ ପତାକା ଅର୍ଦ୍ଧନମିତ ରହିଛି । ଏହାସହିତ ଆଜିର ଦିନରେ କୌଣସି ପ୍ରକାର ଔପଚାରିକ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ । ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି । କେବଳ ଭାରତ ନୁହେଁ ରାଣୀ ଏଲିଜାବେଥଙ୍କ ସମ୍ମାନାର୍ଥେ ୫୦ରୁ ଅଧିକ ଦେଶ ସେମାନଙ୍କ ଜାତୀୟ ପତାକା ଅର୍ଦ୍ଧନମିତ କରିବେ ।

ଗତ ଗୁରୁବାର ଦିନ ୯୬ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ବ୍ରିଟେନ ରାଣୀ ଏଲିଜାବେଥ ଦ୍ବିତୀୟ । ସ୍କଟଲାଣ୍ଡର ବାଲମୋରାଲ କ୍ୟାସେଲରେ ସେ ପ୍ରାଣତ୍ୟାଗ କରିଛନ୍ତି । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ ତାଙ୍କର ପରଲୋକ ଘଟିଛି । ମହାରାଣୀଙ୍କ ମହାପ୍ରୟାଣରେ ବ୍ରିଟେନରେ ୭ ଦିନିଆ ଶୋକ ଦିବସ ପାଳନ ହେଉଛି । ଆସନ୍ତା ଗତ ୧୯ ତାରିଖ ଦିନ ଲଣ୍ଡନର ୱେଷ୍ଟମିନଷ୍ଟର ଆବେରେ ବ୍ରିଟେନ ମହାରାଣୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଏନେଇ ଶନିବାର ବ୍ରିଟେନ ରାଜପରିବାର ପକ୍ଷରୁ ଘୋଷଣା କରାଯାଇଛି । ଏହାପୂର୍ବରୁ ମହାରାଣୀଙ୍କ ମରଶରୀର ୱେଷ୍ଟମିନଷ୍ଟର ହଲରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯିବ । ପରେ ଶୋଭାଯାତ୍ରାରେ କଫିନକୁ ନିଆଯାଇ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ ।

Exit mobile version