Site icon ଆଜିକାଲି

ଆଜି ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ

ନୂଆଦିଲ୍ଲୀ : ଆଜି ଭାରତ- ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଲଢେଇ। ନୂଆଦିଲ୍ଲୀରେ ଶେଷ ତଥା ତୃତୀୟ ଦିନିକିଆ ଖେଳାଯିବ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ହାରିବା ପରେ ରାଞ୍ଚିରେ ଭାରତୀୟ ଦଳ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ଫଳରେ ସିରିଜ ଏବେ ୧-୧ରେ ବରାବର ରହିଛି । ସେହିପରି ଯେଉଁ ଦଳ ବିଜୟୀ ହେବ ସେ ସିରିଜ୍‌ ହାତେଇବ । ଦ୍ବିତୀୟ ମ୍ୟାଚ୍‌ରେ ବିଜୟ ଦ୍ବାରା ଭାରତୀୟ ଖେଳାଳିଙ୍କ ଆତ୍ମବିଶ୍ବାସ ବଢ଼ିଥିବାରୁ ଶେଷ ମ୍ୟାଚ୍‌ରେ ତାହାର ପ୍ରତିଫଳନ ଦେଖିବାକୁ ମିଳିପାରେ। ଅନ୍ୟପକ୍ଷରେ ଟି-୨୦ ବିଶ୍ବକପ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକା ପାଖରେ ଏହା ଶେଷ ଅଭ୍ୟାସ ସଦୃଶ ମ୍ୟାଚ୍‌ ଥିବାରୁ ପୂର୍ବ ଲୟକୁ ଫେରିବା ପାଇଁ ଖେଳାଳିଙ୍କ ପାଖରେ ଏହା ଅନ୍ତିମ ସୁଯୋଗ ରହିବ। ତେଣୁ ପ୍ରତିଯୋଗିତାକୁ ଜିତିବା ପାଇଁ ଉଭୟ ଦଳଙ୍କ ମଧ୍ୟରେ କର ବା ମର ସ୍ଥିତି ସୃଷ୍ଟି ହୋଇଛି।

ତେବେ ଦିଲ୍ଲୀ ପିଚ୍ ବ୍ୟାଟିଂକୁ ସୁହାଉଥିବା ବେଳେ ପଡ଼ିଆ ଆକାର ମଧ୍ୟ ଛୋଟ। ତେଣୁ ବ୍ୟାଟରଙ୍କ ପାଇଁ ବଡ଼ ରନ୍ କରିବା ସୁଯୋଗ ରହିବ। କିନ୍ତୁ ମ୍ୟାଚ୍ ଉପରେ ବର୍ଷାର ଭୟ ରହିଛି । ଫଳରେ ଏବେଠୁ କିଛି ଅନୁମାନ କରିବା ସମ୍ଭବ ହେବନାହିଁ। କାରଣ ଗତ ତିନି ଦିନ ଧରି ଦିଲ୍ଲୀରେ ପ୍ରବଳ ବର୍ଷା ହେଉଥିଲା ବେଳେ ମଙ୍ଗଳବାର ମଧ୍ୟ ଘଡ଼ଘଡ଼ି ସହ ବର୍ଷା ହେବା ପୂର୍ବାନୁମାନ କରାଯାଇଛି। ପିଚ୍‌ ଉପରୁ କଭର ଉଠାଯାଇନଥିବାରୁ ସଦ୍ୟତମ ସ୍ଥିତି ବିଷୟରେ ଆକଳନ କରିବା ଅସମ୍ଭବ। ଯଦିବି ବିଳମ୍ବରେ ଖେଳ ଆରମ୍ଭ ହୁଏ, ତାହେଲେ ସୀମିତ ଓଭରର ମ୍ୟାଚ୍‌ରେ ଚୌକା, ଛକାର ବର୍ଷା ସହ ଦର୍ଶକଙ୍କ ମନୋରଂଜନ ହୋଇପାରେ।

ଦ୍ବିତୀୟ ଦିନିକିଆରେ ବିଜୟ ପରେ ଭାରତୀୟ ଖେଳାଳିଙ୍କ ଆତ୍ମବିଶ୍ବାସ ବଢ଼ିଥିବାରୁ ଶେଷ ମ୍ୟାଚ୍ ରେ ତାହାର ପ୍ରଭାବ ଦେଖିବାକୁ ମିଳିପାରେ। ତୃତୀୟ ଦିନିକିଆ ଜିତି ସିରିଜକୁ କବଜା କରିବା ଲକ୍ଷ୍ୟରେ ରହିଛି ମେନ୍‌ ଇନ୍‌ ବ୍ଲୁ । ତେବେ ଭାରତ ପାଇଁ ପ୍ରାରମ୍ଭିକ ଯୋଡ଼ି ବଡ଼ ଭାଗୀଦାରି କରିପାରୁନଥିବାରୁ ମଧ୍ୟକ୍ରମ ଖେଳାଳିଙ୍କ ଉପରେ ଚାପ ରହୁଛି। ଅଧିନାୟକ ଶିଖର ଧାୱନ (୪, ୧୩) ଙ୍କ ସହ ଯୁବ ଖେଳାଳି ଶୁଭମନ୍‌ ଗିଲ୍‌ (୩, ୨୮) ଏପର୍ଯ୍ୟନ୍ତ ବଡ଼ ସ୍କୋର କରିପାରିନାହାନ୍ତି। ଆସନ୍ତା ବର୍ଷ ଦିନିକିଆ ବିଶ୍ବକପ୍‌ ଥିବାରୁ ଶିଖର ଏହି ମ୍ୟାଚ୍‌ରେ ନିଜ ଦକ୍ଷତାର ପ୍ରମାଣ ଦେବାକୁ ଚେଷ୍ଟା କରିବେ। ଦଳର ନେତୃତ୍ବ ନେବା ଓ ବଡ଼ ରନ୍‌ କରିବା ଭଳି ଅବସର ବାରମ୍ବାର ଆସିନଥାଏ। ତେଣୁ ଶିଖର ନିଜ ସ୍ଥାନକୁ ପକ୍କା କରିବାକୁ ହେଲେ ବ୍ୟାଟ୍‌ରୁ ବଡ଼ ରନ୍‌ ବାହାରିବା ଆବଶ୍ୟକତା ରହିଛି। ମଧ୍ୟକ୍ରମରେ ଶ୍ରେୟସ୍‌ ଆୟର, ଈଶାନ କିଶାନ ଓ ସଞ୍ଜୁ ସାମ୍‌ସନ୍‌ ଜବରଦସ୍ତ ପ୍ରଦର୍ଶନ କରୁଛନ୍ତି। ବୋଲିଂ ବିଭାଗରେ ଟି-୨୦ ବିଶ୍ବକପ୍‌ ପାଇଁ ବୁମ୍‌ରାଙ୍କ ବଦଳ ଖେଳାଳିଭାବେ ପରିଗଣିତ ହେଉଥିବା ମହମ୍ମଦ ସିରାଜ ଦ୍ବିତୀୟ ମ୍ୟାଚ୍‌ରେ ୩ ୱିକେଟ୍‌ ଅକ୍ତିଆର କରି ପରବର୍ତ୍ତୀ ଆହ୍ବାନ ପାଇଁ ପ୍ରସ୍ତୁତ ଥିବା ପ୍ରମାଣ ଦେଇଛନ୍ତି।

Exit mobile version