Site icon ଆଜିକାଲି

ଆଜି ଏସିଆ କପ୍‌ ଶେଷ ସୁପର-୪ ମ୍ୟାଚ୍; ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ

କଲମ୍ବୋ : ଏସିଆ କପ୍‌ରେ ଶୁକ୍ରବାର ଶେଷ ସୁପର-୪ ରାଉଣ୍ଡ ମ୍ୟାଚ୍ । ଅପରାହ୍ଣରେ ଭାରତ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ । ବାଂଲାଦେଶ ଏସିଆ କପ୍‌ ଟାଇଟଲ ଲଢେଇରୁ ବାଦ ପଡ଼ିଥିବା ବେଳେ ଆଜି କେବଳ ଔପଚାରିକ ଭାବେ ମ୍ୟାଚ୍ ଖେଳାଯିବ । ଫଳରେ ମ୍ୟାଚ୍‌ର ଗୁରୁତ୍ୱ କମି ଯାଇଛି । ଅବଶ୍ୟ ଉଭୟ ଦଳ ପରୀକ୍ଷା ନିରୀକ୍ଷା କରିବାକୁ ଯଥେଷ୍ଟ ସୁଯୋଗ ପାଇବେ । ଆସନ୍ତା ମାସରେ ବିଶ୍ୱକପ୍‌ ରହିଥିବାରୁ ଉଭୟ ଦଳ ପାଇଁ ଏହି ମ୍ୟାଚ୍‌ଟି ଉପଯୁକ୍ତ ଅଭ୍ୟାସ ଯୋଗାଇବ ବୋଲି କୁହାଯାଉଛି ।

ଭାରତୀୟ ଦଳ ଯଥାକ୍ରମେ ପାକିସ୍ତାନ ଓ ଶ୍ରୀଲଙ୍କାକୁ ହରାଇ ମନୋବଳ ଦୃଢ କରିଛି । ଟପ୍ ଫର୍ମରେ ରହିଛି ବ୍ୟାଟିଂ ବିଭାଗ । ଅଧିନାୟକ ରୋହିତ ଶର୍ମା ୩ଟି ଅର୍ଦ୍ଧଶତକ ଅର୍ଜନ କରିସାରିଛନ୍ତି । ଶୁଭମନ ଗିଲ୍‌ ମଧ୍ୟ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି । ବିରାଟ କୋହଲି ଓ ଲୋକେଶ ରାହୁଲଙ୍କ ଶତକ ବ୍ୟତୀତ ଇଶାନ କିଷନ ଦାୟିତ୍ୱପୂର୍ଣ୍ଣ ଇନିଂସ ଖେଳି ଆଗାମୀ ବିଶ୍ୱକପ ପାଇଁ ପ୍ରସ୍ତୁତ ଥିବା ପ୍ରମାଣ ଦେଇଛନ୍ତି । ଉଭୟ ରାହୁଲ ଓ କିଷନ ମଧ୍ୟ କ୍ରମରେ ସଫଳ ହେବା ଫଳରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ବ୍ୟାଟିଂ କ୍ରମର ୪ନଂ ସ୍ଥାନ ଏକ ପ୍ରକାର ପୂରଣ ହୋଇଯାଇଛି ।

ଶ୍ରେୟାସ ଆୟରଙ୍କୁ ୪ନଂ ସ୍ଥାନ ପାଇଁ ଚୟନ କରାଯାଇଛି । ମାତ୍ର ସେ ଆହତ ସମସ୍ୟାରୁ ବାହାରିପାରୁ ନାହାନ୍ତି । ତାଙ୍କ ଅନୁପସ୍ଥିତିରେ ଇଶନ କିଷନ ସୁଯୋଗର ସଦୁପଯୋଗ କରିଛନ୍ତି । ପିଠିରେ ଯନ୍ତ୍ରଣା ଯୋଗୁଁ ଆୟର ସୁପର୪ ରାଉଣ୍ଡ୍‌ର ଉଭୟ ପାକିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ଖେଳିପାରି ନଥିଲେ । ମାତ୍ର ଆଜି ସେ ଅଭ୍ୟାସ କରିଥିବାରୁ ଦଳ ସାମାନ୍ୟ ଆଶ୍ୱସ୍ତ ହୋଇଛି । ଆସନ୍ତାକାଲି ସେ ଖେଳିବା ନେଇ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ । ବାଂଲାଦେଶ ଦଳ ଏଥର ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଲିଗ୍‌ ଓ ସୁପର-୪ ରାଉଣ୍ଡକୁ ମିଶାଇ ବାଂଲାଦେଶ ୪ଟି ମ୍ୟାଚ୍‌ ଖେଳିସାରିଛି ଓ କେବଳ ଗୋଟିଏ ମ୍ୟାଚ୍‌ରେ ବିଜୟ ସ୍ୱାଦ ଚାଖିଛି । ଆସନ୍ତାକାଲି ଭାରତ ବିପକ୍ଷରେ ଜିତିବା ସହଜ ହେବ ନାହିଁ । ବାଂଲାଦେଶ ଦଳରେ ଆହତ ସମସ୍ୟା ଲାଗି ରହିଛି । ଯୁବ ଖେଳାଳିମାନେ ଦକ୍ଷତା ପ୍ରମାଣିତ କରିନାହାନ୍ତି । ଅଭିଜ୍ଞ ମୁସଫିକର ରହିମ ଆଗୁଆ ସ୍ୱଦେଶ ଫେରିଯାଇଥିବାରୁ ସେ ମ୍ୟାଚ ଖେଳିବେ ନାହିଁ । ମୋଟ ଉପରେ ଦେଖିବାକୁ ଗଲେ ବାଂଲାଦେଶ ଦଳର ବ୍ୟାଟିଂ ବିଭାଗ ଅପେକ୍ଷାକୃତ ଦୁର୍ବଳ । ସାକିବ ଅଲ୍‌ ହାସନ ଓ ଲିଟନ ଦାସଙ୍କ ଉପରେ ଦଳର ବ୍ୟାଟିଂ ବିଭାଗ ନିର୍ଭର କରିବ ।

Exit mobile version