Site icon ଆଜିକାଲି

ଆଜି ଦକ୍ଷିଣ ଆଫ୍ରିକା-ଭାରତ ଟି-୨୦ ସିରିଜର ଦ୍ଵିତୀୟ ମ୍ୟାଚ

ମୁମ୍ବାଇ : ଦକ୍ଷିଣ ଆଫ୍ରିକା-ଭାରତ ଟି-୨୦ ସିରିଜ୍‌ । ରବିବାର ଦିନ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବାର ଥିଲା । କିନ୍ତୁ ବର୍ଷା ଲାଗି ପ୍ରଥମ ମ୍ୟାଚ୍‌ ଧୋଇଯାଇଥିଲା । ଆଉ ଆଜି ଉଭୟ ଟିମ୍‌ ମଧ୍ୟରେ ୨ୟ ମ୍ୟାଚ୍‌ ଖେଳାଯିବ । ଭାରତୀୟ ସମୟ ରାତି ୮ ଟା ୩୦ ମିନିଟ୍‌ରେ ଖେଳାଯିବ ଏହି ମ୍ୟାଚ୍‌ । ତେବେ ଆଜିର ମ୍ୟାଚ୍‌ରେ ବର୍ଷାର ଆଶଙ୍କା ରହିଛି ।

ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ ବିଜୟ ପରେ ଟିମ୍‌ ଇଣ୍ଡିଆର ମନୋବଳ ଦୃଢ ରହିଛି । ଯୁବ ଖେଳାଳିଙ୍କ ଉପରେ ଭରସା କରିଛି ଟିମ୍‌ ମ୍ୟାନେଜମେଣ୍ଟ । ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ। ସେପଟେ ଦକ୍ଷିଣ ଆଫ୍ରିକା ଟିମ୍‌ ମଧ୍ୟ ଜବରଦସ୍ତ ରହିଛି । ଚଳିତ ବିଶ୍ୱକପ୍‌ରେ ଟିମ୍‌ ସେମି ଯାଏଁ ଖେଳିଥିଲା । ଦଳରେ ଦୁଇ ଅଭିଜ୍ଞ ତେମ୍ବା ବାଭୁମା ଏବଂ କ୍ୱିଣ୍ଟନ ଡିକକ୍‌ ଅନୁପସ୍ଥିତ ରହିଛନ୍ତି । ତେଣୁ ଅନେକ ଯୁବ ଖେଳାଳିଙ୍କୁ ଦେଖିବାକୁ ମିଳିଛି । ଏହି ସିରିଜ୍‌ଟି ଜବରଦସ୍ତ ହେବ ବୋଲି ଆଶା କରାଯାଉଛି ।

ତେବେ ପୂର୍ବ ରେକର୍ଡକୁ ଦେଖିଲେ ଭାରତର ପଲ୍ଲା ଭାରି ରହିବ । ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୪ଟି ଟି-୨୦ ସିରିଜ୍‌ ମଧ୍ୟରୁ ଭାରତ ୨ଟିରେ ବିଜୟୀ ହୋଇଛି । ବାକି ଦୁଇଟି ସିରିଜ୍‌ ବରାବର ରହିଥିଲା । ୨୦୧୫ରେ ଶେଷ ଥର ପାଇଁ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍‌ ଜିତିଥିଲା । ଭାରତରେ ଅନୁଷ୍ଠିତ ସିରିଜ୍‌ରେ ଦକ୍ଷିଣ ଆଫ୍ରିକା ୨-୦ରେ ବିଜୟୀ ହୋଇଥିଲା।

ଦକ୍ଷିଣ ଆଫ୍ରିକା ସମ୍ଭାବ୍ୟ ଦଳ : ରିଜା ହେଣ୍ଡରିକ୍ସ, ମାଥ୍ୟୁ ବ୍ରିଜକି, ଆଡେନ ମାରକ୍ରମ(ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ/ହେନରିକ କ୍ଲାସେନ, ଡେଭିଡ୍‌ ମିଲର, ଡୋନୋଭାନ ଫେରେରା, ମାର୍କୋ ଜାନସେନ, କେଶବ ମହାରାଜ, ଗେରାଲ୍ଡ କୋଏଜି, ନାନ୍ଦ୍ରେ ବର୍ଗର, ତାବ୍ରେଜ ସାମସି ।

ଭାରତ ସମ୍ଭାବ୍ୟ ଦଳ : ଯଶସ୍ୱୀ ଜୈସ୍ୱାଲ୍‌, ଶୁଭମନ ଗିଲ୍‌/ ଋତୁରାଜ ଗାଏକୱାଡ୍‌, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ରିଙ୍କୁ ସିଂହ, ଜିତେଶ ଶର୍ମା, ରବିନ୍ଦ୍ର ଜାଡେଜା, ଦୀପକ ଚହର, କୁଲଦୀପ ଯାଦବ/ରବି ବିଷ୍ଣୋଇ, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ/ମୁକେଶ କୁମାର ।

Exit mobile version