Site icon ଆଜିକାଲି

ଆଜି ୱେଷ୍ଟଇଣ୍ଡିଜ-ଭାରତ ମଧ୍ୟରେ ଦ୍ୱିତୀୟ ଟି-୨୦

ନୂଆଦିଲ୍ଲୀ : ଆଜି ଘରୋଇ ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଦ୍ୱିତୀୟ ଟି-୨୦। ଓ୍ଵାର୍ଣ୍ଣର ପାର୍କରେ ଏହି ମ୍ୟାଚ ଖେଳାଯିବ । ବୋଲର ମାନଙ୍କୁ ଏହି ପିଚ୍‌ ସୁହାଇବ । ଆଜିର ମ୍ୟାଚରେ ଯିଏ ଟସ୍‌ ଜିତିବ, ପ୍ରଥମେ ବୋଲିଂ ନିଷ୍ପତ୍ତି ନେବାକୁ ଚିନ୍ତା କରିବ । ପ୍ରଥମ ମ୍ୟାଚ୍‌କୁ ଏକତରଫା ଭାବେ ଜିତିବା ପରେ ଆଜିର ମ୍ୟାଚରେ ମଧ୍ୟ ବିଜୟ ଲକ୍ଷ୍ୟ ରଖିଛି ରୋହିତ ବାହିନୀ। ଅନ୍ୟ ପଟରେ ଘରୋଇ ଦଳ ସିରିଜକୁ ଫେରିବା ପାଇଁ ପ୍ରସ୍ତୁତି ଜୋରଦାର କରିଛି ।

ପ୍ରଥମ ମ୍ୟାଚ୍‌ରେ ଭାରତ ୬୮ ରନ୍‌ରେ ବିଜୟ ହାସଲ କରିଥିଲା । ରୋହିତ ଶର୍ମା ଅର୍ଦ୍ଧଶତକ ଅର୍ଜନ କରି ଫର୍ମକୁ ଫେରିଥିଲେ । ଦିନେଶ କାର୍ତ୍ତିକ ନିମ୍ନ ଭାଗରେ ଦର୍ଶନୀୟ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଆଗକୁ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ରହିଥିବାରୁ କାର୍ତ୍ତିକଙ୍କୁ ଫିନିଶର ଦାୟିତ୍ୱ ପ୍ରଦାନ କରାଯିବା ଏକ ପ୍ରକାର ନିଶ୍ଚିତ ଜଣା ପଡ଼ୁଛି । ବୋଲିଂ ବିଭାଗକୁ ନେଇ ଦଳର ଚିନ୍ତା ଏକପ୍ରକାର ଦୂର ହୋଇଛି । ଜଶପ୍ରୀତ ବୁମରାଙ୍କ ଅନୁପସ୍ଥିତି ଦଳକୁ ପ୍ରଭାବିତ କରୁନାହିଁ । ଭୁବନେଶ୍ୱର କୁମାରଙ୍କ ସହ ଯୁବ ପେସ ବୋଲର ଅର୍ଶଦୀପ ସିଂହ ପେସ୍‌ ବିଭାଗ ସମ୍ଭାଳିବାର କ୍ଷମତା ରଖିଥିବା ପ୍ରମାଣ କରିଛନ୍ତି । ବାକି ସ୍ପିନ ବିଭାଗ ବେଶ୍‌ ଶକ୍ତିଶାଳୀ ରହିଛି । ରବି ଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା ଓ ରବି ବିଷ୍ଣୋଇ ପ୍ରଥମ ମ୍ୟାଚ୍‌ରେ ଘାତକ ସାବ୍ୟସ୍ତ ହୋଇଥିଲେ ।

ମଧ୍ୟକ୍ରମ ବ୍ୟାଟିଂ ବିଭାଗକୁ ନେଇ ଚିନ୍ତା ରହିଛି । ଶ୍ରେୟାସ ଆୟର, ରିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟ୍‌ରୁ ଉପଯୋଗୀ ଇନିଂସ ଆଶା କରାଯାଉଛି । ମଧ୍ୟକ୍ରମ ବ୍ୟାଟରଙ୍କୁ ଆକ୍ରମଣାତ୍ମକ ବ୍ୟାଟିଂ କରିବାକୁ ଦଳ ପ୍ରୋତ୍ସାହିତ କରୁଛି । ଆକ୍ରମଣାତ୍ମକ ବ୍ୟାଟିଂକୁ ରୋହିତଙ୍କ ସମର୍ଥନ ରହିଛି । ତେଣୁ ବିଫଳତାକୁ ନେଇ କେହି ଚିନ୍ତିତ ନାହାନ୍ତି । ୱେଷ୍ଟଇଣ୍ଡିଜ୍‌ ଦଳରେ ଏକାଧିକ ବିସ୍ଫୋରକ ବ୍ୟାଟର ରହିଥିଲେ ହେଁ ବ୍ୟାଟିଂ କ୍ରମରେ ତ୍ରୁଟି ଓ ଦୁର୍ବଳ ରଣନୀତି ଚିନ୍ତା ସୃଷ୍ଟି କରିଛି । ସାଇ ହୋପ, ନିକୋଲାସ ପୂରନ, କେଲି ମେୟର୍ସ ପ୍ରମୁଖ ଫର୍ମରେ ରହିଛନ୍ତି । ତଥାପି ଭାରତକୁ ହରାଇବାକୁ ହେଲେ ବୋଲିଂ ବିଭାଗକୁ ସୁଦୃଢ କରିବାକୁ ପଡ଼ିବ ।

Exit mobile version