Site icon ଆଜିକାଲି

ଆଜି ଏସିଆ କପ୍ ୨୦୨୩ ଫାଇନାଲ, ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା

କଲମ୍ବୋ : ଆଜି ସୁପର ସଣ୍ଡେରେ ସୁପର ମୁକାବିଲା। କଲମ୍ବୋର ଆର୍. ପ୍ରେମଦାସା ଷ୍ଟାଡିୟମରେ ଏସିଆ କପ ୨୦୨୩ର ଫାଇନାଲ ଟକ୍କର । ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ଡିଫେଣ୍ଡିଂ ଚାମ୍ପିଅନ ଶ୍ରୀଲଙ୍କା । ଏସିଆ କପ୍ ଇତିହାସରେ ଏହା ଅଷ୍ଟମ ଥର ଯେବେ ଉଭୟ ଦେଶ ଫାଇନାଲରେ ପରସ୍ପରକୁ ଭେଟିବେ । ପୂର୍ବରୁ ଖେଳାଯାଇଥିବା ଫାଇନାଲରେ ଭାରତ ୪ଟି ଟାଇଟଲ ଜିତିଥିବା ବେଳେ ୩ଟି ଯାଇଛି ଶ୍ରୀଲଙ୍କା ପାଖକୁ ।

ଦିନିକିଆରେ ଏପର୍ଯ୍ୟନ୍ତ ୧୬୬ ଥର ମୁହାଁମହିଁ ହୋଇଛନ୍ତି ଉଭୟ ଭାରତ ଓ ଶ୍ରୀଲଙ୍କା । ଯେଉଁଠି ଭାରତ ୯୭ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୫୭ଟି ମ୍ୟାଚରେ ବାଜି ମାରିଛି ସିଂହଳୀ ଦଳ । ୧୧ଟି ମ୍ୟାଚ୍ ରହିଛି ଅମୀମାଂଶିତ । ଦିନିକିଆରେ ଭାରତ ଶକ୍ତିଶାଳୀ ଥିଲେ ବି ଏସିଆ କପ ଇତିହାସରେ କେହି କାହାଠୁ କମ ନୁହନ୍ତି । ଏସିଆ କପ ଦିନିକିଆରେ ପରସ୍ପରକୁ ୨୦ଥର ଭେଟିଛନ୍ତି ଉଭୟ ଦଳ । ଯେଉଁଠି ୧୦ଟି ମ୍ୟାଚ୍ ଭାରତ ଜିତିଥିବାବେଳେ ଶ୍ରୀଲଙ୍କା ଜିତିଛି ୧୦ଟି ମ୍ୟାଚ।

ଶ୍ରୀଲଙ୍କା ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରବିବାର କଲମ୍ବୋରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ପାଣିପାଗ ପୂର୍ବାନୁମାନ ପ୍ରଦାନ କରୁଥିବା ଓ୍ବେଦରଡଟକମର ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୧୭ରେ କଲମ୍ବୋରେ ପ୍ରାୟ ୮୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ମ୍ୟାଚ୍ ଦିନ ଅପରାହ୍ନ ୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ, ଯାହା ଫଳରେ ମ୍ୟାଚ୍ ରେ ଅସୁବିଧା ହୋଇପାରେ। ଏହାବ୍ୟତୀତ ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫ରୁ ୨୦ କିଲୋମିଟର ରହିପାରେ। ସେହିପରି ତାପମାତ୍ରା ୨୫ରୁ ୩୦ ଡିଗ୍ରି ମଧ୍ୟରେ ରହିପାରେ। ଆର୍ଦ୍ରତା ପାଖାପାଖି ୮୦ ପ୍ରତିଶତ ରହିବ। ତେବେ ସେପ୍ଟେମ୍ବର ୧୮, ସୋମବାରକୁ ଫାଇନାଲ ମ୍ୟାଚ୍ ପାଇଁ ରିଜର୍ଭ ଡେ ଭାବେ ରଖାଯାଇଛି। ସେହିଦିନ ବି ବର୍ଷାର ଆଶଙ୍କା ରହିଛି ।

Exit mobile version