Site icon ଆଜିକାଲି

ଆଜି ନୌସେନାରେ ସାମିଲ ହେବ ଆଇଏନ୍‌ଏସ୍ ବିକ୍ରାନ୍ତ

ଥିରୁଅନନ୍ତପୁରମ/ବେଙ୍ଗାଲୁରୁ : ଦୁଇ ଦିନିଆ କେରଳ ଓ କର୍ଣ୍ଣାଟକ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଗୁରୁବାର କେରଳରେ ପହଞ୍ଚିଥିବା ବେଳେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଆଜି ସେ କୋଚିରେ ଭାରତୀୟ ନୌସେନା ପାଇଁ ନିର୍ମିତ ବିମାନବାହକ ଜାହାଜ ଆଇଏନ୍‌ଏସ୍‌ ବିକ୍ରାନ୍ତକୁ ନୌସେନାରେ ସାମିଲ କରାଇବେ । ଆଜି ଏହି କାର୍ଯ୍ୟକ୍ରମ ପରେ ସେ କର୍ଣ୍ଣାଟକର ମାଙ୍ଗାଲୋରରେ ପହଞ୍ଚିବେ । ସେଠାରେ ମଧ୍ୟ ସେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ ସହ ଅନ୍ୟ କିଛି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ।

ଗତ ଗୁରୁବାର ପ୍ରଧାନମନ୍ତ୍ରୀ କେରଳରେ ପହଞ୍ଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଦ୍ବାରା ଭବ୍ୟ ସ୍ବାଗତ କରାଯାଇଥିଲା । ବିମାନ ବନ୍ଦରରୁ ସଭାସ୍ଥଳକୁ ଯିବା ବେଳେ ପ୍ରବଳ ବର୍ଷା ସତ୍ତ୍ବେ ମଧ୍ୟ ଲୋକଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । କେରଳରେ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ‘ଦେଶରେ ଅତ୍ୟାଧୁନିକ ଭିତ୍ତିଭୂମି ପ୍ରତିଷ୍ଠା କରିବାକୁ ହେଲେ ସମଗ୍ର ଦେଶବାସୀଙ୍କୁ ମୌଳିକ ସୁବିଧା ଯୋଗାଇବା ନିହାତି ଆବଶ୍ୟକ । ତାଙ୍କ ସରକାର ଏ ଦିଗରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ ଜାରି ରଖିଛି ।’

ଦେଶର ପ୍ରକୃତ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇବା ପାଇଁ କେନ୍ଦ୍ର ସରକାର କାର୍ଯ୍ୟ ଜାରି ରଖିଛନ୍ତି । ଏହି ଯୋଜନା ଅଧୀନରେ କେରଳରେ ବର୍ତ୍ତମାନ ୨ ଲକ୍ଷ ଲୋକଙ୍କୁ ଘର ଯୋଗାଇବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏବେ ସୁଦ୍ଧା ପ୍ରାୟ ଦେଢ ଲକ୍ଷ ଘର ନିର୍ମାଣ ଶେଷ ହୋଇ ସାରିଛି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଦକ୍ଷିଣ ରାଜ୍ୟ କେରଳ ପାଇଁ ଏକାଧିକ କ୍ଷେତ୍ରରେ କେନ୍ଦ୍ର ସରକାର ନିକଟ ଅତୀତରେ ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି ।

ଆଜି ପ୍ରଧାନମନ୍ତ୍ରୀ କୋଚିରେ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍‌ଏସ୍‌ ବିକ୍ରାନ୍ତକୁ ଭାରତୀୟ ନୌସେନାରେ ସାମିଲ କରାଇବେ । ଏହି ଅତ୍ୟାଧୁନିକ ବିଶାଳ ବିମାନବାହକ ଯୁଦ୍ଧପୋତ କୋଚିନ ସିପୟାର୍ଡ ଲିମିଟେଡ ଦ୍ବାରା ନିର୍ମିତ ହୋଇଛି । ପ୍ରଧାନମନ୍ତ୍ରୀ ଏହାର ନୌସେନା ଲୋକାର୍ପଣ ପରେ କର୍ଣ୍ଣାଟକ ଅଭିମୁଖେ ଯାତ୍ରା କରିବେ । ସେଠାରେ ସେ ପୋର୍ଟସିଟି ମାଙ୍ଗାଲୋରରେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ସାଙ୍ଗକୁ କିଛି ପ୍ରକଳ୍ପର ଉଦଘାଟନ ମଧ୍ୟ କରିବାର କାର୍ଯ୍ୟକ୍ରମ ରଖାଯାଇଛି ।

Exit mobile version