Site icon ଆଜିକାଲି

ଆଜି ଆଇପିଏଲ ମହା-ମୁକାବିଲା : ଗୁଜରାଟ-ଚେନ୍ନାଇ ମଧ୍ୟରେ ଟାଇଟଲ ଟକ୍କର

ଅହମ୍ମଦାବାଦ : ଆଇପିଏଲ-୨୦୨୩ ମହା ମୁକାବିଲା ପାଇଁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ପ୍ରସ୍ତୁତ । ରବିବାର ସନ୍ଧ୍ୟାରେ ଆଇପିଏଲ ଟାଇଟଲ ପାଇଁ ମୁକାବିଲା । ଦୁଇ ଶ୍ରେଷ୍ଠ ଦଳ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍‌ସ ମଧ୍ୟରେ ହେବ ଟକ୍କର। ଟାଇଟଲ ବଜାୟ ରଖିବା ପାଇଁ ଟାଇଟନ୍ସ ପ୍ରସ୍ତୁତ ଥିବାବେଳେ ସୁପରକିଙ୍ଗ୍‌ସ ମଧ୍ୟ ପଞ୍ଚମ ଥର ପାଇଁ ଟ୍ରଫି ହାତେଇବାକୁ ରଣନୀତି ପ୍ରସ୍ତୁତ କରିଛି।

ଆଇପିଏଲ୍‌ର ୧୬ତମ ସଂସ୍କରଣ ଯେଉଁଠୁ ଆରମ୍ଭ ହୋଇଥିଲା, ଆଜି ଠିକ୍‌ ସେହି ସ୍ଥାନରେ ପହଞ୍ଚିଛି । ଅହମ୍ମଦାବାଦରେ ଟାଇଟନ୍ସ ଓ ସୁପରକିଙ୍ଗ୍‌ସ ମଧ୍ୟରେ ଉଦ୍‌ଘାଟନୀ ମୁକାବିଲାରୁ ଆଇପିଏଲ୍‌ ଆରମ୍ଭ ହୋଇଥିଲା । ୭୩ଟି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ପରେ ପୁନର୍ବାର ଉଭୟ ଦଳ ସେହି ଷ୍ଟାଡିୟମ୍‌ରେ ଫାଇନାଲ ମୁକାବିଲା ଖେଳିବେ । ଚଳିତ ସିଜନରେ ଉଭୟ ଦଳ ତୃତୀୟ ଥର ପାଇଁ ପରସ୍ପରକୁ ଭେଟିବେ । ପ୍ରଥମ ମ୍ୟାଚ୍‌ରେ ଟାଇଟନ୍ସ ଆଧିପତ୍ୟ ଜାହିର କରି ବିଜୟୀ ହୋଇଥିଲା । ଏହାପରେ ଉଭୟ ଦଳ ପଏଣ୍ଟ ତାଲିକାର ପ୍ରଥମ ୨ଟି ସ୍ଥାନରେ ରହି ଲିଗ୍‌ ପର୍ଯ୍ୟାୟ ଶେଷ କରିଥିଲେ । ପ୍ରଥମ କ୍ୱାଲିଫାୟରରେ ଟାଇଟନ୍ସକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିବା ମାହୀ ବାହିନୀ । ସେହିପରି ଦ୍ବିତୀୟ କ୍ବାଲିଫାୟର ମ୍ୟାଚରେ ମୁମ୍ବାଇକୁ ଗୁଜରାଟ ହରାଇ ଟାଇଟଲ ଜିତିବାକୁ ପ୍ରସ୍ତୁତ ହୋଇ ରହିଛି ।

ଅହମ୍ମଦାବାଦରେ ଉଭୟ ଦଳ ଇତି ମଧ୍ୟରେ ୩ଥର ମୁହାଁମୁହିଁ ହୋଇଛନ୍ତି । ଟାଇଟନ୍ସ ସମସ୍ତ ମ୍ୟାଚ୍‌ ଜିତିଛି । ସେହିପରି ଟାଇଟନ୍ସ ମୋଟ୍ ୯ଟି ମ୍ୟାଚ ଖେଳି ୬ଟିରେ ବିଜୟ ହାସଲ କରିଛି । ଅନ୍ୟପଟେ ମହୀ-ଆଣ୍ଡ-କୋ ଟାଇଟନ୍ସକୁ ହରାଇବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି। ଜବରଦସ୍ତ ଫର୍ମରେ ଥିବା ଶୁବମନ ଗିଲଙ୍କୁ ଅଟକାଇବାକୁ ପ୍ରୟାସ କରିବ ସିଏସକେ । ଚଳିତ ସିଜନରେ ଗିଲ୍ ୩ଟି ଶତକ ମାରି ବିରୋଧୀ ବୋଲରଙ୍କୁ ଧୂଳି ଚଟାଇ ଦେଇଛନ୍ତି । ୧୬ଟି ମ୍ୟାଚରୁ ୮୫୧ ରନ୍ ସଂଗ୍ରହ କରି ଅରେଞ୍ଜ କ୍ୟାପ ହୋଲ୍ଡର ହୋଇଛନ୍ତି ।

ଆଜି ମହମ୍ମଦ ସାମି ଓ ସୁପରକିଙ୍ଗ୍‌ସ ଓପନରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହେବ । ସାମି ଇତି ମଧ୍ୟରେ ଡେଭନ କନୱେଙ୍କୁ ୩ଥର ଆଉଟ୍‌ କରିସାରିଛନ୍ତି । ମହମ୍ମଦ ସାମି ୧୬ଟି ମ୍ୟାଚରୁ ୨୮ଟି ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ସେପଟେ ସିଏସକେ ବୋଲର ପଥିରାନାଙ୍କ ସହିତ ଟାଇଟନ୍ସ ଓପନରଙ୍କ ମଧ୍ୟରେ ଲଢେଇ ହେବ । ତେବେ ଆଜିର ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ ।

Exit mobile version