Site icon ଆଜିକାଲି

ଆଜି ସିରିଜ୍ ନିର୍ଣ୍ଣାୟକ ତୃତୀୟ ଟି୨୦: ବିଜୟ ଲକ୍ଷ୍ୟରେ ଭାରତ-ଶ୍ରୀଲଙ୍କା

ରାଜକୋଟ୍: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ସିରିଜ୍ ନିର୍ଣ୍ଣାୟକ ତୃତୀୟ ଟି-୨୦ ଶନିବାର ଏଠାରେ ଖେଳାଯିବ । ସିରିଜ୍ ଜିତିବାକୁ ହେଲେ ଭାରତୀୟ ଦ୍ରୁତ ବୋଲର ଓ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ପୂର୍ବ ପରାଜୟରୁ ଶିକ୍ଷା ଲାଭ କରି ତ୍ରୁଟି ସୁଧାରିବାକୁ ପଡ଼ିବ।

ପ୍ରଥମ ମ୍ୟାଚରେ ଶେଷ ବଲରେ ଜିତିବା ପରେ ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚରେ ୧୬ ରନରେ ହାରି ଯାଇଥିଲା।
ଯୁବ ପେସ୍ ବୋଲରଙ୍କ ଖରାପ ପ୍ରଦର୍ଶନ ପରାଜୟର ଏକ ପ୍ରମୁଖ କାରଣ ଥିଲା । କିନ୍ତୁ ଉମ୍ରାନ୍ ମଲିକ୍ ଏବଂ ଶିବମ୍ ମାଭି ଜାଣନ୍ତି ଯେ ଏଥିରୁ ସେମାନଙ୍କୁ ଅନେକ କିଛି ଶିଖିବାକୁ ଅଛି | ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ସେମାନଙ୍କ ଖରାପ ଲାଇନ୍ ଓ ଲନ୍ଥର ଫାଇଦା ଉଠାଇଥିଲେ । ଆଘାତରୁ ସୁସ୍ଥ ହେବା ପରେ ଦଳକୁ ଫେରିଥିବା ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂ ତାଙ୍କ ଦୁଇ ଓଭରରେ ପାଞ୍ଚଟି ନୋ-ବଲ୍ ପକାଇଥିଲେ। ସେ ପ୍ରଥମ ଓଭରରେ ତିନିଥର ଓଭର ଷ୍ଟେପ୍ କରିଥିବା ବେଳେ ଟି-୨୦ରେ ହ୍ୟାଟ୍ରିକ୍ ନୋ-ବଲ୍ କରିବାରେ ପ୍ରଥମ ଭାରତୀୟ ବୋଲର ହୋଇଥିଲେ ।

ପ୍ରଥମ ମ୍ୟାଚ୍‌ରେ ଚମତ୍କାର ଡେବ୍ୟୁ କରିଥିବା ଉଭୟ ମାଭି ଏବଂ ଅର୍ଶଦୀପ ମାତ୍ରାଧିକ ନୋ-ବଲ୍ କରିଥିଲେ। ଏଭଳି ସ୍ଥିତିରେ କ୍ୟାପଟେନ ହାର୍ଦିକ ପାଣ୍ଡ୍ୟାଙ୍କୁ ସ୍ପିନରଙ୍କ ଉପରେ ନିର୍ଭର କରିବାକୁ ପଡିଥିଲା। ଉଲ୍ଲେଖଥାଉ କି, କେବଳ ଗୋଟିଏ ମ୍ୟାଚରେ ଖରାପ ପ୍ରଦର୍ଶନ ପାଇଁ ଯୁବ ଖେଳାଳିଙ୍କୁ ଦୋଷ ଦିଆଯାଇ ପାରିବ ନାହିଁ । କାରଣ ସେମାନଙ୍କୁ ଅଭିଜ୍ଞତା ଆବଶ୍ୟକ |

ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କହିଛନ୍ତି, “ଏଭଳି ମ୍ୟାଚ୍ ଯୁବ ଖେଳାଳିଙ୍କ କ୍ୟାରିଅରରେ ଆସିବ ‌। ଆମକୁ ଧୈର୍ଯ୍ୟ ଧରିବାକୁ ପଡିବ। କିନ୍ତୁ ଆମକୁ ବୁଝିବାକୁ ହେବ ଯେ ଏହିପରି ପ୍ରଦର୍ଶନ ହେବା ଉଚିତ ନୁହେଁ । ସେ କହିଛନ୍ତି, “ସେମାନେ ଶିଖୁଛନ୍ତି। ଏହା କଷ୍ଟସାଧ୍ୟ। ଆନ୍ତର୍ଜାତୀୟ କ୍ରିକେଟ୍ ସହଜ ନୁହେଁ। ଆମକୁ ସଂଯମର ସହ କାର୍ଯ୍ୟ କରିବାକୁ ପଡିବ।

ବ୍ୟାଟିଂରେ ଟପ୍ ଅର୍ଡର ପୁଣି ଥରେ ଭଲ ଆରମ୍ଭ କରିବାରେ ବିଫଳ ହୋଇଥିଲା। ଲଗାତାର ଦ୍ୱିତୀୟ ଥର ପାଇଁ ଶୁଭମାନ ଗିଲ୍ ବିଫଳ ହୋଇଥିଲେ । ରାହୁଲ ତ୍ରିପାଠୀଙ୍କ ପରି ସେ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାଁନ୍ତି। ତ୍ରିପାଠୀ ମଧ୍ୟ ତାଙ୍କର ପ୍ରଥମ ମ୍ୟାଚ୍‌ରେ ଫେଲ୍ ମାରିଥିଲେ । ଦଳର ଅଧା ବ୍ୟାଟ୍ସମ୍ୟାନ୍ ୬୦ ରନ୍ ମଧ୍ୟରେ ପାଭିଲିୟନକୁ ଫେରିଥିଲେ। ଏହା ପରେ ଅକ୍ଷର ପଟେଲ ଏବଂ ସୂର୍ଯ୍ୟକୁମାର ଯାଦବ ଭଲ ବ୍ୟାଟିଂ କରିଥିଲେ। ଅକ୍ଷରଙ୍କ ରୂପରେ ଭାରତ ରବିନ୍ଦ୍ର ଜାଡେଜାଙ୍କ ପରି ଏକ ଉପଯୋଗୀ ଅଲରାଉଣ୍ଡର ପାଇଛି। ଦଳ ଏହାର କୋର୍ ଖେଳାଳିଙ୍କୁ ଅଧିକ ସୁଯୋଗ ଦେବ କାରଣ ବର୍ତ୍ତମାନ ଏହି ଫର୍ମାଟରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଯୁଗ ଶେଷ ହୋଇ ଆସୁଛି। ନିର୍ଣ୍ଣାୟକ ମ୍ୟାଚରେ ଦଳରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା କମ୍ । କୋଚ୍ ଦ୍ରାବିଡ ଏହା ପୂର୍ବରୁ ମଧ୍ୟ କହିଛନ୍ତି ଯେ ସେ ଅଧିକ ପରିବର୍ତ୍ତନ ପସନ୍ଦ କରନ୍ତି ନାହିଁ।

ପ୍ରଥମ ମ୍ୟାଚରେ ହାରିବା ପରେ ଏସିଆ କପ୍ ଚାମ୍ପିଅନ୍ ଶ୍ରୀଲଙ୍କା ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଭାରତ ପାଇଁ ସତର୍କ ଘଣ୍ଟି ବଜାଇଛି । ତେବେ ଦଳ ଏହାର ମିଡିଲ୍ ଅର୍ଡରରୁ ଭଲ ପ୍ରଦର୍ଶନ ଆଶା ରଖିଛି । ରାଜକୋଟର ପିଚ୍ ମଧ୍ୟ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ ବୋଲି ଆଶା କରାଯାଉଛି। ଟସ୍‌ର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ ଏବଂ ଉଭୟ ଅଧିନାୟକ ପ୍ରଥମେ ବୋଲିଂ କରିବାକୁ ଚାହିଁବେ।

Exit mobile version