Site icon ଆଜିକାଲି

ଟ୍ରମ୍ପଙ୍କ ବଢ଼ିଲା ଅଡ଼ୁଆ, ଗୋପନୀୟ ଦସ୍ତାବିଜ ରଖିବା ମାମଲାରେ ଦୋଷୀ ସାବ୍ୟସ୍ତ

ମାୟାମି (ଆମେରିକା): ଗୋପନୀୟ ଦସ୍ତାବିଜ ରଖିବା ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଟ୍ରମ୍ପ ପୁଣିଥରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାକୁ ଚାହୁଁଥିବା ବେଳେ ଏହି ମାମଲା ତାଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିପାରେ ।

ଯଦିଓ ନ୍ୟାୟ ବିଭାଗ ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ ନେଇ ଔପଚାରିକ ଘୋଷଣା କରିନାହିଁ, କିନ୍ତୁ ଏ ବିଷୟରେ ଅବଗତ ଥିବା ଦୁଇଜଣ ବ୍ୟକ୍ତି ଏହା ସ୍ପଷ୍ଟ କରିଛନ୍ତି । ନାମ ଗୋପନ ରଖିବା ସର୍ତ୍ତରେ ସେମାନେ କହିଛନ୍ତି ଯେ ଟ୍ରମ୍ପଙ୍କ ବିରୋଧରେ ୭ଟି ଅପରାଧିକ ମାମଲା ରହିଛି। ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୋଇଥିବା ନେଇ ତାଙ୍କ ଓକିଲଙ୍କୁ ମଧ୍ୟ ଜଣାଇ ଦିଆଯାଇଛି । ଟ୍ରମ୍ପ ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଟ୍ରୁଥ ସୋସିଆଲ’ରେ ମଧ୍ୟ ଏହି କଥା ସ୍ପଷ୍ଟ କରିଛନ୍ତି ।ନ୍ୟାୟ ବିଭାଗର ଇତିହାସରେ ଏହି ମାମଲା ସବୁଠାରୁ ଗମ୍ଭୀର ବୋଲି କୁହାଯାଇଛି।

ଅନ୍ୟପଟେ ଟ୍ରମ୍ପ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ଯେ ମୁଁ ନିର୍ଦ୍ଦୋଷ । ଏହି ମାମଲା ମୋତେ ଫସାଇବାକୁ ଏକ ଷଡ଼ଯନ୍ତ୍ର । ଏହି ମାମଲା ଟ୍ରମ୍ପଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ । କାରଣ ସେ ନ୍ୟୁୟର୍କରେ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ୱାଶିଂଟନ୍ ଏବଂ ଆଟଲାଣ୍ଟାରେ ମଧ୍ୟ ତାଙ୍କ ବିରୋଧରେ ଅନ୍ୟ ମାମଲାରେ ଯାଞ୍ଚ ଚାଲିଛି।ରାଷ୍ଟ୍ରପତି ପଦ ଛାଡ଼ିବା ପରେ ଟ୍ରମ୍ପ ଶହ ଶହ ଗୋପନୀୟ ଦସ୍ତାବିଜ ତାଙ୍କ ପାମ୍ ବିଚ୍ ବାସଭବନ ମାର୍-ଏ-ଲାଗୋକୁ ନେଇଯାଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଏନେଇ ତାଙ୍କ ବିରୋଧରେ ସ୍ୱତନ୍ତ୍ର ଓକିଲ ଜ୍ୟାକ୍ ସ୍ମିଥ ମାସେ କାଳ ଧରି ତଦନ୍ତ ପରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।

ସରକାରୀ ପକ୍ଷ ସୂଚନା ମୁତାବକ, ହ୍ବାଇଟ୍ ହାଉସ ଛାଡିବା ପରେ ଟ୍ରମ୍ପ ତାଙ୍କ ମାର-ଏ-ଲାଗୋ ବାସଭବନକୁ ପ୍ରାୟ ୩୦୦ ଗୋପନୀୟ ଦସ୍ତାବିଜ ନେଇଯାଇଥିଲେ। ଗତ ବର୍ଷ ଅଗଷ୍ଟ ମାସରେ ତାଙ୍କ ଘରେ ତଲାସୀ ବେଳେ ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫବିଆଇ) ପ୍ରାୟ ୧୦୦ ଦସ୍ତାବିଜ ଜବତ କରିଥିଲା ।

Exit mobile version