Site icon ଆଜିକାଲି

ଗୋପନ ଦସ୍ତାବିଜ ମାମଲା: କୋର୍ଟରେ ଆତ୍ମସମର୍ପଣ କଲେ ଟ୍ରମ୍ପ, ନିଜକୁ କହିଲେ ନିର୍ଦ୍ଦୋଷ

ଓ୍ୱାଶିଂଟନ: ଗୋପନ ଦସ୍ତାବିଜ ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମିଆମିର ଫେଡେରାଲ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଟ୍ରମ୍ପ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି ।

ଏହାପୂର୍ବରୁ ଶୁକ୍ରବାର ଗୋପନ ଦସ୍ତାବିଜ ମାମଲାରେ ଟ୍ରମ୍ପଙ୍କ ବିରୋଧରେ ଫେଡେରାଲ୍ ଅଭିଯୋଗ ସାର୍ବଜନୀନ କରାଯାଇଥିଲା। ଗୋପନୀୟ ଦସ୍ତାବିଜ ରଖିବା, ନ୍ୟାୟ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ଏବଂ ମିଥ୍ୟା ବୟାନ ଦେବା ଆଦି ୩୭ଟି ଅପରାଧିକ ମାମଲା ତାଙ୍କ ବିରୋଧରେ ରୁଜୁ କରାଯାଇଛି। ତାଙ୍କ ବିରୋଧରେ ସବୁ ଅଭିଯୋଗକୁ ଟ୍ରମ୍ପ ହାସ୍ୟାସ୍ପଦ ଏବଂ ଭିତ୍ତିହୀନ ବୋଲି କହିଥିଲେ ।

ନ୍ୟାୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଯେତେବେଳେ ଜାନୁଆରୀ ୨୦୨୧ରେ ଟ୍ରମ୍ପ ହ୍ବାଇଟ୍ ହାଉସ ଛାଡିଥିଲେ, ସେତେବେଳେ ସେ ତାଙ୍କ ସହ ପେଣ୍ଟାଗନ୍, ସିଆଇଏ, ନ୍ୟାସନାଲ ସିକ୍ୟୁରିଟି ଏଜେନ୍ସି ଏବଂ ଅନ୍ୟ ଗୁପ୍ତଚର ସଂସ୍ଥା ଗୁଡ଼ିକର ଅତି ସମ୍ବେଦନଶୀଳ ଓ ଗୋପନୀୟ ଫାଇଲଗୁଡ଼ିକୁ ନେଇଯାଇଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଟ୍ରମ୍ପ ଏହି ଫାଇଲ୍ ଗୁଡ଼ିକୁ ତାଙ୍କ ବାଥରୁମ୍ ଏବଂ ବଲରୁମରେ ଲୁଚାଇ ରଖିଥିଲେ।

ଅଭିଯୋଗରେ ଦର୍ଶାଯାଇଛି ଯେ ଟ୍ରମ୍ପ ନିଜେ ଦସ୍ତାବିଜ ଭର୍ତ୍ତି ବକ୍ସକୁ ତାଙ୍କ ମାର-ଏ-ଲାଗୋ ଇଷ୍ଟେଟକୁ ସ୍ଥାନାନ୍ତର କରିବାରେ ସାମିଲ ଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଟ୍ରମ୍ପଙ୍କ ବାସଭବନରୁ ଏଫବିଆଇ ଯେଉଁ ଅତ୍ୟନ୍ତ ସମ୍ବେଦନଶୀଳ ଗୋପନ ଦସ୍ତାବିଜ ଜବତ କରିଥିଲା ସେଥିରେ ଅନ୍ୟ ଦେଶ ଗୁଡ଼ିକର ଆଣବିକ କ୍ଷମତା ସମ୍ପର୍କିତ ବିବରଣୀ ରହିଛି।

ଜୁନ୍ ୧୦ରେ ଫ୍ଲୋରିଡାସ୍ଥିତ ଫେଡେରାଲ କୋର୍ଟରେ ଦାଖଲ ହୋଇଥିବା ଅଭିଯୋଗ ଅନୁଯାୟୀ ଟ୍ରମ୍ପ ତାଙ୍କ ମାର-ଏ-ଲାଗୋ ନିବାସ ଏବଂ କ୍ଲବରେ ଏହି ଗୋପନ ଦସ୍ତାବିଜ ଗୁଡ଼ିକୁ ଅସୁରକ୍ଷିତ ଭାବେ ରଖିଥିଲେ, ଯେଉଁଠି ନିୟମିତ ଅନୁଷ୍ଠିତ ଇଭେଣ୍ଟ ପାଇଁ ହଜାର ହଜାର ଅତିଥି ଆସୁଥିଲେ । ଅଭିଯୋଗରେ କୁହାଯାଇଛି ଯେ ଦସ୍ତାବିଜ ଗୁଡ଼ିକୁ ବେଆଇନ ଭାବେ ସାର୍ବଜନୀନ କରିବା ଆମେରିକାର ଜାତୀୟ ସୁରକ୍ଷାକୁ ବିପଦରେ ପକାଇପାରେ।

Exit mobile version