Site icon ଆଜିକାଲି

ତୁର୍କୀ-ସିରିୟା ଭୂମିକମ୍ପ ମୃତ୍ୟୁ ସଂଖ୍ୟା ୩୬ହଜାର ଟପିଲା

ଅଙ୍କାରା/ଦମାସ୍କସ୍‌ : ତୁର୍କୀ ଓ ସିରିୟା ଭୂମିକମ୍ପ ଜନିତ ମୃତ୍ୟୁସଂଖ୍ୟା ୩୬ହଜାର ଅତିକ୍ରମ କରିଛି। ଭୂମିକମ୍ପ ହେବାର ୭ଦିନ ବିତି ଯାଇଥିବାବେଳେ ଧ୍ବଂସାବଶେଷ ମଧ୍ୟରୁ ମୃତ ଓ ଜୀବିତ ଲୋକଙ୍କୁ ଉଦ୍ଧାର ଜାରି ରହିଛି। ମୃତ୍ୟୁସଂଖ୍ୟା ନିୟମିତ ଭାବେ ବୃଦ୍ଧି ପାଇଚାଲିଥିବାବେଳେ ଧ୍ବଂସାବଶେଷ ମଧ୍ୟରୁ କିଛି ଜୀବିତ ଲୋକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି।

ସୋମବାର ତୁର୍କୀ ଗାଜିଆନ୍ତେପ ପ୍ରଦେଶର ଭଗ୍ନାବଶେଷ ମଧ୍ୟରୁ ଜଣେ ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ଉଦ୍ଧାର ମହିଳା ଜଣଙ୍କ ହେଉଛନ୍ତି ସିବେଶ କାୟା (୪୦)। ଭୂମିକମ୍ପର ୭ଦିନ ଅର୍ଥାତ୍ ୧୭୦ ଘଣ୍ଟା ପରେ ମହିଳା ଜୀବନ୍ତ ଉଦ୍ଧାର ହେବା ଆଶ୍ଚର୍ଯ୍ୟର ବିଷୟ ହୋଇଛି। ମହିଳାଙ୍କୁ ଉଦ୍ଧାର ପରେ ଦକ୍ଷିଣ ହାଟାଏ ପ୍ରଦେଶର ଆଉ ଜ​ଣେ‌ ବାଳକକୁ ମଧ୍ୟ ଜୀବନ୍ତ ଉଦ୍ଧାର କରାଯାଇଛି। ଉଦ୍ଧାର ବାଳକର ବୟସ ୧୩ବର୍ଷ। ଭୂମିକମ୍ପର ୧୮୨ ଘଣ୍ଟା ପରେ ଉକ୍ତ ବାଳକକୁ ଉଦ୍ଧାର କରାଯାଇଛି। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭଗ୍ନାବଶେଷ ମଧ୍ୟରୁ ଲୋକଙ୍କୁ ଜୀବିତ ଉଦ୍ଧାର ପରେ ଉଦ୍ଧାରକାରୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ସେମାନେ ଦିନ ରାତି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ରବିବାର ମଧ୍ୟ ଭଗ୍ନାବଶେଷ ମଧ୍ୟରୁ ୩ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିଲା। ଏବେସୁଦ୍ଧା ସମସ୍ତ ସ୍ଥାନରେ ଉଦ୍ଧାର କାର୍ଯ୍ୟ କରାଯାଇପାରି ନାହିଁ। ତେବେ ଜାତିସଂଘ କହିଛି ଯେ ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏବେ ଲୋକଙ୍କୁ ବାସସ୍ଥାନ, ଖାଦ୍ୟ, ସ୍ବାସ୍ଥ୍ୟସେବା ଓ ଅନ୍ୟାନ୍ୟ ସୁବିଧା ଯୋଗାଇବା ଉପରେ ଗୁରୁତ୍ବ ଦିଆଯିବ।

Exit mobile version