Site icon ଆଜିକାଲି

ଅମୃତପାଲ ସିଂଙ୍କୁ ସମର୍ଥନ କରିଥିବା ସାଂସଦଙ୍କ ଆକାଉଣ୍ଟ ବନ୍ଦ କଲା ଟ୍ବିଟର

ନୂଆଦିଲ୍ଲୀ: ଖଲିସ୍ତାନ ସମର୍ଥକ ତଥା ‘ଓ୍ବାରିସ ପଞ୍ଜାବ ଦେ’ ମୁଖ୍ୟ ଅମୃତପାଲ ସିଂଙ୍କ ବିରୋଧରେ ଚାଲିଥିବା କାର୍ଯ୍ୟାନୁଷ୍ଠାନ ଉପରେ କେନ୍ଦ୍ର ତୀକ୍ଷଣ ନଜର ରଖିଛି। ଗତ ତିନି ଦିନ ଧରି ଅମୃତପାଲ ସିଂ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ଅପରେସନ ଜାରି ରହିଥିବାବେଳେ ତାଙ୍କ ସମର୍ଥକଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ମଧ୍ୟ ଅଙ୍କୁଶ ଲଗାଯାଇଛି । ଅମୃତପାଲ ସିଂଙ୍କ ସମର୍ଥନ କରିବା ଯୋଗୁଁ ଏବେ ଜଣେ ସାଂସଦଙ୍କ ଆକାଉଣ୍ଟ ବନ୍ଦ କରିଛି ଟ୍ବିଟର ।

ଅମୃତପାଲ ସିଂ ଏବଂ ଖାଲିସ୍ତାନ ସମର୍ଥକ ତଥା ସାଙ୍ଗରୁର ସାଂସଦ ସିମରନଜିତ୍ ସିଂ ମାନ୍ ଙ୍କ ବିରୋଧରେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ସରକାର ସିମରନଜିତ ସିଂ ମାନଙ୍କ ଟ୍ୱିଟର ଆକାଉଣ୍ଟ ସିମରାନଜିତସଡାକୁ ସସପେଣ୍ଡ୍ କରିଛନ୍ତି। କିନ୍ତୁ ତାଙ୍କ ପାର୍ଟି ଶିରୋମଣି ଅକାଳି ଦଳ (ଅମୃତସର)ର ଆକାଉଣ୍ଟ ଆକ୍ଟିଭ୍ ଅଛି। ସୂଚନାଯୋଗ୍ୟ, ଖଲିସ୍ତାନ ସମର୍ଥକ ସିମରନଜିତ ସିଂ ଆରମ୍ଭରୁ ଅମୃତପାଲ ସିଂଙ୍କୁ ଖୋଲାଖୋଲି ସମର୍ଥନ କରିଆସୁଛନ୍ତି।

ଅମୃତପାଲ ସିଂଙ୍କ ବିରୋଧରେ ଅଭିଯାନ ପରେ ଯେତେବେଳେ ତାଙ୍କୁ ଜଲନ୍ଧର ପୋଲିସ କମିଶନର ପଳାତକ ଘୋଷିତ କରିଥିଲେ, ସେତେବେଳେ ସାଂସଦ ସିମରନଜିତ ସିଂ ମାନ୍ ତାଙ୍କ ଏନକାଉଣ୍ଟର ନେଇ ଆଶଙ୍କା ପ୍ରକାଶ କରିଥିଲେ।

ଗତ ବର୍ଷ ସିମରନଜିତ୍ ସିଂ ମାନ୍ ସାଙ୍ଗରୁର ଲୋକସଭା ଉପନିର୍ବାଚନ ଜିତିଥିଲେ। ମାନ ୧୯୪୫ ମସିହାରେ ଅବିଭକ୍ତ ପଞ୍ଜାବର ଶିମଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଲେଫ୍ଟ କର୍ଣ୍ଣଲ ଜୋଗିନ୍ଦର ସିଂ ମାନ୍ ୧୯୬୭ ମସିହାରେ ପଞ୍ଜାବ ବିଧାନସଭାର ବାଚସ୍ପତି ଥିଲେ। ମାନ୍ ଜଣେ ପୂର୍ବତନ ପୋଲିସ ଅଧିକାରୀ।

୧୯୮୪ରେ ‘ଅପରେସନ୍ ବ୍ଲୁ ଷ୍ଟାର’କୁ ବିରୋଧ କରି ଚାକିରିରୁ ଇସ୍ତଫା ଦେଇଥିଲେ। ସେ ମଧ୍ୟ ପାଞ୍ଚ ବର୍ଷ ଜେଲରେ ରହିଥିଲେ। ସିମରନଜିତ୍ ପ୍ରଥମେ ୧୯୮୯ରେ ତରନ ତରାନରୁ ଲୋକସଭା ନିର୍ବାଚନ ​​ଜିତିଥିଲେ । ସେତେବେଳେ ତାଙ୍କର ବିଜୟ ଦେଶର ସବୁଠାରୁ ବଡ ବିଜୟ ଥିଲା। ସେହି ସମୟରେ ତରନ ତାରନକୁ ଖଲିସ୍ତାନର ଗଡ଼ ଭାବେ ବିବେଚନା କରାଯାଉଥିଲା ।

Exit mobile version