Site icon ଆଜିକାଲି

ବଦଳିଲା ଟ୍ବିଟର ଲୋଗୋ, ‘ପକ୍ଷୀ’ର ସ୍ଥାନ ନେଲା ‘କୁକୁର’ ‌‌

ନ୍ୟୁୟର୍କ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ବିଟରକୁ କିଣିବା ପରଠୁ ଏଲନ୍ ମସ୍କ ଏଥିରେ ଅନେକ ବଡ଼ ପରିବର୍ତ୍ତନ ଘୋଷଣା କରିଛନ୍ତି । ଏବେ ଏହି କ୍ରମରେ କମ୍ପାନୀର ଲୋଗୋ ମଧ୍ୟ ପରିବର୍ତ୍ତନ କରିଛନ୍ତି ମସ୍କ। ଟ୍ବିଟରର ନୂଆ ଲୋଗୋ ନେଇ ୟୁଜରମାନେ ମଧ୍ୟ ଦ୍ଵନ୍ଦରେ ପଡିଛନ୍ତି । କିଛି ୟୁଜର ଏହା କ’ଣ କିଛି ବୁଝିପାରୁନଥିବା ବେଳେ ଆଉ କିଛି ଲୋକ ଏହାକୁ କେବଳ ଏକ ଉପହାସ ବୋଲି କହିଛନ୍ତି ।

ଆରମ୍ଭରୁ ଟ୍ୱିଟରର ଲୋଗୋ ଏକ ନୀଳ ପକ୍ଷୀ ଥିଲା । କିନ୍ତୁ ବର୍ତ୍ତମାନ ଏହି ଲୋଗୋ ଉଭାନ ହୋଇଯାଇଛି । ନୀଳ ପକ୍ଷୀ ବଦଳରେ ଏବେ ଏକ ‘କୁକୁର’ ହୋଇଛି ଟ୍ବିଟରର ନୂଆ ଲୋଗୋ । ଏହି କୁକୁର ହେଉଛି କ୍ରିପ୍ଟୋକରେନ୍ସି ‘ଡଜକ୍ଏନ୍’ ର ଲୋଗୋ । ଏହା ଏବେ ଟ୍ବିଟରରେ ‘ନୀଳପକ୍ଷୀ’ର ସ୍ଥାନ ନେଇଛି । କେବଳ ଟ୍ବିଟରର ଓ୍ବେବ୍ ଭର୍ସନରେ ହିଁ ଏହି ନୂଆ ଲୋଗୋ ଦେଖିବାକୁ ମିଳୁଛି ।

ସୂଚନା ଯେ, ଏଲନ୍ ମସ୍କ ‘ଡଜକ୍ଏନ୍’ କୁ ସମର୍ଥନ କରନ୍ତି, ଯାହା ଏକ ମିମ୍ କ୍ରିପ୍ଟୋକରେନ୍ସି ଅଟେ । ଏହାର ଲୋଗୋରେ ଦେଖାଯାଇଥିବା କୁକୁରଟି ଶିବା ଇନୁ ପ୍ରଜାତିର। ଲୋଗୋର ଏହି ପରିବର୍ତ୍ତନ ବର୍ତ୍ତମାନ କେବଳ ଟ୍ୱିଟରର ୱେବ୍ ପେଜରେ ଦେଖାଯାଉଛି । ଟ୍ୱିଟରର ମୋବାଇଲ୍ ଆପରେ ନୀଳ ପକ୍ଷୀ ଲୋଗୋ ରହିଛି । ତେବେ ‘ଡଜକ୍ଏନ୍’କୁ କମ୍ପାନୀର ‘ଅଫିସିଆଲ୍ ଲୋଗୋ’ କରାଯାଇଛି ନା ଏହା କେବଳ ସାମୟିକ ତାହା ସ୍ପଷ୍ଟ ହୋଇନାହିଁ ।

ଆଉ ଏକ ଉଲ୍ଲେଖଯୋଗ୍ୟ କଥା ହେଉଛି ଏଲନ୍ ମସ୍କ ମଧ୍ୟ ଏ ସମ୍ବନ୍ଧରେ ଏକ ଟ୍ୱିଟ୍ କରିଛନ୍ତି । ଏହି ଟ୍ବିଟ୍ ସେ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଏହି ଫଟୋରେ ଦେଖିବାକୁ ମିଳୁଛି, ଡୋଜକୋଏନ୍ ର ଲୋଗୋ ଥିବା ଏକ କୁକୁର ଡ୍ରାଇଭିଂ ସିଟ୍ ଉପରେ ବସିଛି ଏବଂ ଟ୍ରାଫିକ୍ ପୋଲିସ୍ ଏକ ଲାଇସେନ୍ସ ଧରିଛି ଯେଉଁଥିରେ ‘ନୀଳ ପକ୍ଷୀ’ର ଫଟୋ ଅଛି । ଫଟୋରେ ଥିବା କୁକୁର କହୁଛି ଏହା ଏକ ପୁରୁଣା ଫଟୋ ।

ମସ୍କ ଆଉ ଏକ ପୁରୁଣା ଟ୍ବିଟ୍ ସେୟାର କରିଛନ୍ତି, ଯେଉଁଥିରେ ଜଣେ ୟୁଜର ଟ୍ବିଟର କିଣିଲେ ‘କୁକୁର’ ଲୋଗୋ ରଖିବାକୁ ତାଙ୍କୁ ପରାମର୍ଶ ଦେଉଛି । ମସ୍କ‌ ମଧ୍ୟ ତାଙ୍କୁ ଏପରି କରିବାକୁ କଥା ଦେଇଛନ୍ତି । ମସ୍କ ଏହି ପୁରୁଣା ଟ୍ବିଟର ସ୍କ୍ରିନସଟ୍ ସେୟାର କରି ଲେଖିଛନ୍ତି ‘ପ୍ରତିଶ୍ରୁତି ପୂରଣ ହୋଇଛି’ ।

Exit mobile version