Site icon ଆଜିକାଲି

ଏମ୍ଏମ୍ଏସ୍ ଭାଇରାଲ ଘଟଣାରେ ଦୁଇ ହଷ୍ଟେଲ ୱାର୍ଡେନ ନିଲମ୍ବିତ

ମୋହାଲି : ଏମ୍ଏମ୍ଏସ୍ ଭାଇରାଲ ଘଟଣାରେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ପ୍ରଶାସନ ଦୁଇ ଜଣ ହଷ୍ଟେଲ ୱାର୍ଡେନକୁ ନିଲମ୍ବିତ କରିଛି। ନିଲମ୍ବିତ ୱାର୍ଡେନଙ୍କ ମଧ୍ୟରୁ ଜଣଙ୍କୁ ଭାଇରାଲ ଭିଡିଓରେ ଅଭିଯୁକ୍ତ ଛାତ୍ରୀଙ୍କୁ ଗାଳି କରୁଥିବା ଦେଖିବାକୁ ମିଳିଥିଲା । ଏହାଛଡ଼ା ଶନିବାର ଯାଏଁ ବିଶ୍ବବିଦ୍ୟାଳୟକୁ ବନ୍ଦ କରାଯାଇଛି ।

ବିଶ୍ବବିଦ୍ୟାଳୟର ଜଣେ ଛାତ୍ରୀ ତାଙ୍କର ପ୍ରାୟ ୫୦-୬୦ ହଷ୍ଟେଲ ସାଥୀଙ୍କ ଗାଧୋଇବା ବେଳର ଭିଡିଓ କ୍ଲିପ୍ ରେକର୍ଡ କରି ଶିମଲାରେ ରହୁଥିବା ତାଙ୍କ ପ୍ରେମିକଙ୍କ ନିକଟକୁ ପଠାଇଥିବା ଅଭିଯୋଗ ହୋଇଥିଲା । ଉକ୍ତ ଭିଡିଓ କ୍ଲିପ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରବିବାର ବିଶ୍ବବିଦ୍ୟାଳୟରେ ଅଶାନ୍ତି ଦେଖାଯାଇଥିଲା । ଏହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ରାତିସାରା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ମାମଲାରେ ପୋଲିସ ଅଭିଯୁକ୍ତ ଛାତ୍ରୀ ଓ ତାଙ୍କ ପ୍ରେମିକଙ୍କ ସହ ତିନି ଜଣଙ୍କୁ ଗିରଫ କରିଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଏହି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଶାସନ ୬ ଦିନ ପାଇଁ କ୍ଲାସ ସସପେଣ୍ଡ୍ କରିଥିବା ବେଳେ ବହୁ ଛାତ୍ରୀ ହଷ୍ଟେଲ ଛାଡ଼ି ଘରକୁ ପଳାଇଛନ୍ତି। ଅଭିଯୁକ୍ତ ଛାତ୍ରୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରାଯାଇଥିଲେ ବି ଗତକାଲି ମଧ୍ୟ ଛାତ୍ରୀମାନଙ୍କ ବିକ୍ଷୋଭ ଜାରି ରହିଥିଲା । ଛାତ୍ରୀମାନଙ୍କ ସମସ୍ତ ଦାବିକୁ ପ୍ରଶାସନ ଗ୍ରହଣ କରିବା ପରେ ଛାତ୍ରଛାତ୍ରୀମାନେ ରାତି ପ୍ରାୟ ୧.୩୦ ସମୟରେ ସେମାନଙ୍କର ଆନ୍ଦୋଳନ ଶେଷ କରିଥିଲେ। ଏହି ଘଟଣା ପରେ ହଷ୍ଟେଲର ସମସ୍ତ ୱାର୍ଡେନଙ୍କ ବଦଳି କରାଯାଇଛି। ଏହା ସହିତ ହଷ୍ଟେଲର ଟାଇମିଂ ମଧ୍ୟ ପରିବର୍ତ୍ତନ କରାଯାଇଛି ।

Exit mobile version