Site icon ଆଜିକାଲି

ସମାନ ନାଗରିକ ସଂହିତା ବିଲ୍ ଉତ୍ତରାଖଣ୍ଡ ବିଧାନସଭାରେ ଉପସ୍ଥାପିତ

ଡେରାଡୁନ୍: ବହୁ ପ୍ରତୀକ୍ଷିତ ସମାନ ନାଗରିକ ସଂହିତା ତଥା ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ବିଲ୍ ମଙ୍ଗଳବାର ଉତ୍ତରାଖଣ୍ଡ ବିଧାନସଭାରେ ଉପସ୍ଥାପିତ ହୋଇଛି। ବିଧାନସଭାର ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏହି ବିଲ୍ ଉପସ୍ଥାପନ କରିଛନ୍ତିି।

ମୁଖ୍ୟମନ୍ତ୍ରୀ ଏହି ବିଲ୍ ଉପସ୍ଥାପନ କରିବା ସମୟରେ ଶାସକ ଦଳର ବିଧାୟକମାନେ “ଭାରତ ମାତା କି ଜୟ, ବନ୍ଦେ ମାତରଂ ଓ ଜୟ ଶ୍ରୀରାମ” ସ୍ଲୋଗାନ ଦେଇଥିଲେ। ରବିବାର ରାଜ୍ୟ କ୍ୟାବିନେଟ୍ ୟୁସିସି ଡ୍ରାଫ୍ଟ ବିଲକୁ ବିଧାନସଭାରେ ଆଗତ କରିବାକୁ ଅନୁମୋଦନ କରିଥିଲା।

ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ରଂଜନ ପ୍ରକାଶ ଦେଶାଇଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ କମିଟି ଚାରି ଖଣ୍ଡ ଏବଂ ୭୪୦ ପୃଷ୍ଠାର ଏହି ଡ୍ରାଫ୍ଟକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ କରିଥିଲା।

ୟୁସିସି ଉପରେ ଆଇନ ଆଣିବା ଓ ଏହାକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ୨୦୨୨ ବିଧାନସଭା ନିର୍ବାଚନ ସମୟରେ ଲୋକଙ୍କୁ ବିଜେପିର ଅନ୍ୟତମ ପ୍ରମୁଖ ପ୍ରତିଶ୍ରୁତି ଥିଲା। ୨୦୦୦ ମସିହାରେ ଅଲଗା ରାଜ୍ୟର ମାନ୍ୟତା ପାଇଥିବା ଉତ୍ତରାଖଣ୍ଡରେ କ୍ରମାଗତ ଦ୍ୱିତୀୟ ଥର ବିଜୟ ହାସଲ ସହ ଇତିହାସ ରଚିଥିବା ବିଜେପି ମାର୍ଚ୍ଚ ୨୦୨୨ରେ ସରକାର ଗଢ଼ିବା ପରେ କ୍ୟାବିନେଟର ପ୍ରଥମ ବୈଠକରେ ୟୁସିସି ଖସଡ଼ା ପ୍ରସ୍ତୁତ କରିବା ପାଇଁ ବିଶେଷଜ୍ଞ କମିଟି ଗଠନକୁ ଅନୁମୋଦନ କରିଥିଲା।

ସମାନ ନାଗରିକ ସଂହିତା ଲାଗୁ ହେଲେ ଉତ୍ତରାଖଣ୍ଡ ସ୍ବାଧୀନ ଭାରତର ପ୍ରଥମ ରାଜ୍ୟ ହେବ। ସ୍ବାଧୀନତା ପୂର୍ବରୁ ଗୋଆରେ ପର୍ତ୍ତୁଗୀଜ୍ ଶାସନ କାଳରେ ଏକ ୟୁସିସି ଆଇନ ଲାଗୁ ହୋଇଥିଲା, ଯାହା ଏବେ ବି ବଳବତ୍ତର ରହିଛି।

ୟୁସିସି ଅନୁସାରେ, ବିବାହ, ଛାଡ଼ପତ୍ର, ଭରଣ ପୋଷଣ, ଜମି, ସମ୍ପତ୍ତି ଏବଂ ଉତ୍ତରାଧିକାର ଆଦି କ୍ଷେତ୍ରରେ ସବୁ ଧର୍ମ ପାଇଁ ସମାନ ନିୟମ ଲାଗୁ ହେବ ।

Exit mobile version