Site icon ଆଜିକାଲି

ସୁପ୍ରିମକୋର୍ଟଙ୍କ ରାୟ ପରେ ଏକନାଥ ସିନ୍ଦେଙ୍କ ଇସ୍ତଫା ଦାବି କଲେ ଉଦ୍ଧବ, ଫଡନଭିସ୍ କହିଲେ ‘ହାସ୍ୟାସ୍ପଦ’

ମୁମ୍ବାଇ: ମହାରାଷ୍ଟ୍ରର ରାଜନୈତକ ସଙ୍କଟ ଉପରେ ସୁପ୍ରିମକୋର୍ଟ ରାୟ ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଇସ୍ତଫା ଦାବି କରିଛନ୍ତି ଉଦ୍ଧବ ଠାକରେ । ସେ କହିଛନ୍ତି ଯେ ମୁଁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିଲି । ଯଦି ଏକନାଥ ସିନ୍ଦେ ଏବଂ ଦେବେନ୍ଦ୍ର ଫଡନାଭିସଙ୍କ ନୈତିକତା ଅଛି, ତେବେ ସେମାନେ ମଧ୍ୟ ମୋ ଭଳି ଇସ୍ତଫା ଦିଅନ୍ତୁ | କ୍ଷମତା ପାଇଁ ଏକନାଥ ସିନ୍ଦେ ଗଣତନ୍ତ୍ରକୁ ହତ୍ୟା କରିଛନ୍ତି । ତେଣୁ ସେ ଇସ୍ତଫା ଦେବା ଉଚିତ୍ ବୋଲି ଉଦ୍ଧବ କହିଛନ୍ତି ।

ସିନ୍ଦେଙ୍କ ଇସ୍ତଫା ପାଇଁ ଉଦ୍ଧବ ଠାକରେଙ୍କ ଦାବିକୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ହାସ୍ୟାସ୍ପଦ କହିଛନ୍ତି । ସୁପ୍ରିମକୋର୍ଟ ରାୟକୁ ନେଇ ଫଡନାଭିସ୍ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କଟାକ୍ଷ କରି କହିଛନ୍ତି, “ଉଦ୍ଧବ ଠାକରେଙ୍କ ମୁହଁରୁ ନୈତିକତା କଥା ଶୁଣିବା ଶୋଭା ପାଉନି। ଯିଏ କ୍ଷମତା ପାଇଁ ଆଦର୍ଶକୁ ତ୍ୟାଗ କରି ଏନସିପି ଓ କଂଗ୍ରେସ ସହିତ ହାତ ମିଳାଇଥିଲେ, ସେ ନୈତିକତା କଥା ନ କହିଲେ ଭଲ । ଏକନାଥ ସିନ୍ଦେଙ୍କ ଇସ୍ତଫା ଦେବା ପ୍ରଶ୍ନ ଉଠୁନାହିଁ। ”

ଉଲ୍ଲେଖଯୋଗ୍ୟ, ଗତବର୍ଷର ମହାରାଷ୍ଟ୍ର ରାଜନୈତିକ ସଙ୍କଟ ଉପରେ ସୁପ୍ରିମକୋର୍ଟ ଗୁରୁବାର ରାୟ ପ୍ରକାଶ କରି ତତ୍କାଳୀନ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରିଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଥିଲେ । କୋର୍ଟ କହିଥିଲେ ଯେ ବିରୋଧୀ ଦଳ ନେତା (ଫଡନାଭିସ)ଙ୍କ ଏକ ଚିଠି ଆଧାରରେ ରାଜ୍ୟପାଳ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ କହିବା ଭୁଲ୍ ଥିଲା । ତେବେ ଶକ୍ତି ପରୀକ୍ଷା ପୂର୍ବରୁ ଉଦ୍ଧବ ଠାକରେ ଇସ୍ତଫା ଦେଇଥିଲେ ।

ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟଙ୍କ ଏକ ସମ୍ବିଧାନ ପୀଠ କହିଛନ୍ତି ଯେ ଠାକରେ ବିନା ଆସ୍ଥା ଭୋଟରେ ଇସ୍ତଫା ଦେଇଥିବାରୁ ରାଜ୍ୟପାଳ ବିଧାନସଭାର ସଂଖ୍ୟାଗରିଷ୍ଠ ଦଳ ବିଜେପିର ନିର୍ଦ୍ଦେଶରେ ସରକାର ଗଠନ କରିବାକୁ ସିନ୍ଦେଙ୍କୁ ଆମନ୍ତ୍ରଣ କରିଥିଲେ । ରାଜ୍ୟପାଳଙ୍କ ଏହି ନିଷ୍ପତ୍ତି ଭୁଲ୍ ଥିଲା । ତେବେ ଉଦ୍ଧବ ଠାକରେ ଇସ୍ତଫା ଦେଇଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପୁନଃ ଅବସ୍ଥାପିତ କରିବା ସମ୍ଭବ ନୁହେଁ । ଯଦି ସେ ଇସ୍ତଫା ନ ଦେଇଥାନ୍ତେ, ତେବେ ଆମେ ତାଙ୍କ ନେତୃତ୍ବାଧୀନ ମହାବିକାଶ ଅଘାଡି (ଏମଭିଏ) ମେଣ୍ଟ ସରକାରଙ୍କୁ ପୁନଃ ଅବସ୍ଥାପିତ କରିପାରିଥାନ୍ତୁ ବୋଲି ଉଚ୍ଚତମ ନ୍ୟାୟାଳୟ କହିଥିଲେ ।

Exit mobile version