Site icon ଆଜିକାଲି

ସାବରକରଙ୍କୁ ଅପମାନିତ କରିବା ନେଇ ରାହୁଲଙ୍କୁ ଚେତାବନୀ ଦେଲେ ଉଦ୍ଧବ

ମାଲେଗାଓଁ: ବି.ଡି ସାବରକରଙ୍କୁ ଅପମାନିତ ନ କରିବାକୁ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଚେତାବନୀ ଦେଇଛନ୍ତି । ହିନ୍ଦୁତ୍ବ ଆଦର୍ଶବାଦୀ ସାବରକରଙ୍କୁ ସେ ତାଙ୍କ ଆଦର୍ଶ ମାନନ୍ତି । ତାଙ୍କୁ ଅପମାନିତ କରିବାରୁ ରାହୁଲ କ୍ଷାନ୍ତ ରୁହନ୍ତୁ ବୋଲି ଉଦ୍ଧବ କହିଛନ୍ତି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ କହିଥିଲେ ଯେ ଗଣତନ୍ତ୍ରର ସୁରକ୍ଷା ପାଇଁ ଶିବସେନା (ୟୁବିଟି), କଂଗ୍ରେସ ଏବଂ ଏନସିପିକୁ ନେଇ ମହାବିକାଶ ଅଘାଡି (ଏମଭିଏ) ମେଣ୍ଟ ଗଠନ ହୋଇଥିଲା । ଏଥିପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ।

ଉତ୍ତର ମହାରାଷ୍ଟ୍ରର ନାଶିକ୍ ଜିଲ୍ଲାର ମୁସଲିମ ବହୁଳ ସହର ମାଲେଗାଓଁରେ ଏକ ଜନସଭାକୁ ସମ୍ବୋଧିତ କରି ଠାକରେ ଆହୁରି ମଧ୍ୟ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କୁ ଏପରି କହିବାକୁ (ସାବରକରଙ୍କୁ ଅପମାନିତ) ଜାଣିଶୁଣି ପ୍ରବର୍ତ୍ତା ଯାଉଛି । ସେ କହିଛନ୍ତି, “ସବରକର ଆମ ଆଦର୍ଶ ‌। ତାଙ୍କ ଅପମାନକୁ ବରଦାସ୍ତ କରାଯିବ ନାହିଁ। ଗଣତନ୍ତ୍ରର ସୁରକ୍ଷା ପାଇଁ ଆମକୁ ଏକାଠି ଲଢ଼ିବାକୁ ପଡିବ। ୧୪ ବର୍ଷ ଧରି ଆଣ୍ଡାମାନ ଜେଲରେ ସାବରକର ଅକଳ୍ପନୀୟ ନିର୍ଯାତନା ଭୋଗିଥିଲେ | ତାଙ୍କ ବଳିଦାନ ଏକ ପ୍ରତୀକ ।”

ଗୁଜରାଟର ଏକ କୋର୍ଟ ଦ୍ବାରା ୨୦୧୯ର ଏକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଗାନ୍ଧୀଙ୍କ ଲୋକସଭାର ସଦସ୍ୟତା ରଦ୍ଦ ହୋଇଥିଲା । ଏହାର ଦିନକ ପରେ ଏକ ପ୍ରେସମିଟରେ ରାହୁଲ ଗାନ୍ଧୀ କହିଥିଲେ, “ମୁଁ ସାବରକର ନୁହେଁ, ମୋ ନାମ ଗାନ୍ଧୀ..ଆଉ ଗାନ୍ଧୀ କେବେ କାହାକୁ କ୍ଷମା ମାଗନ୍ତି ନାହିଁ।”

ସାବରକରଙ୍କ ବିରୋଧରେ ରାହୁଲ ଗାନ୍ଧୀଙ୍କ ଏପରି ମନ୍ତବ୍ୟ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତୀବ୍ର ଆପତ୍ତି ଉଠାଇଥିଲେ । ଏଥିପାଇଁ ତାଙ୍କୁ ଦଣ୍ଡ ମିଳିବା ଉଚିତ ବୋଲି ସିନ୍ଦେ କହିଥିଲେ ।

Exit mobile version