Site icon ଆଜିକାଲି

ବିବାଦ ପରେ କୋଟା ଉଚ୍ଛେଦ ନେଇ ଡ୍ରାଫ୍ଟ ଗାଇଡଲାଇନ୍ ଓ୍ବେବସାଇଟରୁ ହଟାଇଲା ୟୁଜିସି

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏହାର ୱେବସାଇଟରୁ ‘ସଂରକ୍ଷିତ ପଦ ଗୁଡ଼ିକୁ ଅଣ ସଂରକ୍ଷିତ’ ଘୋଷଣା କରିବା ସମ୍ବନ୍ଧୀୟ ଡ୍ରାଫ୍ଟ ଗାଇଡଲାଇନକୁ ହଟାଇ ଦେଇଛି । ଏସସି, ଏସଟି ଓ ଓବିସି ବର୍ଗର ଯଥେଷ୍ଟ ପ୍ରାର୍ଥୀ ଉପଲବ୍ଧ ନ ହେଲେ ସଂରକ୍ଷିତ ପଦବୀ ଗୁଡ଼ିକୁ ଉଚ୍ଛେଦ କରିବା ପାଇଁ ନିକଟରେ ୟୁଜିସି ଡ୍ରାଫ୍ଟ ଗାଇଡଲାଇନ୍ ଜାରି କରିବା ପରେ ବିବାଦ ସୃଷ୍ଟି ହୋଇଥିଲା । ୟୁଜିସି ଅଧ୍ୟକ୍ଷ ଏମ୍ ଜଗଦୀଶ କୁମାର କହିଛନ୍ତି ଯେ ମତାମତ ଦାଖଲ ସମୟ ଶେଷ ହୋଇଥିବାରୁ ୟୁଜିସି ୱେବସାଇଟରୁ ଏହି ଡ୍ରାଫ୍ଟ ଗାଇଡଲାଇନ୍ ହଟାଇ ଦିଆଯାଇଛି।

ୟୁଜିସିର ଡ୍ରାଫ୍ଟ ଗାଇଡଲାଇନକୁ ନେଇ ରବିବାର ବିବାଦ ଉଠିଥିଲା । ଏଥିରେ କୁହାଯାଇଥିଲା ଏସସି, ଏସଟି ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଯେକୌଣସି ପଦକୁ ଅଣ ସଂରକ୍ଷିତ ଘୋଷଣା କରାଯିବ ଯଦି ଏହି ବର୍ଗର ପର୍ଯ୍ୟାପ୍ତ ପ୍ରାର୍ଥୀ ଉପଲବ୍ଧ ନ ହୁଅନ୍ତି। ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରିଥିଲେ । ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ କୋଟା ରଦ୍ଦ କରିବାକୁ ଏହା କେନ୍ଦ୍ରର ଏକ ଷଡ଼ଯନ୍ତ୍ର ବୋଲି ସେ ଅଭିଯୋଗ କରିଥିଲେ ।

ବିବାଦ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡ଼ିଥିଲା। ସଂରକ୍ଷିତ ପଦ ଉଚ୍ଛେଦ କରିବାକୁ କୌଣସି ଯୋଜନା ନାହିଁ । କେନ୍ଦ୍ରୀୟ ଶିକ୍ଷା ଅନୁଷ୍ଠାନ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଆଇନ, ୨୦୧୯ ଲାଗୁ ହେବା ପରେ ସଂରକ୍ଷଣ ନେଇ କୌଣସି ଅସ୍ପଷ୍ଟତାର ଅବକାଶ ନାହିଁ ବୋଲି ସେ କହିଥିଲେ ।

ୟୁଜିସିର ଏହି ଡ୍ରାଫ୍ଟ ଗାଇଡଲାଇନ୍ ଅନେକ ମହଲରୁ ସମାଲୋଚିତ ହୋଇଥିଲା । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଥିଲେ ବିଜେପି କେବଳ ଯୁବପୀଢ଼ିଙ୍କ ଚାକିରୀ ଛଡ଼ାଇବାରେ ବ୍ୟସ୍ତ । ସୋମବାର ଜେଏନୟୁ ଛାତ୍ର ସଂଗଠନ (ଜେଏନଏସୟୁ) ମଧ୍ୟ ୟୁଜିସି ଅଧ୍ୟକ୍ଷଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ।

Exit mobile version