Site icon ଆଜିକାଲି

ଉଜ୍ଜୈନ ଟ୍ରେନ ବ୍ଲାଷ୍ଟ ମାମଲା: ୭ ଆଇଏସ୍ ଆତଙ୍କବାଦୀଙ୍କୁ ମୃତ୍ୟୁଦଣ୍ଡ

ଲକ୍ଷ୍ନୌ : ଭୋପାଳ-ଉଜ୍ଜୈନ ପାସେଞ୍ଜର ଟ୍ରେନ ବିସ୍ଫୋରଣ ମାମଲାରେ ଲକ୍ଷ୍ନୌର ଏନଆଇଏ କୋର୍ଟ ସମସ୍ତ ୮ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଘୋଷଣା କରିଛନ୍ତି। କୋର୍ଟ ୭ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେଇଥିବା ବେଳେ ଜଣେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ୨୦୧୭ ମାର୍ଚ୍ଚ ୭ ସକାଳେ ଘଟିଥିବା ଏହି ଘଟଣାରେ ୭ ଜଣ ଗୁରୁତର ଆହତ ହୋଇଥିଲେ। ଏନ୍ଆଇଏ ଏହି ଘଟଣାର ତଦନ୍ତ କରିଥିଲା । ଅଭିଯୁକ୍ତମାନେ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ ସହ ଜଡ଼ିତ ବୋଲି ଏନ୍ଆଇଏ ଚାର୍ଜସିଟରେ କୁହାଯାଇଥିଲା ।

ଆଇଏସ୍ ଆତଙ୍କବାଦୀ ମୋହଦ୍ ଫୈସଲ, ଘାଉସ୍ ମହମ୍ମଦ ଖାନ୍, ମୋହଦ୍ ଅଜହର, ଅଟିକ୍ ମୁଜାଫର, ମହମ୍ମଦ ଡେନିଶ୍, ମହମ୍ମଦ ସୟଦ ମୀର ହୁସେନ୍ ଏବଂ ଆସିଫ୍ ଇକବାଲ ଓରଫ୍ ରକିଙ୍କୁ ଏନଆଇଏ କୋର୍ଟ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏବଂ ମହମ୍ମଦ ଆତିଫ ଓରଫ୍ ଆସିଫ୍ ଇରାନୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଦଣ୍ଡ ଘୋଷଣା କରି ବିଚାରପତି ଭି.ଏସ୍ ତ୍ରିପାଠୀ କହିଛନ୍ତି ଯେ ଏହି ମାମଲା ବିରଳରୁ ବିରଳତମ ବର୍ଗରେ ଆସୁଛି।

କୋର୍ଟ ଫେବୃଆରୀ ୨୪ରେ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସମସ୍ତ ଅଭିଯୁକ୍ତ ଆଇପିସିର ଧାରା ୧୨୧, ୧୨୧-ଏ, ୧୨୨, ୧୨୩, ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଆଇନର ଧାରା ୧୭, ୧୮, ୧୮ ଏ, ୧୮ ବି, ୨୩, ୩୮ ଓ ସଶସ୍ତ୍ର ଆଇନ ଧାରା ୩/୨୫/୩୫ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଥିଲେ।ସମସ୍ତ ଦୋଷୀଙ୍କ ବିରୋଧରେ ଦଣ୍ଡ ଘୋଷଣା ହେବା ପରେ ଏନଆଇଏ କୋର୍ଟ ଏହି ମାମଲାର ଫାଇଲ ଆଲ୍ଲାହାବାଦ ହାଇକୋର୍ଟକୁ ପଠାଇଛନ୍ତି। ଆଇନ ଅନୁସାରେ କୌଣସି ଦୋଷୀଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ହିଁ ଫାଶୀ ଦିଆଯାଇପାରିବ।

Exit mobile version