Site icon ଆଜିକାଲି

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ

କିଭ୍: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଜଣେ ସରକାରୀ ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ରୁଷ କବଜାରୁ ମୁକ୍ତ ହୋଇଥିବା ଇଜିୟମ୍ ସହର ପରିଦର୍ଶନ କରି ଜେଲେନସ୍କି ରାଜଧାନୀ କିଭକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

ସରକାରୀ ମୁଖପାତ୍ର ସର୍ଗି ନିକିଫୋରାଭ୍ କହିଛନ୍ତି ଯେ ରାଷ୍ଟ୍ରପତି ଜେଲେନସ୍କିଙ୍କ ସରକାରୀ କାର୍ ସହିତ ଏକ ଘରୋଇ କାରର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଡାକ୍ତରମାନେ ଜେଲେନସ୍କିଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ସୌଭାଗ୍ୟ ବଶତଃ ଜେଲେନସ୍କିଙ୍କୁ ସେଭଳି କୌଣସି ଗୁରୁତର ଆଘାତ ଲାଗିନାହିଁ । ରାଷ୍ଟ୍ରପତି ଜେଲେନସ୍କିଙ୍କ ଗାଡ଼ି ସହିତ ମୁହାଁମୁହିଁ ଧକ୍କା ହୋଇଥିବା ଘରୋଇ କାରର ମାଲିକ ଆହତ ହୋଇଛନ୍ତି। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାର ସମସ୍ତ ଦିଗ ବିସ୍ତୃତ ଭାବରେ ତଦନ୍ତ କରାଯାଉଛି ବୋଲି ମୁଖପାତ୍ର ଜଣକ କହିଛନ୍ତି ।

ଏହାପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଇଜିୟମ୍ ସହରରେ ପହଞ୍ଚିଥିଲେ, ଯାହାକୁ ରୁଷ କବଜାରୁ ୟୁକ୍ରେନ ସେନା ନିକଟରେ ମୁକ୍ତ କରିଥିଲେ । ତାଙ୍କ ଗସ୍ତରେ ଜେଲେନସ୍କି ରୁଷ ଆକ୍ରମଣର ଦୃଢ ଜବାବ ଦେଇଥିବା ନେଇ ନିଜ ସୈନିକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାଛଡ଼ା ସେ ଇଜିୟମ୍ ସହରରେ ୟୁକ୍ରେନର ଧ୍ବଜାରୋହଣରେ ଭାଗ ନେଇଥିଲେ। ୟୁକ୍ରେନ ଅଧିକାରୀମାନେ କହିଛନ୍ତି ଯେ ସେମାନେ ଡନ୍ବାସ ଅଞ୍ଚଳକୁ ଟାର୍ଗେଟ କରୁଛନ୍ତି। ନିକଟରେ ୟୁକ୍ରେନ ସେନା ରୁଷର କବଜାରେ ରହିଥିବା ଅନେକ ଅଞ୍ଚଳ ପୁନର୍ଦଖଲ କରିଥିଲେ । ସେମାନେ ବହୁ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳରୁ ରୁଷ ସେନାକୁ ପଛକୁ ହଟାଇବାରେ ସଫଳ ହୋଇଥିଲେ ।

Exit mobile version