Site icon ଆଜିକାଲି

ଆଜି ଓ ଆସନ୍ତାକାଲି ରାଜ୍ୟ ଗୃହ ମନ୍ତ୍ରୀମାନଙ୍କର ଚିନ୍ତନ ଶିବିରରେ ଅଧ୍ୟକ୍ଷତା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ୍ ଶାହ ଆଜି ଓ ଆସନ୍ତାକାଲି ହରିୟାଣାର ସୁରଜକୁଣ୍ଡରେ ବିଭିନ୍ନ ରାଜ୍ୟର ‘ଗୃହ ମନ୍ତ୍ରୀମାନଙ୍କର ଚିନ୍ତନ ଶିବିର’ ରେ ଅଧ୍ୟକ୍ଷତା କରିବେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଚିନ୍ତନ ଶିବିରକୁ ସମ୍ବୋଧିତ କରିବେ । ଦୁଇ ଦିନିଆ ଚିନ୍ତନ ଶିବିରରେ ଭାଗ ନେବା ପାଇଁ ସମସ୍ତ ରାଜ୍ୟର ଗୃହ ମନ୍ତ୍ରୀ ଏବଂ ସଂଘଶାସିତ ପ୍ରଦେଶର ଉପରାଜ୍ୟପାଳ ଏବଂ ପ୍ରଶାସକଙ୍କୁ ଆମନ୍ତ୍ରିତ କରାଯାଇଛି । ରାଜ୍ୟର ଗୃହ ସଚିବ, ପୁଲିସ୍ ମହାନିର୍ଦ୍ଦେଶକ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସବଳ ଏବଂ କେନ୍ଦ୍ରୀୟ ପୁଲିସ୍ ସଙ୍ଗଠନର ମହାନିର୍ଦ୍ଦେଶକ ମଧ୍ୟ ଚିନ୍ତନ ଶିବିରରେ ଭାଗ ନେବେ ।

ଦୁଇ ଦିନର ଏହି ଚିନ୍ତନ ଶିବିରର ଉଦ୍ଦେଶ୍ୟ ହେଉଛି ‘‘ଭିଜନ୍ ୨୦୪୭’’ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱତନ୍ତ୍ରତା ଦିବସ ଭାଷଣରେ ଘୋଷିତ ପଞ୍ଚପ୍ରାଣର କାର୍ଯ୍ୟକାରୀ କରିବା ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା । ଗୃହ ମନ୍ତ୍ରୀଙ୍କ ଚିନ୍ତନ ଶିବିରରେ ସାଇବର ଅପରାଧ ପରିଚାଳନା ପାଇଁ ଇକୋ-ସିଷ୍ଟମ ବିକଶିତ କରିବା, ପୁଲିସ୍ ବଳର ଆଧୁନିକିକରଣ, ଆପରାଧିକ ନ୍ୟାୟ ପ୍ରଣାଳୀରେ ଆଇ.ଟିର ବଢ଼ୁଥିବା ବ୍ୟବହାର, ଭୂମି ସୀମା ପରିଚାଳନା ଏବଂ ଉପକୂଳ ସୁରକ୍ଷା ଏବଂ ଅନ୍ୟ ଆଭ୍ୟନ୍ତରୀଣ ସୁରକ୍ଷା ସମ୍ବନ୍ଧିତ ବିଷୟରେ ଚିନ୍ତନ କରାଯିବ । ବର୍ଷ ‘୨୦୪୭ ସୁଦ୍ଧା ବିକଶିତ ଭାରତ’ ର ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ନାରୀ ଶକ୍ତିର ଭୂମିକା ମହତ୍ତ୍ୱପୂର୍ଣ୍ଣ ଅଟେ ଏବଂ ଚିନ୍ତନ ଶିବିରରେ ଦେଶର ମହିଳାଙ୍କ ସୁରକ୍ଷା ଏବଂ ତାଙ୍କ ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି କରିବାରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯିବ । ଶିବିରର ଉଦ୍ଦେଶ୍ୟ ଉପରୋକ୍ତ କ୍ଷେତ୍ରରେ ରାଷ୍ଟ୍ରୀୟ ନୀତି ନିର୍ମାଣ ଏବଂ ଉନ୍ନତ ଯୋଜନା ଏବଂ ସମନ୍ୱୟକୁ ସୁଗମ କରିବା ଅଟେ ।

ଚିନ୍ତନ ଶିବିରରେ ଛଅଟି ଅଧିବେଶନରେ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯିବ । ଶିବିରର ପ୍ରଥମ ଦିନ ହୋମ ଗାର୍ଡ଼, ନାଗରିକ ସୁରକ୍ଷା, ଅଗ୍ନିରୁ ସୁରକ୍ଷା ଏବଂ ଶତ୍ରୁ ସମ୍ପତ୍ତି ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବିଚାର-ବିମର୍ଷ କରାଯିବ । ଦ୍ୱିତୀୟ ଦିନ ସାଇବର ସୁରକ୍ଷା, ମାଦକ ଦ୍ରବ୍ୟର ଚୋରା ଚାଲାଣ, ମହିଳା ସୁରକ୍ଷା ଏବଂ ସୀମା ପରିଚାଳନା ପରି ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବ । ମାଦକ ଦ୍ରବ୍ୟର ଚୋରା ଚାଲାଣ ବିଷୟରେ ଏନଡିପିଏସ୍ ଅଧିନିୟମ, ଏନକୋର୍ଡ଼ ନିଦାନ ଏବଂ ନିଶାମୁକ୍ତ ଭାରତ ଅଭିଯାନ ଉପରେ ମଧ୍ୟ ଚିନ୍ତନ ଶିବିରରେ ଆଲୋଚନା କରାଯିବ । ଭୂମି ସୀମା ପରିଚାଳନା ଏବଂ ଉପକୂଳ ସୁରକ୍ଷା ଅନ୍ତର୍ଗତ ସୀମାର ସୁରକ୍ଷା ଏବଂ ସୀମାବର୍ତୀ କ୍ଷେତ୍ରର ବିକାଶ ଉପରେ ଚିନ୍ତନ କରାଯିବ । ଆଇସିଜେଏସ୍ ଏବଂ ସିସିଟିଏନଏସ୍ ସିଷ୍ଟମ ଏବଂ ଆଇଟି ମଡ୍ୟୁଲ୍ – ଏନଏଏଫଆଇଏସ୍‌, ଆଇଟିଏସଏସଓ ଏବଂ କ୍ରି-ମାକର ଉପଯୋଗ କରି ପ୍ରଯୁକ୍ତି ଆଧାରିତ ଯାଞ୍ଚ ଦ୍ୱାରା କନ୍ଭିକ୍ସନ ହାର ବଢ଼ାଇବାର ଉପାୟ ଉପରେ ମଧ୍ୟ ବିଚାର ବିମର୍ଷ କରାଯିବ । ସେଫ୍ ସିଟି ପ୍ରୋଜେକ୍ଟ, ୧୧୨- ସିଙ୍ଗିଲ୍ ଏମରଜେନ୍ସି ରେସ୍ପନ୍ସ ସିଷ୍ଟମ, ଜିଲ୍ଲାରେ ମାନବ ଚାଲାଣ-ରୋଧୀ ୟୁନିଟ୍‌, ପୁଲିସ୍ ଥାନାରେ ମହିଳା ହେଲ୍ପ ଡେସ୍କ ଏବଂ ମତ୍ସ୍ୟଜୀବିମାନଙ୍କ ପାଇଁ ବାୟୋମେଟ୍ରିକ୍ ପରିଚୟ ପତ୍ର ପରି ପଦକ୍ଷେପ ଉପରେ ଆଲୋଚନା କରାଯିବ । ବିଭିନ୍ନ ବିଷୟ ଉପରେ ଅଧିବେଶନର ଉଦ୍ଦେଶ୍ୟ ଏହି ବିଷୟ ଉପରେ ରାଜ୍ୟ ସରକାରଙ୍କ ସହଭାଗୀତାକୁ ପ୍ରୋତ୍ସାହିତ ଏବଂ ସୁନିଶ୍ଚିତ କରିବା ଅଟେ ।

Exit mobile version