Site icon ଆଜିକାଲି

ନାଥୁରାମ ଗଡସେଙ୍କୁ ଭାରତମାତାର ‘ସୁଯୋଗ୍ୟ ସନ୍ତାନ’ କହିଲେ କେନ୍ଦ୍ରମନ୍ତ୍ରୀ, କଂଗ୍ରେସର ଭର୍ତ୍ସନା

ଦାନ୍ତେଓ୍ବାଡା: କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ଭାରତର ‘ସୁଯୋଗ୍ୟ ସନ୍ତାନ’ ବୋଲି କହିଛନ୍ତି । ଗିରିରାଜ ସିଂହ କହିଛନ୍ତି ଯେ ସେ ମୋଗଲ ଶାସକ ବାବର ଓ ଔରଙ୍ଗଜେବଙ୍କ ପରି ଆକ୍ରମଣକାରୀ ନୁହଁନ୍ତି । କାରଣ ସେ ଭାରତରେ ଜନ୍ମଗ୍ରହଣ କରିଥିଲେ।

ଛତିଶଗଡର ଦାନ୍ତେଓ୍ବାଡା ସହରରେ ଶୁକ୍ରବାର ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତରାଜ ମନ୍ତ୍ରୀ କହିଛନ୍ତି, ଯେଉଁମାନେ ନିଜକୁ ବାବର ଓ ଔରଙ୍ଗଜେବଙ୍କ ସନ୍ତାନ ବୋଲି କହି ଖୁସି ଅନୁଭବ କରୁଛନ୍ତି ସେମାନେ ଭାରତମାତାର ସୁଯୋଗ୍ୟ ସନ୍ତାନ ହୋଇପାରିବେ ନାହିଁ।

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଔରରଙ୍ଗଜେବ ଉପରେ ଦେଇଥିବା ମନ୍ତବ୍ୟର ଉତ୍ତରରେ ଯେତେବେଳେ ଗଡସେଙ୍କ ଉପରେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀଙ୍କ ବୟାନ ବିଷୟରେ ପଚରାଯାଇଥିଲା, ସିଂହ କହିଥିଲେ ଯେ ଗାନ୍ଧିଜୀଙ୍କ ହତ୍ୟାକାରୀ ହୋଇଥିଲେ ବି ଗଡସେ ଭାରତର ସୁଯୋଗ୍ୟ ସନ୍ତାନ । କାରଣ ସେ ଭାରତରେ ଜନ୍ମ ହୋଇଥିଲେ । ଔରଙ୍ଗଜେବ ଏବଂ ବାବରଙ୍କ ପରି ଆକ୍ରମଣକାରୀ ନୁହଁନ୍ତି ଗଡସେ। ଏବଂ ଯିଏ ବାବରଙ୍କ ପୁଅ ବୋଲି ଖୁସି ଅନୁଭବ କରନ୍ତି, ସେମାନେ ଭାରତମାତାର ପ୍ରକୃତ ସନ୍ତାନ ହୋଇପାରିବ ନାହିଁ। ‘

ଗଡସେଙ୍କୁ ଭାରତର ସୁଯୋଗ୍ୟ ସନ୍ତାନ କହିବା ନେଇ ଗିରିରାଜ ସିଂହଙ୍କୁ କଂଗ୍ରେସ ସମେତ ବିରୋଧୀ ଦଳ ଭର୍ତ୍ସନା କରିଛନ୍ତି । କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ଗଡସେଙ୍କୁ ସୁଯୋଗ୍ୟ ସନ୍ତାନ ବୋଲି ଅଭିହିତ କରିବା ପରେ ଗିରିରାଜ ସିଂହଙ୍କୁ ଲୋକେ ‘ ଭାରତର ସୁଯୋଗ୍ୟ ସନ୍ତାନ’ ବୋଲି କହିବେନି । ଗିରିରାଜ ସିଂହଙ୍କ ମନ୍ତବ୍ୟକୁ ପ୍ରଧାନମନ୍ତ୍ରୀ ମୋଦୀ ଓ ଅମିତ ଶାହା ନିନ୍ଦା କରିବେ ବୋଲି ଆଶା ।

Exit mobile version