Site icon ଆଜିକାଲି

କେନ୍ଦ୍ରମନ୍ତ୍ରୀଙ୍କ ପ୍ରତି ଡିଏମକେ ସାଂସଦଙ୍କ ଆପତ୍ତିଜନକ ମନ୍ତବ୍ୟ ନେଇ ଲୋକସଭାରେ ହଙ୍ଗାମା

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଏଲ୍ ମୁରୁଗାନଙ୍କୁ ଟାର୍ଗେଟ କରି ଡିଏମକେ ନେତା ଟିଆର୍ ବାଲୁଙ୍କ ଆପତ୍ତିଜନକ ମନ୍ତବ୍ୟ ନେଇ ଲୋକସଭାରେ ମଙ୍ଗଳବାର ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର ଯୁକ୍ତିତର୍କ ଦେଖିବାକୁ ମିଳିଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଅଭିଯୋଗ କରିଛନ୍ତି ଯେ ଡିଏମକେ ସାଂସଦ ବାଲୁ କେନ୍ଦ୍ରମନ୍ତ୍ରୀ ମୁରୁଗାନଙ୍କ ବିରୋଧରେ ଏପରି ମନ୍ତବ୍ୟ ଦେଇ ସମଗ୍ର ଦଳିତ ସମ୍ପ୍ରଦାୟକୁ ଅପମାନିତ କରିଛନ୍ତି।‌ ବାଲୁ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି।

ଗୃହରେ ପ୍ରଶ୍ନକାଳ ସମୟରେ ଯେତେବେଳେ ବାଲୁ ତାମିଲନାଡୁରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ହୋଇଥିବା କ୍ଷୟକ୍ଷତି ବିଷୟରେ ଏକ ଅତିରିକ୍ତ ପ୍ରଶ୍ନ ପଚାରୁଥିଲେ, ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ବିଭାଗର ମନ୍ତ୍ରୀ ମୁରଗାନ୍ ତାଙ୍କୁ ବାଧା ଦେଇଥିଲେ। ଏହା ପରେ ବାଲୁ ତାଙ୍କ ପ୍ରତି ଏକ ଶବ୍ଦ ବ୍ୟବହାର କରିଥିଲେ।

ଏନେଇ ଶାସକ ଦଳର ସଦସ୍ୟମାନେ ବିରୋଧ ଆରମ୍ଭ କରିଥିଲେ। ପ୍ରହ୍ଲାଦ ଯୋଶୀ କହିଛନ୍ତି, “ବାଲୁ ଜଣେ ବରିଷ୍ଠ ସାଂସଦ। ସେ ଜଣେ ଏସସି ମନ୍ତ୍ରୀଙ୍କ ବିରୋଧରେ ମନ୍ତବ୍ୟ ଦେଇଛନ୍ତି। ସେ କ୍ଷମା ମାଗିବା ଉଚିତ୍। ” ମେଘୱାଲ କହିଛନ୍ତି, “ଶ୍ରୀଯୁକ୍ତ ବାଲୁ, ଆପଣ ଏପରି ଶବ୍ଦ କିପରି ବ୍ୟବହାର କରିପାରିବେ? ଏହା ଦଳିତ ସମ୍ପ୍ରଦାୟ ପାଇଁ ଅପମାନ | ଆପଣ କ୍ଷମା ମାଗିବା ଉଚିତ୍। ”

ଏହା ପରେ ଡିଏମକେ ଓ କଂଗ୍ରେସ ସଦସ୍ୟମାନେ ବିରୋଧ କରି ତାମିଲନାଡୁର ଅଧିକାର ଉଲ୍ଲଂଘନ କରାଯାଉଥିବା ଅଭିଯୋଗ କରିଥିଲେ । ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ ବାଲୁଙ୍କ ଦ୍ୱାରା ବ୍ୟବହୃତ ଶବ୍ଦକୁ ଗୃହ ରେକର୍ଡରୁ ହଟାଇ ଦିଆଯିବ।

ଗୃହରେ ଶାସକ ଦଳ ଓ ବିରୋଧୀଙ୍କ ମଧ୍ୟରେ କିଛି ସମୟ ପାଇଁ ବାକବିତଣ୍ଡା ଚାଲିଥିଲା। ହୋହଲ୍ଲା କମିବା ପରେ ବିର୍ଲା ପ୍ରଶ୍ନକାଳ ସହ ଗୃହକାର୍ଯ୍ୟ ଜାରି ରଖିଥିଲେ । ପ୍ରଶ୍ନକାଳ ସମୟରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଡିଏମକେ ଓ କଂଗ୍ରେସ ସଦସ୍ୟଙ୍କ ଦ୍ୱାରା ତାମିଲନାଡୁର ବିପର୍ଯ୍ୟୟ ପରିଚାଳନା ଏବଂ ସହାୟତାରେ ଭେଦଭାବ କରାଯାଉଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ ।

Exit mobile version