Site icon ଆଜିକାଲି

ପନ୍ନୁନକୁ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ଭାରତୀୟ ନାଗରିକଙ୍କ ବିରୋଧରେ ମାମଲା ରୁଜୁ କଲା ଆମେରିକା

ୱାଶିଂଟନ: ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତଓ୍ବନ୍ତ ସିଂ ପନ୍ନୁନକୁ ନ୍ୟୁୟର୍କରେ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିବା ଅଭିଯୋଗରେ ଆମେରିକାର ନ୍ୟାୟ ବିଭାଗ ଜଣେ ଭାରତୀୟ ନାଗରିକଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହି ଭାରତୀୟ ନାଗରିକ ଜଣକ ହେଉଛନ୍ତି ନିଖିଳ ଗୁପ୍ତା। ତାଙ୍କୁ ଚେକୋସ୍ଲୋଭାକିଆରୁ ଗିରଫ କରାଯାଇଛି ।

ଆମେରିକା ଅଭିଯୋଗ କରିଛି ଯେ ପନ୍ନୁନକୁ ହତ୍ୟା କରିବା ପାଇଁ ଭାରତ ନିଖିଳ ଗୁପ୍ତାଙ୍କୁ ପଠାଇଥିଲା । ଏନେଇ ଆମେରିକା ମଧ୍ୟ ଭାରତ ନିକଟରେ ପ୍ରତିବାଦ ଜଣାଇବା ସହ ଚେତାବନୀ ଦେଇଛି । ଦେଶରେ ହେଉ କି ବିଦେଶରେ, ଆମେରିକାର କୌଣସି ନାଗରିକଙ୍କୁ ଆକ୍ରମଣ ବରଦାସ୍ତ କରାଯିବ ନାହିଁ ବୋଲି କହିଛି ଆମେରିକା।

ଆମେରିକାର ଅଭିଯୋଗ ପରେ ଏହାର ତଦନ୍ତ ପାଇଁ ଭାରତ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ତଦନ୍ତକୁ ଆଗକୁ ନେବା ଲାଗି ଆମେରିକା ୨ ଜଣ ଶୀର୍ଷ ଗୋଇନ୍ଦା ଅଧିକାରୀଙ୍କୁ ଭାରତ ପଠାଇଛି।

ଖଲିସ୍ତାନୀ ନେତା ପନ୍ନୁନ୍ ଜଣେ ଆମେରିକୀୟ-କାନାଡା ନାଗରିକ । ସେ ନିକଟରେ ଏକାଧିକ ଭିଡ଼ିଓ ଜାରି କରି ଭାରତ ଉପରେ ଆକ୍ରମଣ କରିବାକୁ ଧମକ ଦେଇଥିଲା ।

ଉଲ୍ଲେଖଯୋଗ୍ୟ, କାନାଡ଼ା ମଧ୍ୟ ଏହାର ନାଗରିକ ତଥା ଖଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜର ହତ୍ୟାରେ ଭାରତ ସରକାରଙ୍କ ଏଜେଣ୍ଟଙ୍କ ସମ୍ପୃକ୍ତି ଅଭିଯୋଗ କରିଥିଲା।

Exit mobile version