Site icon ଆଜିକାଲି

ଉତ୍ତର ପ୍ରଦେଶ: ମନ୍ତ୍ରୀଙ୍କୁ ପ୍ରଶ୍ନ କରିବାରୁ ୟୁଟ୍ୟୁବରଙ୍କ ବିରୋଧରେ ମାମଲା

ଲକ୍ଷ୍ନୌ : ବିକାଶମୂଳକ ପ୍ରକଳ୍ପ ସମ୍ପର୍କରେ ଯୋଗୀ ଆଦିତ୍ୟନାଥ କ୍ୟାବିନେଟର ଜଣେ ମନ୍ତ୍ରୀଙ୍କୁ ପ୍ରଶ୍ନ କରିବା ଜଣେ ୟୁଟ୍ୟୁବରଙ୍କୁ ମହଙ୍ଗା ପଡ଼ିଛି । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ବିଜେପି ଯୁବ ମୋର୍ଚ୍ଚାର ସ୍ଥାନୀୟ ନେତାଙ୍କ ଅଭିଯୋଗ ଆଧାରରେ ‘ୟୁ ଟ୍ୟୁବ୍’ ଚ୍ୟାନେଲ ‘ମୋରାଦାବାଦ ଉଜାଲା’ର ସାମ୍ବାଦିକ ସଞ୍ଜୟ ରାଣାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରବା ସହ ତାଙ୍କୁ ରାତିସାରା ଅଟକ ରଖିଥିଲା ।

ସମ୍ଭଲର ଚାନ୍ଦୁସି ତହସିଲର ବୁଦ୍ଧନଗର ଖଣ୍ଡୁଆ ଗ୍ରାମରେ ଏକ କାର୍ଯ୍ୟକ୍ରମ ଅବସରରେ ୟୁଟ୍ୟୁବ ସାମ୍ବାଦିକ ସଞ୍ଜୟ ରାଣା ତାଙ୍କ ଗାଁରେ ଯେଉଁ ସବୁ ପ୍ରକଳ୍ପ ନେଇ ପ୍ରତିଶ୍ରୁତି ଦିଆଯାଇଥିଲା ସେଗୁଡ଼ିକର କାର୍ଯ୍ୟ କାହିଁକି ଆରମ୍ଭ ହୋଇନାହିଁ ବୋଲି ସ୍ଥାନୀୟ ବିଧାୟକ ତଥା ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ଗୁଲାବ ଦେବୀଙ୍କୁ ପ୍ରଶ୍ନ କରିଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମନ୍ତ୍ରୀ ଆସିଥିବା ବେଳେ ୟୁଟ୍ୟୁବ ଲାଇଭ୍ କରି ମନ୍ତ୍ରୀଙ୍କୁ ମୁହାଁମୁହିଁ ଗୁଡେ଼ଇ ତୁଡେଇ ପ୍ରଶ୍ନ କରିଥିଲେ ରାଣା ।

ପୋଲିସ ଏସପି ଚକ୍ରେଶ ମିଶ୍ରାଙ୍କ କହିବାନୁସାରେ, ରାଣାଙ୍କୁ ସଙ୍ଗେ ସଙ୍ଗେ ହାଜତକୁ ନିଆଯାଇଥିଲା । ପରେ ଉପ-ଜିଲାପାଳ ତାଙ୍କୁ ଜାମିନ ପ୍ରଦାନ କରିଥିଲେ।

ଏହି ଘଟଣା ପରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଶାସକ ବିଜେପିକୁ ଟାର୍ଗେଟ କରିଛନ୍ତି । ବିଦେଶରେ ଭାରତୀୟ ଗଣତନ୍ତ୍ର ଉପରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ନେଇ ହୋହଲ୍ଲା କରୁଥିବା ବିଜେପି ନିଜ ଶାସିତ ରାଜ୍ୟରେ ପ୍ରଥମେ ଗଣତନ୍ତ୍ରର ସ୍ଥିତି ଦେଖୁ । ମନ୍ତ୍ରୀଙ୍କୁ ପ୍ରଶ୍ନ କରିବା ଯୋଗୁଁ ସାମ୍ବାଦିକଙ୍କୁ ଅଟକ ରଖିବା ଦୁର୍ଭାଗ୍ୟଜନକ ବୋଲି ଅଖିଳେଶ ଟ୍ବିଟ୍ କରି କହିଛନ୍ତି ।

FacebookTwitterLinkedinWhatsapp
Exit mobile version