Site icon ଆଜିକାଲି

ଉତ୍ତରାଖଣ୍ଡର ଟନେଲ୍ ସଙ୍କଟ: ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ, ଖୁବ ଶୀଘ୍ର ମୁକୁଳିବେ ୪୧ ଶ୍ରମିକ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ସିଲ୍କୟାରା ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ବାହାର କରିବା ପାଇଁ ଚାଲିଥିବା ଉଦ୍ଧାର କାର୍ଯ୍ୟର ଆଜି ଏକାଦଶ ଦିନ। ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବା ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୁବ୍ ଶୀଘ୍ର ସମସ୍ତ ଶ୍ରମିକଙ୍କୁ ବାହାର କରାଯାଇପାରେ ବୋଲି ଜଣେ ଅଧିକାରୀ ଆଶା ବ୍ୟକ୍ତ କରିଛନ୍ତି।

ନଭେମ୍ବର ୧୨ରେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ୪.୫ କିଲୋମିଟର ଲମ୍ବା ଟନେଲ ଭୁଶୁଡ଼ିବା କାରଣରୁ ୪୧ ଶ୍ରମିକ ଭିତରେ ଫସି ରହିଛନ୍ତି। ଏକ ୬ ଇଞ୍ଚ ଚଉଡ଼ାର ଷ୍ଟିଲ୍ ପାଇପ୍ ମାଧ୍ୟମରେ ସେମାନଙ୍କୁ ରନ୍ଧା ଖାଦ୍ୟ, ଜଳ ଏବଂ ଔଷଧ ପଠାଯାଉଛି | ଗତକାଲି ରାତିରେ ସେମାନଙ୍କୁ ଭେଜ୍ ପଲାଉ, ମଟର ପନିର ଓ ରୁଟି ଦିଆଯାଇଥିଲା । ଏକ ଡ଼ାକ୍ତରଙ୍କ ତତ୍ବାବଧାନରେ ହଜମ ହେଲାଭଳି ଖାଦ୍ୟ ପ୍ରସ୍ତୁତ କରାଯାଉଛି।

ସଡ଼କ ପରିବହନ ଏବଂ ରାଜପଥ ସଚିବ ଅନୁରାଗ ଜୈନ କହିଛନ୍ତି, ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଆମେରିକୀୟ ଅଗର ଡ୍ରିଲିଂ ମେସିନ୍ ବ୍ୟବହାର କରାଯାଉଛି । ଏହା ଏବେ ସବୁଠୁ ଭଲ ବିକଳ୍ପ। ସେ କହିଛନ୍ତି ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବାକୁ ଆଉ ୨ ଦିନ ଲାଗିପାରେ। ଶୁକ୍ରବାର ଅପରାହ୍ନରେ ଡ୍ରିଲିଂ ମେସିନ୍ ଏକ ବଡ଼ ପଥରକୁ ବାଜିବାରୁ ଟନେଲରେ କମ୍ପନ ସୃଷ୍ଟି ହୋଇଥିଲା। ତେଣୁ ସୁରକ୍ଷା କାରଣରୁ ଉଦ୍ଧାର କାର୍ଯ୍ୟ ବନ୍ଦ କରିବାକୁ ପଡ଼ିଥିଲା। ଆଜି‌ ସକାଳେ ପୁଣି ଖୋଳା କାମ ଅଗର ମେସିନ୍ ଦ୍ବାରା ଆରମ୍ଭ ହୋଇଛି । ଏକ ୮୦୦ ମିଟର ପ୍ରଶସ୍ତ ପାଇପକୁ ୩୯ ମିଟର ପର୍ଯ୍ୟନ୍ତ ପୂରାଇ ଦିଆଯାଇଛି । ଶ୍ରମିକଙ୍କ ନିକଟରେ ପହଞ୍ଚିବା ପାଇଁ ଆଉ ୧୪ ମିଟର ଖୋଳିବାକୁ ପଡ଼ିବ।

ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାରୁ ଘଟଣାସ୍ଥଳରେ ଆମ୍ବୁଲାନ୍ସ ସହ ଅକ୍ସିଜେନ୍ ମାସ୍କ ଓ ଅନ୍ୟାନ୍ୟ ଜରୁରୀକାଳୀନ ଚିକିତ୍ସା ସାମଗ୍ରୀ ପ୍ରସ୍ତୁତ ରଖାଯାଇଛି ।

ଅନୁରାଗ ଜୈନ କହିଛନ୍ତି ଗୋଟିଏ ବିକଳ୍ପ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଆମେ ସମସ୍ତ ବିକଳ୍ପ ଉପରେ ଏକାଠି କାମ କରୁଛୁ। ଅଗର ମେସିନ୍ ଓ ଭୂସମାନ୍ତର ବୋରିଂ ମେସିନ୍ ଦ୍ବାରା ଟନେଲ୍ ଖୋଳା ଯାଉଛି। ଶ୍ରମିକଙ୍କ ନିକଟରେ ପହଞ୍ଚିବା ପାଇଁ ଆଉ ଚାରି ଦିନ ଲାଗିପାରେ।”

ଗତକାଲି ଫସି ରହିଥିବା ଶ୍ରମିକଙ୍କ ପ୍ରଥମ ଦୃଶ୍ୟ ସାମ୍ନାକୁ ଆସିଥିଲା । ଶ୍ରମିକ ମାନଙ୍କୁ ରନ୍ଧା ଖାଦ୍ୟ ପଠାଇବା ପାଇଁ ଯେଉଁ ୬ ଇଞ୍ଚ ପାଇପ୍ ଲଗାଯାଇଥିଲା, ସେଥିରେ ଏକ ଏଣ୍ଡୋସ୍କୋପିକ କ୍ୟାମେରା ବି ଲାଗିଥିଲା । ଏହା ମାଧ୍ୟମରେ ଭିତରେ ଫସିଥିବା ଶ୍ରମିକଙ୍କୁ ପ୍ରଥମ ଥର ଦେଖିବାକୁ ମିଳିଥିଲା । ଘଟଣାର ବହୁଦିନ ପରେ ଶ୍ରମିକ ମାନଙ୍କୁ କ୍ୟାମେରା ମାଧ୍ୟମରେ ସୁସ୍ଥ ଦେଖି ସେମାନଙ୍କ ପରିବାର ଲୋକ ଆଶ୍ବସ୍ତ ହୋଇଥିଲେ ।

Exit mobile version